ଜଳେଶ୍ବର: ଜଳେଶ୍ବର ଥାନା ଅଧୀନସ୍ଥ ରାଜଘାଟ ନାକା ପଏଣ୍ଟରେ ଆଜି ଏକ କାରରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଦେଢ଼ କୁଇଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ‌‌ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

Advertisment

ସୂଚନା ଅନୁସାରେ, ଓଆର ୦୨ ବିକ୍ୟୁ ୭୨୨୨ ନମ୍ବରର ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛକି ବସିଥିଲା ଜଳେଶ୍ବର ପୁଲିସ। ଦିନ ପ୍ରାୟ ଗୋଟାଏ ବେଳେ ରାଜଘାଟ ନାକା ପଏଣ୍ଟରେ ଗାଡ଼ିଟି ପହଞ୍ଚିଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୁଲିସ ଗାଡ଼ିଟିକୁ ଘେରି ଯାଇଥିଲେ। ଯାଞ୍ଚ ବେଳେ ଉକ୍ତ ଗାଡ଼ିରୁ ୭୫ଟି ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିବା କୁହାଯାଇଛି। ପ୍ରତି ପ୍ୟାକେଟରେ ପାଖାପାଖି ୨ କେଜି ଓଜନର ଗଞ୍ଜେଇ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣାରେ ଜଳେଶ୍ବର ଥାନା ପୁଲିସ ଗାଡ଼ି ଚାଳକଙ୍କ ସହ ଦୁଇଜଣଙ୍କୁ ଅଟକ ରଖିଛି। ସେପଟେ ଗଞ୍ଜେଇ ଭୁବନେଶ୍ୱରରୁ କୋଲକାତା ଚାଲାଣ ହେଉଥିବା ବେଳେ ଏହି କାରବାରର ମାଷ୍ଟରମାଇଣ୍ଡ କିଏ ତାକୁ ଧରିବାକୁ ତନାଘନା ଚଳାଇଛି ପୁଲିସ।