ରାଉରକେଲା: ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ର ଅନେକ ବିକାଶମୂଳକ କାମ ହେଉଛି। ମର୍ଗ ହାଉସ (ଶବ ସଂରକ୍ଷଣ ଗୃହ) କାମ ନକରିବାରୁ ଏଠାରେ ରଖାଯାଉଥିବା ଶବ ସଢ଼ିବାରେ ଲାଗୁଥିବାବେଳେ ଅଧିକାଂଶ ସମୟରେ କୁକୁର ପଶି ଖାଉଥିବା ଦୃଶ୍ୟ ମେଡିକାଲରେ ଗୁମରକୁ ପଦାକୁ ଆଣିଛି। ଦୀର୍ଘଦିନ ଧରି ଏହି ଅବ୍ୟବସ୍ଥା ଲାଗି ରହିଥିବାବେଳେ ମରାମତି ହେଉଛି ବୋଲି ବିଭାଗୀୟ ଅଧିକାରୀ କହିବା ହାସ୍ୟାସ୍ପଦ ମନେ ହେଉଛି। ତେବେ ମେଡିକାଲର ସୁଧାର ପାଇଁ ପାଣି ପଣି ଡିଏମପାଣ୍ଠି ବିନିଯୋଗ ହେଉଥିବା କୁହାଯାଉଥିବାବେଳେ ଏନେଇ ସନ୍ଦେହ ଦେଖାଦେଇଛି।
ଡାକ୍ତରଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ସିଟି ସ୍କାନ୍, ଡାଇଲେସିସ୍, ଅତ୍ୟାଧୁନିକ ପାଥୋଲ୍ୟାବ ଆଦି ସବୁ ବ୍ୟବସ୍ଥା ରହିଛି ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)ରେ। ଜିଲ୍ଲା ଖଣିଜ ପାଣ୍ଠିରୁ ପାଣିପରି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଦାୟିତ୍ବରେ ଥିବା ଅଧିକାରୀ ଓ ପରିଚାଳନାଗତ ତ୍ରୁଟି ବ୍ୟବସ୍ଥାକୁ ଅବ୍ୟବସ୍ଥାରେ ପରିଣତ କରିଛି। ତେଣୁ ଭୁବନେଶ୍ବନର କ୍ୟାପିଟାଲ୍ ହସ୍ପିଟାଲର ପରି ମାନ୍ୟତା ପାଇଥିବା ଆର୍ଜିଏଚ୍ ଲୋକଙ୍କୁ ଯେତିକି ସେବା ଦେଉଛି, ତା’ ଢ଼େର କନ୍ଦାଉଛନ୍ତି। କେତେବେଳେ ଭୁଲ ରକ୍ତ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ରୋଗୀଙ୍କ ଜୀବନ ଯାଉଛି ତ ଅନ୍ୟ କେତେବେଳେ ରୋଗୀଙ୍କୁ ହଇରାଣ ହରକତ କରାଯାଉଛି।
ଧାରଣା ଓ ବିକ୍ଷୋଭ ପରେ କମିଟି ଗଠନ ହେଉଛି। ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ସମସ୍ୟା ସୁଧୁରୁନି। ଆର୍ଜିଏଚ୍ରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଉଛି ମର୍ଗ ହାଉସ ବ୍ୟବସ୍ଥା। ଦୈନନ୍ଦିନ ଆର୍ଜିଏଚ୍ରେ ୨/୩ ରୋଗୀଙ୍କ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଛି। ସେମାନଙ୍କ ଶବକୁ ମର୍ଗ ହାଉସ୍ରେ ରଖାଯାଉଛି। ଏଥିସହ କିଛି ଅଜଣା ଶବକୁ ପୁଲିସ ଜବତ କରି ଆର୍ଜିଏଚ୍ ମର୍ଗ ହାଉସ୍ରେ ମଧ୍ୟ ରଖୁଛି। ଏଥିପାଇଁ ମର୍ଗହାଉସ୍ରେ ୬ଟି ଫ୍ରିଜର ରହିଛି। କେତେକ ଅଚଳ ଫ୍ରିଜ ମର୍ଗହାଉସ ବାହାରେ ପଡ଼ିଛି।
ଯେଉଁ ୬ଟି ଫ୍ରିଜ ରହିଛି ରକ୍ଷଣାବେକ୍ଷଣ ଅଭାବରୁ ତାହା କାମରେ ଆସୁନି। କେବଳ ମର୍ଗହାଉସ୍ ଆଗରେ ଏସି କାମ କରୁ ନାହିଁ ବୋଲି ଲେଖି ଦେଇ ବିଭାଗୀୟ ଅଧିକାରୀମାନେ କାମ ସାରି ଦେଉଛନ୍ତି। ଫଳରେ ମର୍ଗରେ ଶବଗୁଡ଼ିକ ସେମିତି ଫ୍ରିଜରେ ରହି ସଢ଼ୁଛି। ଫ୍ରିଜର ଅଭାବରୁ ଶବଗୁଡ଼ିକୁ ମର୍ଗହାଉସ୍ ଭିତରେ ସେମିତି ଫିଙ୍ଗି ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ରବିବାର ମର୍ଗହାଉସ୍ ଭିତରେ କୁକୁର ପଶି ଶବକୁ ଖାଇବା ଘଟଣା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି। ଏ ସଂକ୍ରାନ୍ତରେ ଆର୍ଜିଏଚ୍ର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁଙ୍କୁ ମର୍ଗ ହାଉସ୍ ସମସ୍ୟା ପଚାରିବାରୁ ସେ ଜାଣିନଥିବା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କୁ ପଚାରିବାରୁ ସେ କହିଛନ୍ତି, ମର୍ଗ ହାଉସ୍ରେ ମୋଟ ୬ଟି ଫ୍ରିଜର ରହିଛି।
ଯେଉଁ ୬ଟି ଫ୍ରିଜ୍ର କିଣାଯାଇଥିଲା, ତା’ର ୱାରଣ୍ଟି ସମୟ ମାତ୍ର ବର୍ଷେ ଥିଲା। ଏସବୁ ଫ୍ରିଜ୍ରକୁ ୫ ବର୍ଷ ହୋଇଗଲାଣି। ଆଉ ନୂଆ ଫ୍ରିଜ୍ର ଅଣାଯାଇ ନାହିଁ। ତେଣୁ ଫ୍ରିଜର ପୁରୁଣା ହୋଇଯିବାରୁ ବାରମ୍ବାର ଅଚଳ ହେଉଛି। ତଥାପି ମେକାନିକ୍ଙ୍କୁ ଡାକି ମରାମତି କରାଯାଉଛି। ତେବେ ଡିଏମ୍ଏଫ୍ ପାଣ୍ଠିରୁ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଯଦି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଭଳି ସମସ୍ୟାକୁ କାହିଁକି ଏତେଟା ଗୁରୁତ୍ବ ଦିଆଯାଉ ନାହିଁ। ଆଗାମୀ ଦିନରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପ୍ରତି ଆର୍ଜିଏଚ୍ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।