ଦଶରଥପୁର : ସାଧାରଣଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନାର ସଠିକ୍‌ ରୂପାୟନ ହୋଇପାରୁନାହିଁ। ଏଭଳି ଦୃଶ୍ୟ ଦଶରଥପୁର ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଗ୍ରୀଷ୍ମ ଋତୁ ପାଇଁ ସରକାର ଅଚଳ ପ୍ରକଳ୍ପକୁ ସଚଳ କରିବା ଏବଂ ଆବଶ୍ୟକସ୍ଥଳେ ନୂତନ ନଳକୂଅ ଖନନ କରିବାକୁ ନିର୍ଦେଶ ଦେଉଛନ୍ତି। ମାତ୍ର ବାସ୍ତବ ଚିତ୍ର ଅଲଗା। ବ୍ଲକ୍‌ର ରଡ଼ଙ୍ଗା ସ୍କୁଲ, ମଲ୍ଲିପୁର ଛକ, ନାରିଗାଁ, ହରିହରପୁର, ଖାନନଗର, ନଚ୍ଛିନ୍ଦ୍ରପୁର, ଅର୍ଦ୍ଦାଉଳିଆ ଆୟୁରବେଦିକ ମେଡିକାଲ, ଦୁଦୁରାଅଣ୍ଟା, କନିକାପଡ଼ା, ନାଗାପାଟଣା, ମଧୁପୁର, ଦିହୁଡ଼ିସାହି, ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ରାସ୍ତା, ମଙ୍ଗଳପୁର, ଦତ୍ତପୁର, କମାରଡିହି, କଟିକଟା, ହଳଦିଡିହ, ବିନ୍ଧାନନ୍ଦିପୁର, ସାଠିବାଟି, ଚାଉଳିଆ, ଚାଉଳିଆ ସ୍କୁଲ, ମହାନ୍ତିପାଟଣା ସ୍କୁଲ, ଥାଲକୁଡ଼ି, ବିରିପଟା, ଚଷାଖଣ୍ଡ, ଅସନପୁର, ବିହାରି, ରାହାସୋଇ, ଜୟନ୍ତରା, ଦଶରଥପୁର, ତରପଦା, କଷପା, ଛଚିଣା, ଗୋପାଳପୁର, ଡାହାଣହତା, ଚିତାଳୋ, ଅକରପଡ଼ା, ଖଣ୍ଡରା, ବିରଜାପୁର, ଜାଫରପୁର, ତଳିହା, ରାମବାଗ ପୋଷ୍ଟ ଅଫିସ ରୋଡ, ସାଧୁଗୌରେଶ୍ୱର ମହାବିଦ୍ୟାଳୟ ପ୍ରଭୃତି ସ୍ଥାନରେ ଶତାଧିକ ନଳକୂଅ ଅଚଳ ହୋଇପଡ଼ିଛି।

Advertisment

ଅନ୍ୟପକ୍ଷରେ ପାଲଟପୁର ପଞ୍ଚାୟତ ନୀଳକଣ୍ଠପୁର ଠାରେ ଖରାଦିନେ ପାଣି ହଳଦିଆ ହୋଇଯାଉଥିବାରୁ ଏହି ପାଣି ପିଇ ଲୋକମାନେ ରୋଗରେ ପଡ଼ୁଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ସ୍ୱଜଳ ଧାରାରେ ନିର୍ମିତ ଟ୍ୟାପ ଗୁଡ଼ିକରେ କ୍ୟାପ ଲଗାନଯିବାରୁ ପାଣି ନଷ୍ଟ ହେଉଛି। ଅନ୍ୟ କେଉଁଠି ଭଙ୍ଗା ଷ୍ଟାଣ୍ଡପୋଷ୍ଟ୍‌ ଓ ଟ୍ୟାପ ମରାମତି କରାଯାଉନାହିଁ। ନଳକୂଅ ମରାମତି ନାଁରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କେବଳ କାଁଭାଁ ମରାମତି କରାଯାଇ ମିଥ୍ୟା କାଗଜପତ୍ରରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଓ ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।