କୋଟିକୋଟି ଟଙ୍କାର ମୋରମ ଲୁଟ୍‌

ଯାଜପୁର/ଦାନଗଦୀ: ଦାନଗଦୀ ତହସିଲ ଅଞ୍ଚଳରୁ କୋଟିକୋଟି ଟଙ୍କାର ଚୋରା ମୋରମ ଓ ମାଟି ଚାଲାଣ ହେଉଛି। ତହସିଲ କର୍ତ୍ତୃପକ୍ଷ ନିରବ। ବିନା ଲିଜ୍ ଓ ରୟାଲଟିରେ ମୋରମ ବେପାରୀ ଓ ତହସିଲର କେତେକ କର୍ମଚାରୀ ବେଶ ମୁନାଫା କରୁଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ବୈରୀ-ଭଦ୍ରକ ୫୭ କି.ମି. ରେଳପଥ ସମ୍ପ୍ରସାରଣ କାର୍ଯ୍ୟରେ ବିପୁଳ ପରିମାଣର ଚୋରା ମୋରମ ଓ ମାଟି ବ୍ୟବହାର କରାଯାଉଛି।  ଜେଭି କମ୍ପାନି ଏହି ରେଳପଥ ନିର୍ମାଣ କରୁଛି। ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ମନୋହରପୁର ମୌଜାର ଦୁଇଟି ସ୍ଥାନରୁ ମାଟି ତାଡ଼ି ଦିନ ଦିପହରେ ଲୁଟ୍‌ ଚାଲିଛି। ଠିକାସଂସ୍ଥା କେବଳ ଅନୁମତି ପାଇଁ ଆବେଦନ କରିଛି। ୧୦ ରୁ ଅଧିକ ହାଇୱାରେ ମାଟି ଚୋରା ଚାଲାଣ ହେଉଥିବା ବେଳେ ଦାନଗଦୀ ତହସିଲ ପକ୍ଷରୁ ମାତ୍ର ୭୦ ହଜାର ଟଙ୍କାର ଜରିମାନା ପାଇଁ ନୋଟିସ୍ କରାଯାଇଛି। ହେଲେ କୋଟିକୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଚାଲିଛି। ଠିକାସଂସ୍ଥା ଗୋଟିଏ ଜମିର ଖାତା ଓ ପ୍ଲଟ ନମ୍ବରରେ ଆବେଦନ କରିଛି। ହେଲେ ଉକ୍ତ ଜମି ସମ୍ପର୍କିତ କୌଣସି ନଥିପତ୍ର ରାଜସ୍ଵ କାର୍ଯ୍ୟାଳୟରେ ନଥିବା ମାଣତିରା ରାଜସ୍ଵ କାର୍ଯ୍ୟାଳୟ ପକ୍ଷରୁ ତହସିଲକୁ ଜଣାଇ ଦିଆଯାଇଛି।

ତଥ୍ୟ ମୁତାବକ ବନ୍ଦୋବସ୍ତ ହୋଇନଥିବାରୁ ଏହି ମୌଜାର ସମସ୍ତ ଜମି ନଟ୍‌ ଫାଇନାଲ୍‌ ରହିଛି। କେଉଁ ଅନୁମତି ବଳରେ ଦିନରେ ମାଟି ଓ ରାତିରେ ମୋରମ ଲୁଟ୍‌ ଚାଲିଛି? ତାହା ତଦନ୍ତ ସାପେକ୍ଷ। ନିୟମ ମୁତାବକ, ମାଟି ଖନନ ବେଳେ ପାହାଡ଼ିଆ ଭୂମିକୁ ସର୍ବାଧିକ ୩ ଫୁଟ୍‌ ଓ ସମତଳ ଭୂମିକୁ ସର୍ବାଧିକ ୨ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ଖୋଳିବା ନିୟମ ରହିଛି। ଠିକାସଂସ୍ଥା ଏହାର ଖୋଲା ଉଲ୍ଲଂଘନ କରିଥିବା ଅଭିଯୋଗ ହେଉଛି। ଏଠାରେ ୮ ଫୁଟ୍‌ରୁ ଅଧିକ ଗର୍ତ୍ତ କରାଯାଇ ମେସିନ ଦ୍ଵାରା ମାଟି ତାଡ଼ି ନିଆଯାଉଛି। ରାତିଦିନ ଏକାକାର କରି ମାଟି ଓ ମୋରମ ଲୁଟ୍‌ କରାଯାଉଥିବା ବେଳେ ଆଇନ ବାଟରୁ ଠିକାସଂସ୍ଥା ଓ ତହସିଲ କର୍ତ୍ତୃପକ୍ଷ ବର୍ତ୍ତିବା ପାଇଁ ଜରିମାନା ଆଦାୟକୁ ଢାଲ କରିଛନ୍ତି। ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଲୁଟ୍‌ ଚାଲିଥିବା ବେଳେ ସ୍ଥାନୀୟ ଯଖପୁରା ପୁଲିସ ମଧ୍ୟ ନିରବ ରହିଛି। ବ୍ୟାପକ ମୋରମ ଏବଂ ମାଟି ପରିବହନ ଯୋଗୁଁ ରାସ୍ତାଘାଟ ଧୂଳିଧୂଆଁରେ ସ୍ଥାନୀୟ ଲୋକେ ଓ ପଥଚାରୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର