ଦ୍ବୈତନଗରୀରେ ପ୍ରାତଃଭ୍ରମଣ, ସାଇକେଲିଂ ମନା

୨୪ ଘଣ୍ଟିଆ ସେବା ଯୋଗାଉଛି ଡାଏଲ-୧୦୦

ଭୁବନେଶ୍ବର : ଭୁବନେଶ୍ବର ଓ କଟକରେ ପ୍ରାତଃଭ୍ରମଣ ବା ମର୍ଣ୍ଣିଂୱାକ୍‌, ସାନ୍ଧ୍ୟ ଇଭିନିଂ ୱାକ୍ ଓ ସାଇକେଲିଂ ଉପରେ କଟକଣା ଲାଗିଛି। ପାର୍କ ଓ ରାସ୍ତାରେ ଭିଡ଼ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍ ସମୟରେ ଏସବୁ ବନ୍ଦ ରହିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶ୍ରୀ ପ୍ରିୟଦର୍ଶୀ ଅଧିକ ସୂଚନା ଦେଇ କହିଛନ୍ତି, ଏ ସବୁ ଲକ୍‌ଡାଉନ୍ କଟକଣା ଭିତରେ ଆସୁଛି। ଘରୁ ରାସ୍ତା ଉପରକୁ ଆସିଲେ ସଂକ୍ରମଣ ବଢ଼ୁଛି। ନିୟମ ପାଳନ କରି ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଟୁଇନ୍‌ ସିଟି ବାସିନ୍ଦା ପୁଲିସକୁ ସହଯୋଗ କରୁଛନ୍ତି। ଦ୍ବୈତନଗରୀ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ଦୁଇ ସହରରେ ଡାଏଲ୍-୧୦୦ ନିରନ୍ତର ସେବା ଯୋଗାଉଛି। ଯଦି କେହି ଅସୁବିଧାରେ ପଡ଼ିଛନ୍ତି କିମ୍ବା କୌଣସି ସମସ୍ୟାର ସାମ୍ନା କରୁଛନ୍ତି, ସେମାନେ ଡାଏଲ୍-୧୦୦କୁ କଲ୍ କରି ସାହାଯ୍ୟ ନେଇପାରିବେ। ବରିଷ୍ଠ ନାଗରିକ ଏବଂ ଅପରାଧର ଶିକାର ହେଉଥିବା ବ୍ୟକ୍ତିଙ୍କ ଘରକୁ ଯାଇ ପୁଲିସ ସେବା ଯୋଗାଇବାର ବ୍ୟବସ୍ଥା ମଧ୍ୟ ହୋଇଛି। ତେଣୁ ଜନସାଧରଣ ପୁଲିସକୁ ଅଧିକରୁ ଅଧିକ ସହଯୋଗ କରନ୍ତୁ। କିନ୍ତୁ କେତେକ ଅମାନିଆଙ୍କ ପାଇଁ ସମସ୍ତେ ଅସୁବିଧାରେ ପଡ଼ୁଛନ୍ତି। ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ କହିଛନ୍ତି।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇ କହିଛନ୍ତି, ରାଜଧାନୀରେ କରୋନା ମୁକାବିଲାରେ ୧୫୦୦ପୁଲିସ କର୍ମଚାରୀ ଦିନରାତି କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ଓ ସେମାନଙ୍କ ପରିବାରଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ପୁଲିସ୍‌ ବାହାରେ ଜଗିଛି, ତେଣୁ ଜନସାଧାରଣ ଘର ଭିତରେ ସୁରକ୍ଷିତ ରହିବାକୁ ସେ ଅନୁରୋଧ କରିଛନ୍ତି। ଏପରିକି ଲୋକଙ୍କ ଘର ପାଖରେ ସେବା ଯୋଗାଇ ଦିଆଯାଉଛି। ଯେମିତି କୌଣସି ବ୍ୟକ୍ତି ଅପରାଧର ଶିକାର ହେଲେ ଡାଏଲ୍-୧୦୦, ସ୍ଥାନୀୟ ଥାନା ଓ ଆଇଆଇସିଙ୍କ ସିୟୁଜି ନମ୍ବରରେ ଫୋନ୍ କରି ଜଣାଇଲେ, ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ଅଭିଯୋଗ ଆଣିବ। ସେମାନଙ୍କୁ ଏତଲାର ନକଲ ମଧ୍ୟ ଯୋଗାଇ ଦିଆଯିବ।

ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୭୨ଘଣ୍ଟା ପୂର୍ବରୁ ଉଦ୍ଦିଷ୍ଟ ହ୍ବାଟସଆପ୍ ନମ୍ବର(୮୧୪୪୨୦୭୧୦୦)ରେ ଆବେଦନ କରିବେ। ହ୍ବାଟସଆପ୍ ନମ୍ବର ପ୍ରୋଫାଇଲରେ ଉଦ୍ଦିଷ୍ଟ ଫର୍ମର ନକଲ ରହିଛି। ସେହି ଫର୍ମାଟ୍‌ରେ ଆବେଦନକାରୀ ଆବେଦନ କଲେ, ସେମାନଙ୍କୁ ସହଜରେ ଅନୁମତି ମିଳିପାରିବ। ଅନ୍ୟପକ୍ଷରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ, ଶିଳ୍ପ ଅନୁଷ୍ଠାନ, ଆଇଟି, ଟେଲିକମ୍ ଭଳି ସଂସ୍ଥାର କର୍ମଚାରୀ ଅଥରାଇଜେସନ୍ ଲେଟର୍‌ ଦେଖାଇ ଯାଇପାରିବେ। ଦୋକାନୀ ଓ କର୍ମଚାରୀମାନେ ଟ୍ରେଡ୍‌ ଲାଇସେନ୍ସ ଦେଖାଇ ଯାତାୟାତ କରିପାରିବେ। ଏହାକୁ ଅଧିକ ସହଜ କରିବା ପାଇଁ ନିଜ ସଂସ୍ଥା ପକ୍ଷରୁ ପ୍ରଦତ୍ତ ପାସ୍(ସେଲଫ୍ ଜେନେରେଟଡ୍ ପାସ)ର ବ୍ୟବସ୍ଥା କରାଯାଉଥିବା ଡିସିପି ଶ୍ରୀ ଦାଶ କହିଛନ୍ତି। ସେହିପରି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜନସାଧାରଣ ପୁଲିସକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର