ପୁରୀ ସହିତ ବାଜପେୟୀଙ୍କ ସମ୍ପର୍କ ଥିଲା ଅତି ନିବିଡ଼

ପୁରୀ : ମହାନ୍‌ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁରୀ ସହିତ ସଂପର୍କ ଅତି ନିବିଡ। ବାଜପେୟୀ ଥରେ ନୁହେଁ, ଏକାଧିକ ଥର ପୁରୀ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଥିବା ବେଳେ ବାଜପେୟୀ ୧୯୯୮ ମସିହା ଏପ୍ରିଲ ୧୭ ତାରିଖରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସିଂହଦ୍ୱାରରେ ତାଙ୍କୁ ସ୍ୱାଗତ ପାଇଁ ତତ୍କାଳନୀ ଜିଲ୍ଲାପାଳ ନିତିନ ଚନ୍ଦ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀ ପ୍ରତୀକ୍ଷା କରିଥିଲେ। ମାତ୍ର ଜନତାର ନେତା ଶ୍ରୀ ବାଜପେୟୀ କିନ୍ତୁ ତାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇନଥିଲେ। ପ୍ରୋଟକଲ୍‌ ଭାଙ୍ଗି ବଡଦାଣ୍ଡରେ ଲୋକଙ୍କ ସହିତ ମିଶିଯାଇଥିଲେ। ରାଜ ନଅର ନିକଟରେ ଓହ୍ଲାଇ ପଡି ଚାଲିଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଏବେ ବି ପ୍ରତ୍ୟକ୍ଷଦର୍ଶୀ ଏ କଥା ମନେ ରଖିଛନ୍ତି। ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବଙ୍କ ସୂଚନା ଅନୁଯାୟୀ, ବାଜପେୟୀ ଏକାଧିକ ଥର ପୁରୀ ଆସିଛନ୍ତି। ମନ୍ଦିରରେ ଅବଢା ଖାଇଛନ୍ତି। ବାଜପେୟୀଙ୍କୁ ସେ କୋଣାର୍କ ମନ୍ଦିର ବୁଲାଇବାକୁ ନେଇଥିଲେ। କୋଣାର୍କ ଗସ୍ତ ସମୟରେ ଚନ୍ଦ୍ରଭାଗା ବେଳାଭୂମିରେ ଭୋର ୪ଟାରୁ ଧ୍ୟାନରେ ବସିଥିଲେ ବାଜପେୟୀ। ସୂର୍ଯ୍ୟୋଦୟ ଦେଖି ଭାବବିହ୍ଵଳ ହୋଇ ପଡିଥିଲେ ଏବଂ କହିଥିଲେ ସତରେ ଏ ମାଟି ତପର ମାଟି। ଖାଲି ସେତିକି ନୁହେଁ, ସୂର୍ଯ୍ୟ ମନ୍ଦିର ଦର୍ଶନ ସମୟରେ ବାଜପେୟୀ ଏକୁଟିଆ ପଇଡ ପିଇନଥିଲେ, ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ପଇଡ ପିଆଇବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ମନ୍ଦିର ସାମ୍ନାରେ ଥିବା ସମସ୍ତ ପଇଡ ଦୋକାନରୁ ପଇଡ ସରିଯାଇଥିଲା ବୋଲି ଶ୍ରୀ ଜଗଦେବ ତାଙ୍କର ସ୍ମୃତିଚାରଣ କରି କହିଛନ୍ତି।

ସମ୍ବନ୍ଧିତ ଖବର