ସ୍କୁଲ୍‌ରେ କରାଯିବ ପ୍ରବେଶ ଉତ୍ସବ
ଏପ୍ରିଲ ୩ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ
ଏପ୍ରିଲ ୬ରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’

Advertisment

ଭୁବନେଶ୍ୱର : ସୋମବାରଠାରୁ ସକାଳୁଆ ସ୍କୁଲ। ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲରେ କ୍ଲାସ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ପୂର୍ବାହ୍ନ ୧୧ଟା ପରେ ବିଦ୍ୟାଳୟ ଖୋଲା ରହିବ ନାହିଁ। ମେ’ ୪ରୁ ଖରା ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏପ୍ରିଲ ୩ରୁ ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ। ୬ରୁ ୧୪ ବର୍ଷ ବୟସର ଯେଉଁ ପିଲାମାନେ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ କିମ୍ବା ଆଦୌ ନାମ ଲେଖାଇ ନ ଥିବେ ସେମାନଙ୍କୁ ବିିଦ୍ୟାଳୟକୁ ଆଣିବା ଲାଗି ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପିତାମାତା, ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ।

ସୋମବାର ହେବାକୁ ଥିବା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନଓ୍ଵାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍‌ ଏବଂ ପିଲାଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ। ସ୍ଳୋଗାନ୍‌, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଙ୍ଗଠନ/ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖରେ ଥିବା ଗ୍ରାମ ଓ ପଡ଼ାର ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ। ପିଲାଙ୍କ ନାମଲେଖା ବିଦ୍ୟାଳୟରେ କରିବା ଲାଗି ଅଭିଭାବକଙ୍କୁ ବୁଝାଇବେ। ଏପ୍ରିଲ୍‌ ୫ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ। ଏପ୍ରିଲ ୬ରେ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ଏହି ଦିନ ବିିଦ୍ୟାଳୟରେ ନାମଲେଖାଉଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇ ପାଠ୍ୟପୁସ୍ତକ ବଣ୍ଟନ କରାଯିବ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ଦିଗରେ ପ୍ରଧାନଶିକ୍ଷକମାନେ ଗୁରୁତ୍ୱ ଦେବେ। ଯଦି କ୍ୟାମ୍ପସରେ ନଳକୂପ ନ ଥିବ ତେବେ ବିକଳ୍ପ ବ୍ୟବସ୍ଥା କରିବାକୁ ବି କୁହାଯାଇଛି। ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟକୁ ଆସିବା ସମୟରେ ପାଣି ବୋତଲ ଓ ଛତା ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ଶାରୀରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ନୁହେଁ। ଏହି ନିୟମକୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଳନ କରିବାକୁ ନିର୍ଦେଶନାମା ଜାରି ହୋଇଛି।