ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ବର : ସୋମବାରଠାରୁ ସକାଳୁଆ ସ୍କୁଲ ହେବ। କରୋନା ସଂକ୍ରମଣ ଯୋଗୁଁ ଏବେ କେବଳ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଚାଲିଛି। ତେଣୁ ଏହି ୪ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ଗୋଟାଏ ମଧ୍ୟରେ ଶେଷ ହେବ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୯ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ।

ପ୍ରଚଣ୍ଡ ଖରାକୁ ଦୃଷ୍ଟି‌ରେ ରଖି ସ୍କୁଲଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟଜଳର ବ୍ୟବସ୍ଥା‌ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କୁହାଯାଇଛି। ଯଦି କୌଣସି ବିଦ୍ୟାଳୟରେ ନଳକୂପ ଅଚଳ ଥିବ, ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ପୌର ପରିଷଦ ଆଲୋଚନା କରି ଡିଇଓମାନେ ପଦକ୍ଷେପ ନେବେ। ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରୁ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍‌ ଆଣି ସ୍କୁଲରେ ମହଜୁଦ୍‌ ରଖିବାକୁ କୁହାଯାଇଛି। ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ସୁବିଧା ଲାଗି ବିଦ୍ୟାଳୟଗୁଡ଼ିକ ପରିବହନ ସେବା ପୁଣିଥରେ ଆରମ୍ଭ କରିପାରିବେ। ତେବେ ବସ୍‌ରେ ପରିବହନ ବେଳେ କୋଭିଡ୍‌-୧୯ କଟକଣା ପାଳନ କରିବେ। ପିଲାମାନେ ଶିକ୍ଷାନୁଷ୍ଠାନକୁ ଯିବା ସମୟରେ ଅଭିଭାବକ ପାଣି ବୋତଲ ଦେବା ସହ ସଚେତନ କରାଇବାକୁ କୁହାଯାଇଛି। ସ୍କୁଲ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନେ ପିଲା, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିକୁ ଏ ବିଷୟରେ ସଚେତନ କରାଇବେ। ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ସକାଳୁଆ ସ୍କୁଲ ଖୋଲିବା ସମୟକୁ ନେଇ ବିରୋଧ ଜାରି ରହିଛି। ଓଷ୍ଟା ସମେତ ରାଜ୍ୟର କେତେକ ଶିକ୍ଷକ ସଙ୍ଗଠନ ଏଭଳି ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ରବିବାରିଆ କ୍ଲାସ ନ କରିବାକୁ ଘୋଷଣା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି। ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ଦ୍ବାରା ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇପାରନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଦେଖି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇ ନାହିଁ। ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ବଦଳରେ ସକାଳ ସାଢ଼େ ୬ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଉ। ଏହାପରେ ସ୍କୁଲ ବନ୍ଦ ହେବା ଦରକାର। ନିଷ୍ପତ୍ତିର ପୁନର୍ବିଚାର କରା ନ ଗଲେ ପିଲା ଓ ଅଭିଭାବକମାନେ ଅଂଶୁଘାତର ଶିକାର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୋମବାରଠାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ। ପାଠ୍ୟଖସଡ଼ା ମୁତାବକ ପାଠପଢ଼ା ପାଇଁ ପ୍ରସ୍ତୁତ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବିଭାଗର ପୂର୍ବ ନିର୍ଦେଶ ମୁତାବକ, ପାଠ୍ୟକ୍ରମର ୨୫%(ସମସ୍ତ ୟୁନିଟ୍‌ର ୨୫%) ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି କରିବେ।

ସମ୍ବନ୍ଧିତ ଖବର