ରାଉରକେଲା : ନାମକୁ ମାତ୍ର ସାଇବର ଥାନା, ଅଧାରୁ ଅଧିକ ପଦବୀ ଖାଲି

୩୪ ମାସରେ ୩୮ଟି ମାମଲା, ୭ ଚାର୍ଚ୍ଚସିଟ୍, ୨୬ ଗିରଫ

କେବଳ ୪ଟି ସାଧାରଣ କମ୍ପ୍ୟୁଟର ଛଡ଼ା ଆଉ କିଛି ନାହିଁ
ଥାନାରେ ଜିପ୍‌ଟିଏ ବି ନାହିଁ

ରାଉରକେଲା : ସ୍ମାର୍ଟସିଟି ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ସାଇବର ଅପରାଧ। ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ପଞ୍ଝାରେ ପକାଉଛନ୍ତି ସାଇବର ଠକମାନେ। ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ପୁଲିସ ଏମାନଙ୍କୁ ଠାବ କରିବା ତ ଦୂରର କଥା, ଟେର୍‌ ପାଉନି। ଜିଲ୍ଲାରେ ଏମିତି ଠକାମିରେ ଶିକାର ହେଉଛନ୍ତି ଶହ ଶହ ଲୋକ। କିଛି ଲୋକଲଜ୍ଜାରେ ଏତଲା ଦେଉ ନାହାନ୍ତି, ଯେଉଁମାନେ ବି ଲିଖିତ ଏତଲା ଦେଉଛନ୍ତି, କିଛି ସୁଫଳ ମିଳୁନି। ଠକାମିର ମୁଖ୍ୟ ତରିକା ହେଉଛି ‌ମୋବାଇଲ୍‌ ଟାୱାର ସ୍ଥାପନ ପାଇଁ ପ୍ରସ୍ତାବ,‌ ଫେସ୍‌ବୁକ୍‌, ଲଟେରୀ ଉଠାଣ ଓ ଏଟିଏମ୍‌ କାର୍ଡ ଯାଞ୍ଚର ଆଳ। ଏମିତି ଭାବେ ଠକମାନେ ବ୍ୟବସାୟୀ, ଅବସରପ୍ରାପ୍ତ କର୍ମଚାରୀ ଓ ସାଧାରଣ ଲୋକଙ୍କଠୁ ଗତ ଅଢ଼େଇ ବର୍ଷ ଭିତରେ ଠକିନେଲଣି ପ୍ରାୟ ୨ କୋଟିରୁ ଅଧିକ ଟଙ୍କା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାମୁତାବକ, ସୁନ୍ଦରଗଡ଼ ଜିଲ୍ଲା, ମୁଖ୍ୟତଃ ରାଉରକେଲାରେ ସକ୍ରିୟ ସାଇବର ଅପରାଧୀଙ୍କ ଗ୍ୟାଙ୍କରେ ୩- ୪ ଜଣ ପାଠୁଆ ଯୁବକ ଥାଆନ୍ତି। କିଙ୍ଗପିନ୍‌ ଇସାରାରେ ଏମାନେ କାମ କରୁଛନ୍ତି। ଏସବୁ ନେଟ୍‌ୱାର୍କର ଚେର ଲମ୍ବିଛି ଝାଡଖଣ୍ଡରୁ କଲିକତା, ବିହାରରୁ ଦିଲ୍ଲୀ। ସାଇବର ଅପରାଧକୁ ବନ୍ଦ କରିବାକୁ ରାଉରକେଲାରେ ରହିଛି ଏକ ସାଇବର ଥାନା। କିନ୍ତୁ ଗତ ୨୦୧୮ ଫେବ୍ରୁଆରି ମାସରେ ଉଦ୍‌ଘାଟିତ ହୋଇଥିବା ଏ ଥାନାରେ ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ କି ଆନୁଷଙ୍ଗିକ ବ୍ୟବସ୍ଥା। କେବଳ ୪ଟି କମ୍ପୁଟର ଅଛି। ୫ ଜଣ ଇନ୍ସପେକ୍ଟର ପଦବୀ ସ୍ଥାନରେ ଅଛନ୍ତି ମାତ୍ର ଦୁଇ ଜଣ। ୪ ଏସ୍‌ଆଇଙ୍କ ବଦଳରେ ଅଛନ୍ତି ମାତ୍ର ଜଣେ। ଅଛନ୍ତି ୩ କନଷ୍ଟବଲ। ଯେଉଁ ଦୁଇ ଜଣ ଇନ୍ସପେକ୍ଟର ଅଛନ୍ତି ସେମାନେ ଅବଶ୍ୟ ପ୍ରଶିକ୍ଷଣ ନେଇଛନ୍ତି, କିନ୍ତୁ ଅପରାଧୀକୁ ଠାବ କରିବାକୁ କୌଣସି ଅତ୍ୟାଧୁନିକ ବ୍ୟବସ୍ଥା ନାହିଁ। କେବଳ ଏତିକି ନୁହେଁ, ଏ ସାଇବର ଥାନାରେ ଜିପ୍‌ଟିଏ ବି ନାହିଁ। ଗାଡି ନଥିବାରୁ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ଏସବୁ ଦୃଷ୍ଟି କୋଣରୁ ଦିନକୁ ଦିନ ମାମଲା ବଢ଼ୁଛି। କିନ୍ତୁ ଗିରଫ ସଂଖ୍ୟା କମୁଛି। ନିର୍ଦ୍ଦିଷ୍ଟ ସମୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହେଇେ ପାରୁନାହିଁ। ରାଉରକେଲା ସାଇବର ଥାନାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଛୋଟ ମାମଲାକୁ ବାଦ୍‌ ଦେଇ ଗତ ୩୪ ମାସରେ ରୁଜୁ ହୋଇଛି ୩୮ଟି ମାମଲା। ଗିରଫ ହୋଇଛନ୍ତି ୨୬ ସାଇବର ଠକ। ଗତ ୨୦୧୮ରେ ଗିରଫ ସଂଖ୍ୟା ଥିଲା ୧୦ ।

୨୦୧୯ରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୯କୁ ଖସିଥିଲା। ୨୦୨୦ରେ ପୁଣି ବଢ଼ି ୧୯ରେ ପହଞ୍ଚିଛି। ୨୦୧୮ରେ ୧୦ ଲକ୍ଷ ଟଙ୍କାର ଲଟେରୀ ଠକେଇ ମାମଲା ରୁଜୁ ହୋଇଥିଲା। ଦୁଇ ବର୍ଷ ବିତିଯାଇଛି, କିନ୍ତୁ ଅପରାଧୀକୁ ଠାବ କରାଯାଇ ପାରିନି। ଗତ ୮ ନଭେମ୍ବର ୨୦୧୯ରେ ମୋବାଇଲ ଟାୱାର ଠକେଇ ମାମଲାର ପର୍ଦ୍ଦାଫାସ୍‌ ହୋଇଥିଲା। ଗିରଫ ହୋଇଥିଲେ ୫ ଯୁବକ, ୨ ମହିଳା। ୨୦୨୦ରେ ରୁଜୁ ହୋଇଥିବା ୧୯ଟି ମାମଲାରୁ ୫ରୁ ଅଧିକ ବଡ ଠକେଇ ହୋଇଥିଲା। ସେୟାର ବଜାର ପୁଞ୍ଜି ନିବେଶ ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଠକି ନେଇଥିଲେ ୧୫ ଲକ୍ଷ ୮୧ ହଜାର ଟଙ୍କା। ବ୍ୟବସାୟୀ ଜଣକ ସେୟାର ବଜାର ସଂସ୍ଥା ନକଲି ନଥିବା ଜାଣିବା ପରେ ରାଉରକେଲା ସାଇବର ଥାନାରେ ଲିଖିତ ଏତଲା ଦେଇଥିଲେ। ଯାହାର ଏବେ ତଦନ୍ତ ଚାଲିଛି। ସେହିପରି ନାଇଜେରିଆନ୍‌ ମହିଳା ଫେସ୍‌ବୁକ୍‌ରେ ବନ୍ଧୁତ୍ବ ସ୍ଥାପନ କରି ଜଣେ ଯୁବକଙ୍କ ଠାରୁ ଠକି ନେଇଥିଲେ ୮ ଲକ୍ଷ ୫୮ ହଜାର ୫୦୦ ଟଙ୍କା। ସେମିତି ସୁନ୍ଦରଗଡ ଜିଲ୍ଲାର ଜଣେ ଠକ ବନ୍ଧୁ, ସମ୍ପର୍କୀୟଙ୍କ ମୋବାଇଲ୍‌ରେ ପେ ଟିଏମ୍‌, ଗୁଗ୍‌ଲି ପେ୍‌, ଫୋନ୍‌ ପେ’‌ ଆଦି ଆପ୍‌ ଇନ୍‌ଷ୍ଟଲ୍‌ କରୁଥିଲେ। ସେହି ଆପ୍‌ ଜରିଆରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଠାରୁ ଟଙ୍କା ଠକି ନେଉଥିଲେ। ପରବର୍ତ୍ତୀ ସମୟରେ ମୋବାଇଲରୁ ଇନ୍‌ଷ୍ଟଲ୍‌ କରିଥିବା ଆପ୍‌କୁ ଡିଲିଟ୍‌ କରି ଦେଉଥିଲେ। ଏମିତିଭାବେ ପ୍ରାୟ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅପରାଧୀକୁ ପୁଲିସ ଖୋଜୁଛି। ଏତଦ୍‌ବ୍ୟତୀତ ଏଟିଏମ୍‌ କାର୍ଡ ଯାଞ୍ଚ ଆଳରେ ଠକେଇ ମାମଲା ମଧ୍ୟ ରହିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାବେଳେ ଅଧିକାଂଶ ଅପରାଧୀ ରାଜ୍ୟ ବାହାର ‌ହୋଇଥିବାରୁ ଚାର୍ଜସିଟ୍‌ ଦାଖଲରେ ବିଳମ୍ବ ହେଉଛନ୍ତି ବୋଲି ସାଇବର ଥାନାର ଜଣେ ଅଧିକାରୀ କହିଛନ୍ତି। ଏମିତି କାମଚଳା ଭାବେ ସାଇବର ଥାନା ଚାଲିଥିଲେ ମାମଲା ବଢ଼ୁଥିବ, ତଦନ୍ତ ପ୍ରକ୍ରିୟା ଗଡୁଥିବ। ଫଳ କିଛି ମିଳିବନାହିଁ।

ସମ୍ବନ୍ଧିତ ଖବର