ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍‌

ମେ’ ୪ରୁ ଖରା ଛୁଟି
ଏପ୍ରିଲ ୨ରେ ପ୍ରବେଶ ଉତ୍ସବ, ୩ରୁ ନୂତନ ଶିକ୍ଷାବର୍ଷ

ଭୁବନେଶ୍ୱର : ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କେତେକ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରି ଟପିଥିବାରୁ ତତ୍ପରତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ବିଦ୍ୟାଳୟର ପରୀକ୍ଷା ଶେଷ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥିସହ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ସହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ। ମେ’ ୪ରୁ ଖରା ଛୁଟି ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏପ୍ରିଲ ୨ରୁ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲଗୁଡ଼ିକରେ କ୍ଲାସ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। କୌଣସି ବି ପରିସ୍ଥିତିରେ ପୂର୍ବାହ୍ନ ୧୧ଟା ପରେ ବିଦ୍ୟାଳୟ ଖୋଲା ନ ରଖିବାକୁ ନିର୍ଦେଶ ଦିଆଯାଇଛି। ଖରାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟାଳୟଗୁଡ଼ିକ ବାର୍ଷିକ ପରୀକ୍ଷା ଶେଷ କରିବେ। ପରୀକ୍ଷା ସରିବା କ୍ଷଣି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପୁରୁଣା ପାଠ୍ୟକ୍ରମ ଉପରେ ଅଭ୍ୟାସ କରାଇବେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଅଭ୍ୟାସ ଜାରି ରହିବ। ଏପ୍ରିଲ ୨ରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ହେବ। ଏଥିରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖା ସହ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା।

ଏପ୍ରିଲ ୩ରୁ ୨୦୧୮-୧୯ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ଦିଗରେ ପ୍ରଧାନଶିକ୍ଷକମାନେ ଗୁରୁତ୍ୱ ଦେବେ। ଯଦି କ୍ୟାମ୍ପସରେ ନଳକୂପ ନ ଥିବ ତେବେ ବିକଳ୍ପ ବ୍ୟବସ୍ଥା କରିବାକୁ ବି କୁହାଯାଇଛି। ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟକୁ ଆସିବା ସମୟରେ ପାଣି ବୋତଲ ଓ ଛତା ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ଶାରୀରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ଏହି ନିୟମକୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଳନ କରିବାକୁ ନିର୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର