ଅନୁଗୁଳ: ସ୍ବାମୀ ସରକାରୀ ଚାକିରିଆ, କିନ୍ତୁ ପତ୍ନୀ ଉଠାଉଥିଲେ ସୁଭଦ୍ରା ଟଙ୍କା। କିଛି ମହିଳା ୪ଚକିଆ ଗାଡ଼ି ରଖି ସୁଭଦ୍ରା ଟଙ୍କା ହାତେଇବାରେ ଲାଗିଥିଲେ। ସୁଭଦ୍ରା ଧରପଗଡ଼ ଆରମ୍ଭ ହେବା ପରେ ଏମିତି ତଥ୍ୟ ସାମନାକୁ ଆସିଛି। ଏସବୁ ହିତାଧିକାରୀଙ୍କୁ ଏବେ ସୁଭଦ୍ରା ତାଲିକାରୁ ବାଦ୍ ଦିଆଯାଉଛି। ଫଳରେ ପ୍ରଥମ ଦଫା ପାଇଥିବା ପାଖାପାଖି ୨୦ ହଜାର ମହିଳା ତୃତୀୟ କିସ୍ତିରୁ ବାଦ୍ ପଡ଼ିଛନ୍ତି। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଆହୁରି ଅନେକ ହିତାଧିକାରୀ ତାଲିକାରୁ କଟିବା ଥୟ। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ମହିଳାମାନେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଉଥିଲେ। କିନ୍ତୁ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଆରମ୍ଭରୁ କୁହାଯାଇଥିବାରୁ ବହୁ ମହିଳା ଆବେଦନ କରିଥିଲେ।
ଏଥି ପାଇଁ ଆସିଥିବା ସରକାରୀ ଗାଇଡ୍ଲାଇନ୍କୁ ଉପଯୁକ୍ତ ଭାବେ ଧ୍ୟାନ ନ ଦେଇ ଅଧିକାରୀମାନେ ଅଧିକାଂଶ ଆବେଦନକୁ ମଞ୍ଜୁର କରି ଦେଇଥିଲେ। କେବଳ ବ୍ୟାଙ୍କ ଖାତା ନେଇ ସମସ୍ୟା ଥିବା କିଛି ମହିଳା ସୁଭଦ୍ରା ଟଙ୍କାରୁ ବଞ୍ଚିତ ହୋଇଥିଲେ। ଏମିତି ଆରମ୍ଭରୁ ଅନୁଗୁଳ ଜିଲ୍ଲାରେ ୩, ୨୩,୬୫୭ ଜଣ ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିବା ଜଣାପଡ଼ିଛି। କିନ୍ତୁ ୩, ୦୬, ୮୯୯ ଜଣ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ମିଳିଥିଲା। ଏହା ପରେ ଯାଞ୍ଚ ହେବାରୁ ପ୍ରାୟ ୫ ହଜାର ହିତାଧିକାରୀ ବାଦ୍ ପଡ଼ିଥିଲେ। ଦ୍ବିତୀୟ କିସ୍ତି ପାଇଥିଲେ ୩, ୦୧,୯୨୮ ମହିଳା। ଦ୍ବିତୀୟ କିସ୍ତି ପରେ ହିଁ ସରକାର ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଥିଲେ। ବହୁ ଅଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଉଥିବା ଜଣାପଡ଼ିବା ପରେ ବିଭିନ୍ନ ପର୍ଯ୍ୟାୟରେ ହିତାଧିକାରୀମାନେ ଦେଇଥିବା ତଥ୍ୟର ଖୋଳତାଡ଼ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଆର୍ଥିକ ସ୍ବଚ୍ଛଳ ବର୍ଗର ବହୁ ମହିଳା ସୁଭଦ୍ରା ଟଙ୍କା ହାତେଇଛନ୍ତି। ଏଣୁ ତୃତୀୟ ପର୍ଯ୍ୟାୟ ବେଳକୁ ଆଉ ପାଖାପାଖି ୧୫ ହଜାର ମହିଳାଙ୍କୁ ବାଦ୍ ଦେଇଛନ୍ତି ସରକାର। ଏଥିପାଇଁ ଅନୁଗୁଳର ୨,୮୭,୬୮୬ ଜଣ ମହିଳାଙ୍କୁ ତୃତୀୟ କିସ୍ତି ମିଳିଛି।
ସରକାରୀ ସୂଚନା ଅନୁସାରେ, ପ୍ରଥମ କିସ୍ତି ପାଇଥିବା ମହିଳାଙ୍କ ତୁଳନାରେ ଅନୁଗୁଳ ବ୍ଲକ୍ରେ ୨୮୫୬ ଜଣ କମ୍ ମହିଳା ତୃତୀୟ କିସ୍ତି ପାଇଛନ୍ତି। ଏହି ସମୟ ଭିତରେ ପ୍ରାୟ ୩ ହଜାର ହିତାଧିକାରୀ ବାଦ୍ ପଡ଼ିଥିଲା ବେଳେ କିଛି ନୂଆ ମହିଳା ସୁଭଦ୍ରା ଯୋଜନାରେ ଯୋଡ଼ି ହୋଇଛନ୍ତି। ସେହିପରି ପ୍ରଥମ କିସ୍ତି ତୁଳନାରେ ଆଠମଲ୍ଲିକ ବ୍ଲକ୍ରେ ୨୩୪୫ ଜଣ ମହିଳା, ବଅଁରପାଳ ବ୍ଲକ୍ରେ ୨୬୩୯, ଛେଣ୍ଡିପଦା ବ୍ଲକ୍ରେ ୨୭୩୨, କଣିହାଁ ବ୍ଲକ୍ରେ ୧୯୨୮, କିଶୋରନଗର ବ୍ଲକ୍ରେ ୨୧୦୧, ପାଳଲହଡ଼ା ବ୍ଳକ୍ରେ ୨୧୭୧, ତାଳଚେର ବ୍ଲକ୍ରେ ୧୫୧୦, ଅନୁଗୁଳ ସହରରେ ୩୮୨, ଆଠମଲ୍ଲିକ ସହରରେ ୧୫୪ ଓ ତାଳଚେର ସହରରେ ୩୯୮ ଜଣ କମ୍ ମହିଳା ତୃତୀୟ କିସ୍ତି ପାଇଛନ୍ତି। ଏମିତି ଜିଲ୍ଲାରେ ୨୦ ହଜାର ମହିଳା ସୁଭଦ୍ରାରୁ ବାଦ୍ ପଡ଼ିଥିଲା ବେଳେ ଯାଞ୍ଚ ପ୍ରକିୟା କଡ଼ାକଡ଼ି କରାଯାଉଥିବାରୁ ଆଗକୁ ଅନେକ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)