ବାଲେଶ୍ବର : ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥ‌ରକେ କୋଟି କୋଟି ଟଙ୍କାର ରୋଜଗାର। ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇ ଦେଉଥିବା ଏହି ଔଷଧୀୟ ମାଛ ହେଉଛି ଶିଳା ମାଛ। ବାଲେଶ୍ବର ଓ ପଶ୍ଚିମବଙ୍ଗ ଉପକୂଳରୁ ମିଳୁଥିବା ତେଲିଆ ପ୍ରଜାତିର ଏହି ମାଛ ଦାମ୍‌ ଅମୂଲ ମୂଲ। ଗତକାଲି ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ୧୨୧ଟି ଶିଳାମାଛ ବିକ୍ରି ହୋଇଛି ଅଢ଼େଇ କୋଟିରେ। ଗତ ଅକ୍ଟୋବର ମାସରେ ଦୀଘା ମୁହାଣରେ ୧ କୋଟି ଟଙ୍କାରେ ୩୩ଟି ଶିଳା ମାଛ ବିକ୍ରି ହୋଇଥିଲା। ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ବଳରାମଗଡ଼ି, ଗୋପାଳପୁର ଓ ଭଦ୍ରକ ଧାମରା ଅଞ୍ଚଳରୁ ମଧ୍ୟ ଏହି ପ୍ରଜା‌ତିର ମୂଲ୍ୟବାନ୍‌ ମାଛ ମିଳୁଛନ୍ତି। ଗଲା ଦୁଇ ବର୍ଷ ଭିତରେ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଶିଳାମାଛ ବିକ୍ରି ହୋଇଥିବା ଜଣାପଡ଼ିଛି।

Advertisment

ଶିଳା ମାଛ କେଜି ପିଛା ୬ରୁ ୭ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ବିଭିନ୍ନ ଔଷଧ ପ୍ରସ୍ତୁତକାରୀ ସଂସ୍ଥା (ଫାର୍ମା କମ୍ପାନି), ଫୁଡ୍‌ ଓ କସ୍‌ମେଟିକ୍‌ କମ୍ପାନି ଏହି ମାଛକୁ କିଣି ନେଇଥାନ୍ତି। ଏହି ମାଛଟି ଅତ୍ୟନ୍ତ ତେଲିଆ ହୋଇଥିବା ବେଳେ ଏହାର ଚର୍ବି ସବୁଠୁ ମୂଲ୍ୟବାନ୍‌। କ୍ୟାନ୍‌ସର ରୋଗର ଚିକିତ୍ସାଠୁ ଆରମ୍ଭ କରି, ଅପରେସନ୍‌ରେ ବ୍ୟବହାର ହେଉଥିବା ସୂତା, ଔଷଧ କ୍ୟାପ୍‌ସୁଲର ଖୋଳ, ଏମିତିକି ମଦ ପ୍ରସ୍ତୁତିରେ ଏହି ମାଛର ଅଂଶବିଶେଷକୁ ବ୍ୟବହାର କରାଯାଇଥାଏ। ଏହାଛଡ଼ା ଖାଦ୍ୟ ରୂପେ ମଧ୍ୟ ଏହି ମାଛର ଚାହିଦା ରହିଛି।

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରୁ ଏହି ମାଛ ଇଣ୍ଡୋନେସିଆ, ଚୀନ, ହଂକଂ, ସିଙ୍ଗାପୁର, ମାଲେସିଆ, ଜାପାନ୍‌ ଆଦି ଦେଶକୁ ରପ୍ତାନି ହେଉଛି। ଏହି ମାଛକୁ କିଣିବା ପାଇଁ ବିଭିନ୍ନ କମ୍ପାନିର ଏଜେଣ୍ଟ ରହିଥିବା ବେଳେ ସେମାନଙ୍କୁ କମ୍ପାନି ପକ୍ଷରୁ ଟାର୍ଗେଟ୍‌ ମଧ୍ୟ ଦିଆଯାଇଥାଏ। ଏମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବିଭିନ୍ନ ଟ୍ରଲର୍‌ ମାଲିକଙ୍କ ସହ ବରାବର ଯୋଗାଯୋଗ‌ରେ ରହିଥାନ୍ତି। ମାଛ ପଡ଼ିବା ଜାଣିବା ମାତ୍ରେ ମତ୍ସ୍ୟଜୀବୀଙ୍କଠାରୁ ଏହି ମାଛକୁ ନିଲାମ କରି କମ୍ପାନିକୁ ପଠାଇଥାନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ୩ ଶହରୁ ଅଧିକ ଏଜେଣ୍ଟ ନିଯୁକ୍ତ ହୋଇଥିବା ମୁମ୍ବାଇର ଏକ ପ୍ରତିଷ୍ଠିତ ଔଷଧ କମ୍ପାନିର ଜଣେ ଅଧିକାରୀ କହିଛନ୍ତି।

ବଙ୍ଗୋପସାଗର ସହିତ ଆରବ ସାଗରରେ ବି ଏହି ମାଛ ଦେଖାଯାଇଥାନ୍ତି। କୁହୁଡ଼ି ଯେତେ ଅଧିକ ହୋଇଥାଏ ଶିଳାମାଛ ଆସି ଜାଲରେ ଲାଗିଥାନ୍ତି। କାରଣ ଥଣ୍ଡା ପଡ଼ିଲେ, ଏମାନେ ଦଳଦଳ ହୋଇ ଇଆଡ଼େ ସିଆଡେ ବୁଲିଥାନ୍ତି। ଗୋଟିଏ ଗୋଟିଏ ଦଳରେ ଶତାଧିକ ମ‌ାଛ ରହିଥାନ୍ତି। ଏହାଛଡ଼ା ସମୟ ସମୟରେ ଛୋଟ ଛୋଟ ମାଛକୁ ଖାଇବା ଲାଗି ଏମାନେ ସମୁଦ୍ର ମୁହାଣକୁ ପଳାଇଆସିଥାନ୍ତି। ତେବେ ଏହି ମାଛଙ୍କ ବେଗ ଅତି କ୍ଷୀପ୍ର ହୋଇଥିବାରୁ ଦଳରେ ଥିବା ସବୁ ମାଛଙ୍କୁ ଧରିବା ସମ୍ଭବ ହୁଏନାହିଁ ବୋଲି ଟ୍ରଲର ମାଲିକ ନଗେନ୍ଦ୍ର ବିହାରୀ ଦାସ, ଦୀଘା ଫିସରମ୍ୟାନ୍‌ ଏଣ୍ଡ୍‌ ଫିସ୍‌ ଟ୍ରେଡର ଆସୋସିଏସନ୍‌ର ସଂପାଦକ ଶ୍ୟାମସୁନ୍ଦର ଦାସ ଓ ସଂଜୟ ଦାସ କହିଛନ୍ତି।