ପରଲୋକରେ ସୁନ୍ଦରଗଡ଼ର ପୂର୍ବତନ ସାଂସଦ ମୋରିସ୍ କୁଜୁର୍

ଭୁବନେଶ୍ବର: ସୁନ୍ଦରଗଡ଼ର ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।
୧୯୩୫ ମସିହା ନଭେମ୍ବର ୨ ତାରିଖରେ ମୋରିସ୍ କୁଜୁର୍ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିକେଲା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ କୋଲକାତାରେ ଶିକ୍ଷା ସମାପ୍ତ କରିବା ପରେ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ୍ ଅନ୍ତର୍ଗତ ଗାଇବିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ।
ମୋରିସ୍ କୁଜୁର୍ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ କଂଗ୍ରେସରେ ଯୋଗ ଦେଇ ସେ ୧୯୮୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୬ ମସିହାରୁ ୨୦୦୨ ଯାଏଁ ରାଜ୍ୟସଭା ସଦସ୍ୟ ବି ଥିଲେ।୨୦୦୮ରୁ ୨୦୧୧ ମସିହା ଯାଏଁ ମୋରିସ୍ କୁଜୁର୍ କେନ୍ଦ୍ର ସରକାରଙ୍କ ଏସ୍ ଟି କମିସନର ଅଧ୍ୟକ୍ଷ ଥିଲେ।
ତାଙ୍କର ଦୁଇ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ରଜତ କୁଜୁର୍ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ପ୍ରଫେସର୍ ଅଛନ୍ତି। ଅପରପକ୍ଷରେ ପ୍ରଭାତ କୁଜୁର୍ ଖୋର୍ଦ୍ଧାରେ ଟ୍ରେଜେରି ଅଧିକାରୀଭାବେ ଅବସ୍ଥାପିତ ଥିବା ଜଣାଯାଇଛି। ତାଙ୍କ ବିୟୋଗରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି। ଏହାଛଡ଼ା ରାଜନୈତିକ ମହଲରେ ବି ଶୋକର ଛାୟା ଖେଳଯାଇଛି।

ମୋରିସ୍ କୁଜୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର