କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର: କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ଏଭଳି ଏକ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ବିଧାନସଭାରେ ଏ ନେଇ ମନ୍ତ୍ରୀ ଉତ୍ତର ରଖିବା ପରେ କାଳିଆ ଯୋଜନାର ଆଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାମ୍ନାକୁ ଆସିଛି । କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଜାଣିବାକୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହରେ ପ୍ରଶ୍ନ ପଚାରିଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବାରୁ ରାଜକୋଷରୁ କେତେ ଟଙ୍କା ଅଯଥାରେ ବରବାଦ ହୋଇଛି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଯୋଗୁ କେତେ ହିତାଧିକାରୀ ସହୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ଓ ଏସବୁ ଅନିୟମିତତା ପାଇଁ କେଉଁ ସବୁ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇଛି ସେ ନେଇ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ।

ଆଉ ଏହାର ଉତ୍ତର ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆ ଯୋଜନାରେ ଏବେ ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏହାଛଡ଼ା କୌଣସି ହିତାଧିକାରୀ ଯେପରି ଡିବିଟି ଜରିଆରେ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି । ଏହାପୂର୍ବରୁ ଅନେକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ୍ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର