ରେଢ଼ାଖୋଲ : ନିଜକୁ ବ୍ୟାଙ୍କ କର୍ମଚାରୀ କହି ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇ ଦେବା ଛଳନା କରି ବ୍ୟାଙ୍କ ଆକାଉଣ୍ଟରେ ଚଳୁ ବୁଲାଉଥିବା ଜଣେ ଚତୁର ଠକକୁ ପୁଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଚାରମାଳ ଥାନା ଭରତାପୁର ପଞ୍ଚାୟତରେ। ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅର୍ନ୍ତଗତ ବ୍ରାହ୍ମଣୀପାଲି ଗ୍ରାମର ଆଶିଷ ପ୍ରଧାନ (୨୫)।
ଚାରମାଳ ଥାନା ଭରତାପୁର ଗ୍ରାମର ସୁଷମା ଧଳଙ୍କ ଅଭିଯୋଗ ଅନୁଯାୟୀ ଗତ ୬ ତାରିଖରେ ଆଶିଷ ଗ୍ରାମକୁ ଆସି ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ପରେ ସେ ସୁଷମାଙ୍କ ସମେତ ଅନ୍ୟ ମହିଳାଙ୍କୁ ତାଙ୍କର ବିଡିକାର୍ଡ, ଆଧାର କାର୍ଡ, ଇ-ଶ୍ରମ କାର୍ଡ, କୃଷି କାର୍ଡ ଦେଖାଇବାକୁ କହିଥିଲେ। ସରଳ ବିଶ୍ବାସୀ ମହିଳାମାନେ ଗୋଟି ଗୋଟି କରି ସମସ୍ତ ତଥ୍ୟ ତାଙ୍କୁ ଦେଖାଇଥିଲେ। ସେ ତାଙ୍କର କୃଷି କାର୍ଡକୁ ବିଡି ଶ୍ରମିକ କାର୍ଡରେ ପରିବର୍ତ୍ତନ କରିଦେବାକୁ କହିଥିଲା। ଫଳରେ ମହିଳାଙ୍କ ଆକାଉଣ୍ଟକୁ ପାଞ୍ଚ ହଜାର ଟଙ୍କା ଆସିବ ବୋଲି ପ୍ରଲୋଭିତ କରିଥିଲା। ମହିଳାମାନେ ପ୍ରଲୋଭନର ଶିକାର ହୋଇ ଫିଙ୍ଗର୍ ପ୍ରିଣ୍ଟ ସ୍କାନର୍ରେ ସ୍କାନ୍ କରିଥିଲେ। ପରେ ଆଶିଷ ମହିଳାମାନଙ୍କୁ କାମ ହୋଇଗଲା ବୋଲି କହିବା ସହିତ ଟଙ୍କା ଆକାଉଣ୍ଟ୍କୁ ଆସିଯିବ ବୋଲି କହିଥିଲା। ତେବେ ତାଙ୍କ କଥାକୁ ସନ୍ଦେହ କରି କିଛି ମହିଳା ୮ ତାରିଖ ଦିନ ବ୍ୟାଙ୍କକୁ ଯାଇଥିଲେ। ଆକାଉଣ୍ଟ ଯାଞ୍ଚ କରିବାରୁ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଟଙ୍କା ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିଲା।
ସୁଷମାଙ୍କଠାରୁ ୩,୦୦୦, ସାନ ସେଠୀଙ୍କଠାରୁ ୮,୦୦୦ ହଜାର, ଗୁରୁବାରୀ ଘିବାଲାଙ୍କ ଆକାଉଣ୍ଟ୍ରୁ ୬,୦୦୦ ହଜାର ଟଙ୍କା ଆଧାର କାର୍ଡ ନମ୍ବର ଲିଙ୍କ କରି ଉଠାଣ ହୋଇଥିବା ଜଣାପଡ଼ିଥିଲା। ପରେ ସୁଷମା ଏ ବାବଦରେ ଚାରମାଳ ଥାନାରେ ଅଭିଯୋଗ କରିଥିଲେ। ଆଶିଷ ଏହି ଥାନା ଅଞ୍ଚଳର ଭରତାପୁର ସମେତ ଭତରା, ବଡଖୋଲ ଓ ରେଢ଼ାଖୋଲ ଥାନା ଅର୍ନ୍ତଗତ ରତ୍ନାବଡ଼ମାଳ ଅଞ୍ଚଳର ପ୍ରାୟ ୮ ମହିଳାଙ୍କ ଆକାଉଣ୍ଟ୍ରୁ ୬୦ ହଜାର ଟଙ୍କା ଠକି ନେଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୧୬୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଆଶିଷ ଶ୍ବଶୁର ଘର ରେଢ଼ାଖୋଲ ଥାନା ଅର୍ନ୍ତଗତ ଘୋଷରାମାଳରେ ଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ସୋମବାର ତାକୁ କୋର୍ଟ ଚାଲାଣ କରାଯାଇଛି। ତା’ଠାରୁ ନଗଦ ୫,୨୦୦ ଟଙ୍କା, ମୋବାଇଲ୍ ଫୋନ୍, ଫିଙ୍ଗର ସ୍କାନର୍, ରେଜିଷ୍ଟାର, ଏଟିଏମ କାର୍ଡ ଜବତ ହେଇଛି। ବାକି ଟଙ୍କା ଅଭିଯୁକ୍ତ ଖର୍ଚ୍ଚ କରି ଦେଇଥିବା କହିଛି। ଆଶିଷ ମାଟ୍ରିକ୍ ଫେଲ୍ ହୋଇଥିବା ବେଳେ ନିଜକୁ ବ୍ୟାଙ୍କ ଅଧିକାରୀ କହି ଏପରି ଠକେଇ କରୁଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।