କମିବ ସକାଳୁଆ ସ୍କୁଲ ସମୟ

ଭୁବନେଶ୍ବର : କମିବ ସକାଳୁଆ ସ୍କୁଲ ସମୟ। ଅପରାହ୍‌ଣ ଗୋଟାଏ ପରିବର୍ତେ ପୂର୍ବାହ୍ନ ୧୧ଟା ୩୦ କିମ୍ବା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। କ୍ଲାସ ଆରମ୍ଭ ହେଉଥିବା ସମୟ ସକାଳ ୭ଟାରେ ବି କିଛିଟା ପରିବର୍ତନ କରାଯାଇପାରେ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ କରାଯିବ। ପ୍ରାୟ ଦୁଇ ଘଣ୍ଟା ଧରି କ୍ଲାସ ଚାଲିବ। ଏହାପରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ ଏବଂ ୩ ଘଣ୍ଟା ମଧ୍ୟରେ ୪ରୁ ୫ଟି କ୍ଲାସ କରାଯିବ। ସକାଳୁଆ ସ୍କୁଲ ସମୟ ସକାଳ ୭ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଧାର୍ଯ୍ୟକୁ ନେଇ ବିରୋଧର ସ୍ବର ଉଠିବା ପରେ ଗଣଶିକ୍ଷା ବିଭାଗ ଏଭଳି ନି‌ଷ୍ପତ୍ତି ନେଇଛି। ଏସମ୍ପର୍କରେ ଖୁବ୍‌ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଦିନ ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବା ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ ପାଠପଢ଼ା ସମୟକୁ ନେଇ କେତେଜଣ ଛାତ୍ରଛାତ୍ରୀ ମନ୍ତ୍ରୀ ଶ୍ରୀ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହେବା ଦ୍ବାରା କେଉଁଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ସେ ସମ୍ପର୍କରେ କହିଥିଲେ। ପୂର୍ବାହ୍ନ ୧୧ଟାରୁ ଯେଉଁଭଳି ଖରା ହେଉଛି ସେଥିରେ ଆଜବେଷ୍ଟ୍‌ସ ଘରେ ବସି ପାଠପଢ଼ିବା ମୁସ୍କିଲ ହୋଇପଡ଼ୁଛି। ତେ‌ଣୁ ପୂର୍ବାହ୍ନ ୧୧ଟା ନ ହେଲେ ୧୧ଟା ୩୦ ପର୍ଯ୍ୟନ୍ତ କ୍ଲାସ ସମୟ ଧାର୍ଯ୍ୟ କରିବାକୁ ନିବେଦନ କରିଥିଲେ।

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମସ୍ୟାକୁ ମନ୍ତ୍ରୀ ଶ୍ରୀ ଦାଶ ଗୁରୁତ୍ବର ସହ ନେଇଛନ୍ତି। ସେ କହିଛନ୍ତି ଯେ ପିଲାଙ୍କ ପାଠପଢ଼ା ଯେତିକି ଗୁରୁତ୍ବପୂର୍ଣ୍ଣ, ସେମାନଙ୍କୁ ସୁରକ୍ଷିତ ରଖିବାରେ ସେତିକି ଆବଶ୍ୟକତା ରହିଛି। ତେଣୁ ସବୁଆଡ଼ୁ ବିଚାରକୁ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ଖରାକୁ ଦୃଷ୍ଟିରେ ରଖି ପାଠପଢ଼ା ସମୟରେ କିଛିଟା ପରିବର୍ତନ କରାଯିବ। ବିଭାଗୀୟ ସଚିବ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ଫେରିବା ପରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା‌ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ମାଟ୍ରିକ୍‌ ପରୀକ୍ଷା ସମୟରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦେଶ ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍‌ରେ ଯେଉଁ ପ୍ରଶ୍ନପତ୍ର ଢାଞ୍ଚା ଛଡ଼ାଯାଇଛି ତାହାକୁ ଦେଖି ଅଭ୍ୟାସ କରିବା ସବୁ ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବପର ନୁହେଁ। ତେଣୁ ସ୍କୁଲ କର୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ। ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ପ୍ରଶ୍ନପତ୍ର ଢାଞ୍ଚାକୁ ଡାଉନ୍‌ଲୋଡ୍‌ କରି ଛାତ୍ରଛାତ୍ରୀଙ୍କୁ ଅଭ୍ୟାସ କରିବାକୁ ଦେବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର