୨ରୁ ସକାଳୁଆ ସ୍କୁଲ, ମେ ୬ରୁ ଖରା ଛୁଟି
ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଏପ୍ରିଲ ଓ ମେ ମାସରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବାର ସମ୍ଭାବନା ଅଛି। ଏହାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଘରୋଇ ସ୍କୁଲକୁ ଆସନ୍ତା ଏପ୍ରିଲ ୨ତାରିଖରୁ ସକାଳୁଆ କରାଯାଇଛି। ଏହାସହିତ ମେ ୬ତାରିଖରୁ ଖରା ଛୁଟି କରିବାକୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବାହ୍ନ ୧୧ଟା ପରେ କୌଣସି ପରିସ୍ଥିତିରେ ବି ସ୍କୁଲ ଖୋଲା ରହିବନି। ପୂର୍ବାହ୍ନ ୧୦ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ।
ଏପ୍ରିଲ ୩ରୁ ନୂ୍ଆ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବାରୁ ଏପ୍ରିଲ ୨ରେ ସମସ୍ତ ସ୍କୁଲରେ ପ୍ରବେଶ ଉତ୍ସବ ହେବ। ଏହା ପୂର୍ବରୁ ମାର୍ଚ୍ଚ ୩୦ସୁଦ୍ଧା ସମସ୍ତ ସ୍କୁଲର ପରୀକ୍ଷା ଏବଂ ପରୀକ୍ଷା ଫଳ ପ୍ରକାଶ ପ୍ରକ୍ରିୟା ଶେଷ କରାଯିବ। ଏହାସହ ପ୍ରଧାନ ଶିକ୍ଷକମାନେ ଏହି ସମୟ ସୁଦ୍ଧା ସ୍କୁଲରେ ପିଇବା ପାଣି ଯୋଗାଇବା ସୁବିଧା, ଆଶୁ ଚିକିତ୍ସା ବ୍ୟବସ୍ଥା କରିବାକୁ କୁହାଯାଇଛି। ଯେଉଁଠି ସ୍କୁଲରେ ଟ୍ୟୁବ୍ୱେଲ୍ ଖରାପ ଅବସ୍ଥାରେ ଅଛି ସେଠାରେ ପିଲାଙ୍କୁ ପାଣି ବୋତଲ ଏବଂ ଛତା ଆଣି ସ୍କୁଲ ଆସିବାକୁ କୁହାଯାଇଛି। ପିଇଟି କ୍ଲାସ ଏହି ସମୟରେ ବାଧ୍ୟତାମୂଳକ କରାଯିବନି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।