ରାଜ୍ୟରେ କରୋନା ମୁକାବିଲା : କିଣା ହୋଇଛି ୫୭ କୋଟିରୁ ଅଧିକ ପିପିଇ କିଟ୍

ଭେଣ୍ଟିଲେଟର କିଣା ପାଇଁ ଖର୍ଚ ହେଉଛି ୧୩ କୋଟି
ଯନ୍ତ୍ରପାତି ଓ ଅନ୍ୟାନ୍ୟ ଜିନିଷ ପାଇଁ ଔଷଧ ନିଗମକୁ ୨୫୦ କୋଟିର ସହାୟତା

ଭୁବନେଶ୍ବର : କରୋନା କାଳରେ ରାଜ୍ୟରେ ମାସ୍କ ଓ ପିପିଇ କିଟ୍‌ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ନେଇ ହଟଚମଟ ହେବା ପରେ ମାମଲା ଲୋକାୟୁକ୍ତରେ ପହଞ୍ଚିଛି। ଭିଜିଲାନ୍‌ସ ଏ ସଂପର୍କିତ ପ୍ରାଥମିକ ରିପୋର୍ଟ ପ୍ରଦାନ କରି ସାରିଲାଣି। ଏ ସମୟରେ ରାଜ୍ୟରେ କେତେ ଟଙ୍କାର ପିପିଇ କିଟ୍ କିଣା ଯାଇଥିବା ସେସଂପର୍କରେ ସୂଚନା ମିଳିଛି। ସୂଚନା ଅଧିକାର ଆଇନ ବଳରେ ରାଜ୍ୟରେ ୨୦୨୦/୨୧ ଆର୍ଥିକ ବର୍ଷରେ କରୋନା ପାଇଁ ମୋଟ ୫୭କୋଟି ୪୪ଲକ୍ଷ ୨୮ହଜାର ୨୦୭ ଟଙ୍କାର ପିପିଇ କିଟ୍ କିଣା ଯାଇଥିବା ଜଣାପଡ଼ିଛି। ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବା ଏସ୍‌ଡିଆରଏଫ୍‌ରୁ ଏହାକୁ କିଣା ଯାଇଥିବା କୁହାଯାଇଛି। କେବଳ ପିପିଇ କିଟ୍ ନୁହେଁ, କୋଭିଡ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଲାବୋରେଟାରି ଖର୍ଚକୁ ମିଶାଇ ମୋଟ ୨ଶହ କୋଟି ଟଙ୍କା ଖର୍ଚ କରିଛି ରାଜ୍ୟ ଔଷଧ ନିଗମ। ନିଗମକୁ କୋଭିଡ୍‌ ମୁକାବିଲା ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ତହିଁରୁ ପ୍ରାୟ ୫୧ କୋଟି ଟଙ୍କା ବଳି ପଡ଼ିଛି।

ଗତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବା ପରେ କୋଭିଡ ପରୀକ୍ଷା ପାଇଁ ଆବଶ୍ୟକ ଲାବୋରେଟାରି ପ୍ରତିଷ୍ଠା, ଯନ୍ତ୍ରପାତି, ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ମାସ୍କ, ପିପିଇ କିଟ୍ କିଣା ଯାଇଥିଲା। ତେବେ ମାସ୍କ ଓ ପିପିଇ କିଟ୍‌ ପାଇଁ ଧାର୍ଯ୍ୟ ମୂଲ୍ୟଠାରୁ ଢେର ଅଧିକ ଟଙ୍କାରେ ଏହାକୁ କିଣା ଯାଇଥିବା ନେଇ ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସୂଚନା ଅଧିକାର ଆଇନ ବଳ‌ରେ ଏହା ସଂପର୍କରେ ସୂଚନା ମିଳିଛି। ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଜରୁରୀ ଥିବା ବେଳେ ସରକାରୀ କୋଭିଡ ବ୍ୟବସ୍ଥା ପାଇଁ ପ୍ରାୟ ୧୩ କୋଟି ଟଙ୍କାର ଭେଣ୍ଟିଲେଟର କିଣାଯାଇଛି। ଯନ୍ତ୍ରପାତି ଓ ଲାବୋରେଟାରି ପାଇଁ ୧୭୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ତହିଁରୁ ୪ଟି ପର୍ଯ୍ୟାୟରେ ଏହି ଟଙ୍କା ଖର୍ଚ କରାଯାଇଛି।

ସେହିପରି ରାଷ୍ଟ୍ରୀୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବା ଆରକେଏସ୍‌କେରେ ୨୦୨୯ ଓ ୨୦୨୦ ବର୍ଷରେ ୬ କୋଟି ୮୭ଲକ୍ଷ ୪୦ହଜାର ୩୪୪ ଟଙ୍କାର ସାନିଟାରି ନାପକିନ୍ କିଣାଯାଇଛି। ରାଜ୍ୟ ସରକାର ସ୍କୁଲମାନଙ୍କରେ କିଶୋରୀମାନଙ୍କ ସ୍ବାସ୍ଥ୍ୟ ପରିଚ୍ଛନ୍ନତା ପାଇଁ ମାଗଣାରେ ସାନିଟାରି ନାପକିନ୍ ଯୋଗାଉଛନ୍ତି। ଦୁଇ ବର୍ଷରେ ଔଷଧ ନିଗମକୁ ୧୧କୋଟି ୫୨ଲକ୍ଷ ୪୩ହଜାର ୪୭୪ ଟଙ୍କାର ଅନୁଦାନ ମିଳିଥିବା ବେଳେ ୨ଲକ୍ଷ ୩୯ହଜାର ୭୧ହଜାର ୫୦୫ ଟଙ୍କା ବଳକା ରହିଛି।

ରାଜ୍ୟ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଔଷଧ ନିଗମକୁ ଯେଉଁ ତଥ୍ୟ ମଗା ଯାଇଥିଲା ତାହାର ଅଧିକାଂଶ ତଥ୍ୟ ନିଗମ ପକ୍ଷରୁ ଦିଆଯାଇଥିଲା। ରାଜ୍ୟରେ କୋଭିଡ ମୁକାବିଲାରେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ‌କଥା ରାଜ୍ୟ ସରକାର କହୁଥିବା ବେଳେ ସୂଚନାଧିକାର ଆଇନରେ ମଧ୍ୟ ଅସଂପୂର୍ଣ୍ଣ ତଥ୍ୟ ଦେଉଛନ୍ତି। ଯେହେତୁ ରାଜ୍ୟ ସରକାରଙ୍କ ତଥ୍ୟ ପ୍ରଦାନରେ ସ୍ବଚ୍ଛତା ଅବଲମ୍ବନ କରୁ ନାହାନ୍ତି ତେଣୁ ଦୁର୍ନୀତି ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ଏହା ପ୍ରମାଣିତ ହେଉଥିବା ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର