ବଦଳିଲା ସକାଳୁଆ ସ୍କୁଲର ସମୟ; ଏଣିକି ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାଠ ପଢ଼ିବେ ପିଲା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବଢ଼ୁଥିବାରୁ ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ପିଲାମାନେ ସକାଳୁ ପାଠ ପଢ଼ିବାକୁ ସ୍କୁଲ୍ ଯିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏ ନେଇ ଅତିରିକ୍ତ ଶାସନ ସଚିବ ଡ. ପ୍ରତାପ କୁମାର ମିଶ୍ର ଓସେପା, ଓଏଭିଏଓ, ଏମ୍‌ଡିଏମ୍‌, ଉଚ୍ଚଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଣ୍ଟାରି ଶିକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦକୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ସ୍କୁଲରେ ସକାଳ ସାଢ଼େ ୬ଟାରୁ ପୂର୍ବାହ୍ନ ସାଢ଼େ ୧୦ଟା ଯାଏଁ ପାଠ ପଢ଼ିବେ। ସେହିଭଳି ନବମ ଠାରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ସକାଳ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢ଼ିବେ। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ଏହି ସମୟ ନିର୍ଘଣ୍ଟ ଲାଗୁ ହେବ।

ଏଥିସହ ପୂର୍ବଭଳି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖ ଠାରୁ ପିଲାମାନଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବା ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ ପରିସରରେ ସୁରକ୍ଷିତ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଗ୍ରୀଷ୍ମକାଳ ଯୋଗୁଁ ପିଲାମାନେ ଛତା ନେଇ ସ୍କୁଲକୁ ଯାଇପାରିବେ। ଗ୍ରୀଷ୍ମକାଳୀନ ଛୁଟି ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନ୍‌ଗୁଡ଼ିକ ପାଳନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର