ପ୍ରଥମ ଦିନରେ ଟିକା ନେଲେ ୮୦ହଜାରରୁ ଅଧିକ କିଶୋର

ଭୁବନେଶ୍ବର: ଆଜିଠାରୁ ରାଜ୍ୟବ୍ୟାପୀ କିଶୋର(୧୫-୧୮ବର୍ଷ)ଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୦,୧୨୯ କି‌ଶୋର ଟିକା ନେଇଛନ୍ତି। ଏଥିରେ ରାଜଧାନୀରେ କେବଳ ୪୧୦୭ କିଶୋର ରହିଛନ୍ତି। ଏହାସହ ୧୮ବର୍ଷରୁ ଅଧିକ ହାତାଧିକାରୀଙ୍କୁ ମିଶାଇ ଆଜି ୨ଲକ୍ଷ ୮୬ହଜାର ୬୪୦ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫ କୋଟି ୬୫ଲକ୍ଷ ୧ହଜାର ୧୪୯ ଡୋଜ୍ ଦିଆଗଲାଣି।
କିଶୋରଙ୍କୁ କେବଳ କୋଭାକ୍ସିନ୍ ଟିକା ଦିଆଯାଉଛି।

ଆଜି ରାଜ୍ୟରେ ୩୨୦୪ ଟିକାକରଣ କେନ୍ଦ୍ରରେ ଟିକାଦାନ ହୋଇଥିବା ବେଳେ ତହିଁରୁ ୯୩୯ କେବଳ କିଶୋରଙ୍କ ପାଇଁ ସଂରକ୍ଷିତ ରହିଛି। ଉଭୟ ଅନ୍‌ଲାଇନ୍‌ ଓ ଅନ୍‌ସାଇଟ୍‌ରେ ପଞ୍ଜୀକରଣ କରିଥିବା କିଶୋରଙ୍କୁ ଟିକା ଦିଆଯାଇଛି। ଏହାସହ ୧୮-୪୪ବର୍ଗର ୫୯,୨୬୧ ପ୍ରଥମ, ୮୯,୫୨୨ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧୧,୭୬୩ ପ୍ରଥମ, ୪୫,୫୪୦ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୨୦୯୫ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି। ରାଜ୍ୟର ୧୮-୪୪ବର୍ଗର ୮୫ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୯୩ ପ୍ରତିଶତ ପ୍ରଥମ ଡୋଜ୍ ନେଇ ସାରିଲେଣି।

ରାଜ୍ୟରେ ୨୩ଲକ୍ଷରୁ ଅଧିକ କିଶୋର ରହିଛନ୍ତି। ସେମାନଙ୍କର ଗୋଟିଏ ମାସ ଭିତରେ ପ୍ରଥମ ଡୋଜ୍ ଟିକାକରଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ରାଜ୍ୟରେ ୩.୨୫ କୋଟି ଲୋକ ଟିକା ନେବାକୁ ଚିହ୍ନଟ ହୋଇଥିବା ବେଳେ ଆସନ୍ତା ୧୫ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆସନ୍ତାକାଲି ରାଜ୍ୟରେ ୩୨୨୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।

ରାଜ୍ୟ କରୋନା ଟିକାକରଣ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଟିକାକରଣ ସମୟରେ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କର ପରୀକ୍ଷା ଅଛି ସେମାନଙ୍କୁ ପରୀକ୍ଷା ପରେ ଟିକା ଦିଆଯିବ। ଗତକାଲି ଶିକ୍ଷା ବିଭାଗ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା। କିଶୋରଙ୍କ ଟିକାକରଣ ପାଇଁ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନ କରିବେ। କିଶୋରଙ୍କ ଦିଆଯାଉଥିବା କୋଭାକ୍ସିନ୍ ଟିକା ସଂପୂର୍ଣ୍ଣ ନିରାପଦ। ପ୍ରତି ସ୍କୁଲ କିଶୋରଙ୍କ ଏକ ତାଲିକା ପ୍ରସ୍ତୁତ କରିବେ। ଯେଉଁ ସ୍କୁଲରେ ଭିତ୍ତିଭୂମି ଠିକ୍ ରହିଛି କିମ୍ବା ପରୀକ୍ଷା ନାହିଁ ସେ ସ୍କୁଲରେ ଟିକାକରଣ କେନ୍ଦ୍ର ହୋଇପାରିବ। ଆଜି ବି ବହୁ ସ୍କୁଲରେ ଟିକାକଣ କେନ୍ଦ୍ର ଖୋଲାଯାଇଛି। ପ୍ରଥମ ଡୋଜ୍ ନେବାର ୨୮-୪୨ଦିନ ଭିତରେ କିଶୋରମାନେ ଦ୍ବିତୀୟ ଡୋଜ୍ ଟିକା ନେଇପାରିବେ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର