ନକ୍ସଲ ହିଂସାରେ ମୃତାହତ ସୁରକ୍ଷାକର୍ମୀଙ୍କୁ ମିଳିବ ଅଧିକ ୧୦ ଲକ୍ଷ ଟଙ୍କାର ସହାୟତା

ଅର୍ଥ ବିଭାଗ ପକ୍ଷରୁ ସଂକଳ୍ପ ଜାରି

ଭୁବନେଶ୍ୱର : ଏଣିକି ନକ୍ସଲ ହିଂସାରେ ପୁଲିସ, ସୁରକ୍ଷାକର୍ମୀ, ବନ କର୍ମଚାରୀ, ହୋମ୍‌ଗାର୍ଡ଼, ଗ୍ରାମରକ୍ଷୀ ଓ ସ୍ବତନ୍ତ୍ର ପୁଲିସଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ମୃତାହତ ହେଲେ, ସେମାନଙ୍କ ପରିବାରକୁ ଅଧିକ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଏ ନେଇ ଆଜି ଅର୍ଥ ବିଭାଗ ପକ୍ଷରୁ ସଂକଳ୍ପ ଜାରି ହୋଇଛି। ଏଥିପାଇଁ ଓଡ଼ିଶା ସିଭିଲ୍‌ ସର୍ଭିସ (କମ୍ପାସନେଟ୍‌ ଗ୍ରାଣ୍ଟ୍‌) ରୁଲ୍‌ସ୍‌ ୧୯୬୪ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି। ‌ତେବେ ନକ୍ସଲ ହିଂସାର ଶିକାର ସମ୍ପୃକ୍ତ କର୍ମଚାରୀଙ୍କୁ ବିଭାଗ ପୂର୍ବରୁ ମିଳୁଥିବା ବୀମା କ୍ଷତିପୂରଣ ଆଉ ମିଳିବ ନାହିଁ।

ସଂକଳ୍ପ ଅନୁୟାୟୀ, ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଓ ଅନ୍ୟ ସରକାରୀ କର୍ମଚାରୀମାନେ ନକ୍ସଲ ହିଂସାର ଶିକାର ହେଲେ ଅର୍ଥ ବିଭାଗ ପକ୍ଷରୁ ଜାରି ୨୦୦୧, ୨୦୦୩, ୨୦୦୪, ୨୦୦୮,୨୦୦୯ ଓ ୨୦୧୭ ଅନୁଯାୟୀ ଯାହା ସୁବିଧା ପାଉଥିଲେ ସେସବୁ ଅପରିବର୍ତ୍ତିତ ରହିଛି। କେବଳ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୃଦ୍ଧି ନେଇ ଓଡ଼ିଶା ସିଭିଲ୍‌ ସର୍ଭିସ (କମ୍ପାସନେଟ୍‌ ଗ୍ରାଣ୍ଟ) ରୁଲ୍‌ସ୍‌ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ନିୟମ ଓଡ଼ିଶା ଗେଜେଟି ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଲାଗୁ ହେବ ବୋଲି ଅର୍ଥ ବିଭାଗ ଜଣାଇଛି।

ଉଲ୍ଲେଖ‌ଯୋଗ୍ୟ ଯେ ପୂର୍ବରୁ ଗ୍ରାମରକ୍ଷୀ ଓ ହୋମଗାର୍ଡ଼ମାନେ ନକ୍ସଲ ହିଂସାରେ ମୃ୍ତାହତ ହେଲେ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମିଳୁଥିଲା। ସେହିପରି କନେଷ୍ଟବଳ, ଏଏସ୍‌ଆଇ ଓ ଏସ୍‌ଆଇ ରୢାଙ୍କ୍‌ର ଅଧିକାରୀଙ୍କ ପାଇଁ ୧୬ ଲକ୍ଷ, ଇନ୍‌ସପେକ୍ଟର ଓ ତଦୁର୍ଦ୍ଧ ରୢାଙ୍କ୍‌ର ଅଧିକାରୀଙ୍କ ପାଇଁ ଏହି ଅନୁକମ୍ପାମୂଳକ ରାଶି ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ନୂଆ ନିଷ୍ପତ୍ତି ଅନୁଯାୟୀ ଏହି ସମସ୍ତ ବର୍ଗର ସୁରକ୍ଷାକର୍ମୀ ଓ ଅଧିକାରୀମାନେ ପୂର୍ବ ରାଶି ସହିତ ଅଧିକ ଆଉ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତ‌ା ପାଇବେ।

ସମ୍ବନ୍ଧିତ ଖବର