ନବରଙ୍ଗପୁର: ସାରା ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। କିଛି ସ୍ଥାନରେ ପାରଦ ୪୦ ଡିଗ୍ରିରେ ପହଞ୍ଚି ସାରିଲାଣି। ଦିନ ୧୦ଟା ପରେ ଅସହ୍ୟ ଗରମ ଅନୁଭୂତ ହେଉଥିଲା ବେଳେ ଗୁଳୁଗୁଳି ପ୍ରକୋପ ଜାରି ରହିଛି। ଅନ୍ୟପଟେ ପରୀକ୍ଷା ସରି ନଥିବାରୁ ଛାତ୍ରଛାତ୍ରୀ କଲବଲ ହେଉଛନ୍ତି। ତେଣୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି। ଖୁବଶୀଘ୍ର ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ସରକାର ବର୍ତ୍ତମାନର ପରିସ୍ଥିତି ସଂପର୍କରେ ସଂପୂର୍ଣ୍ଣ ଅବଗତ ରହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯିବ। ତେବେ ଏହା ପୂର୍ବରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଗଣଶିକ୍ଷା ବିଭାଗ ଆଲୋଚନା କରିବ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ସମୟ ପରିବର୍ତ୍ତନ ହୋଇଥିଲା। ଏପ୍ରିଲ ୨ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ବ୍ୟବସ୍ଥା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)