ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ଗଡ଼ପୋଷ-ପିଣ୍ଡାପଥର ରାସ୍ତାରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୩୦ରେ ଜଣେ ବାଇକ୍ ଆରୋହୀଙ୍କଠାରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ନଗଦ ଲକ୍ଷେ ତିରିଶ ହଜାର ଟଙ୍କା, ସୁନାଚେନ୍ ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ପିଣ୍ଡାପଥର ପଞ୍ଚାୟତ ମହୁଲଛାପଲ ନିବାସୀ ପ୍ରକାଶ ଚନ୍ଦ୍ର ପଟେଲଙ୍କ ପୁଅ ଆଶିଷ ପଟେଲ(୩୪) ଏକ ଲୁନା (ଓଡ଼ି-୧୪ୟୁ-୨୧୬୫)ରେ ଗଡ଼ପୋଷ ପଞ୍ଚାୟତ ଘନସରା ଗ୍ରାମସ୍ଥିତ ତାଙ୍କ ଦୋକାନକୁ ଯାଉଥିଲେ। ସେଠାରେ ତାଙ୍କର ଏକ ତେଜରାତି ଦୋକାନ ସହ ବିଜନେସ୍ କରେସପଣ୍ଡେଣ୍ଟ ଶାଖା ରହିଛି। ଏହି କ୍ରମରେ ସେ ପିଣ୍ଡାପଥର ଗ୍ରାମରେ ମୁଢି ମିଲ୍ରୁ ଏକ ବସ୍ତା ମୁଢି କିଣି ଗ୍ରାମ ବାହାରେ ଥିବା ଏକ ନିର୍ମାଣାଧୀନ ପୋଲ ପାଖରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଜଗି ରହିଥିବା ଦୁଇ ବାଇକ୍ ଆରୋହୀ ତାଙ୍କୁ ଅଟକାଇ ବନ୍ଧୁକ ପଛପଟରେ ମୁଣ୍ଡକୁ ପିଟି ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ। କିଛି ସମୟ ପରେ ପଛପଟୁ ଏକ ଧଳା ରଙ୍ଗର ଆପାଚି ବାଇକ୍ରେ ଆଉ ଦୁଇଜଣ ଆସି ପୋଲରୁ ଆଗକୁ ଯାଇ ବାଇକ୍ ରଖି ଆଶିଷଙ୍କ ପାଖକୁ ଦୌଡ଼ି ଆସି ତାଙ୍କ ବେକରୁ ସୁନା ଚେନ୍ ଓ ମୋବାଇଲ୍ ଲୁଟି ନେଇଥିଲେ।
ପୂର୍ବରୁ ଜଗି ରହିଥିବା ଯୁବକ ହିନ୍ଦୀରେ କଥା ହେଉଥିବାବେଳେ ପରେ ଆସିଥିବା ଯୁବକ ଅନ୍ୟ ଭାଷାରେ କଥା ହେଉଥିଲେ।ବ୍ୟାଗ୍ରେ ନଗଦ ଲକ୍ଷେ ତିରିଶ ହଜାର ଟଙ୍କା ଥିଲା। ଆପାଚି ଆରୋହୀ ଦ୍ଵୟ ଗଡ଼ପୋଷ ଦିଗରେ ଯାଇଥିବା ବେଳେ ଅନ୍ୟ ଦୁଇ ଆରୋହୀ ପିଣ୍ଡାପଥର ଦିଗରେ ପଳାଇଥିଲେ। ସେହି ବାଟ ଦେଇ ଆସୁଥିବା ବ୍ୟକ୍ତିଙ୍କଠାରୁ ମୋବାଇଲ ନେଇ ଆଶିଷ ପ୍ରଥମେ ତାଙ୍କ ସାନ ଭାଇକୁ ସୂଚନା ଦେଇଥିଲେ।
ଖବରପାଇ କୁଚିଣ୍ଡା ଉପଖଣ୍ଡସ୍ତରୀୟ ଥାନା ଅଧିକାରୀ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନା ଏସଆଇ ଟି କେର୍କେଟା ଓ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି। ଲୁଟ ହୋଇଥିବା ସୁନାଚେନର ଗୋଟିଏ ଅଂଶ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ଏହି ମାମଲାରେ ଗୋବିନ୍ଦପୁର ଥାନା କେସ୍ ନମ୍ବର ୧୭୭/୨୦ରେ ଧାରା ୩୯୪, ୩୯୭ ଆଇପିସି- ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି। ବ୍ୟସ୍ତବହୁଳ ରାସ୍ତାରୁ ହୋଇଥିବା ଏହି ଲୁଟ ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/loot-with-gun-22_thumb.jpg)