ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ବର୍ଷ ବର୍ଷ ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ (ଏନ୍‌ଏଚ୍‌ଏମ୍‌)ର ଯୁଗ୍ମ ନିର୍ଦ୍ଦେଶକ(ପ୍ରଶାସନ) ଏଲୋରା ଭାରତୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ତିନି ଜଣିଆ ଟିମ୍‌ ଆର୍‌ଜିଏଚ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିନିୟର କନ୍‌ସଲ୍‌ଟାଣ୍ଟ (ପି ଆଣ୍ଡ ଆଇଏମ୍‌) ପ୍ରିୟଦର୍ଶୀ ଦାଶ, ଏନ୍‌ଏଚ୍‌ଏମ୍‌ର ରାଜ୍ୟ ଅର୍ଥ ମହାପ୍ରବନ୍ଧକ ମଳୟ କୁମାର ପାଣିଗ୍ରାହୀ ଓ ଏନ୍‌ଏଚ୍‌ଏମ୍‌ର କନ୍‌ସଲ୍‌ଟାଣ୍ଟ (ଏଚ୍‌ଆର୍‌) ଅଜିତ କୁମାର ବିଶ୍ବାଳ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଆର୍‌ଜିଏଚ୍‌ ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

Advertisment

ଆର୍‌ଜିଏଚ୍‌ ଅଧୀକ୍ଷକ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କ ଉପସ୍ଥିତିରେ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ନାଁରେ ଆସିଥିବା ଅଭିଯୋଗର ଟିକ୍‌ନିଖ୍‌ ତଦନ୍ତ ଆରମ୍ଭ କରିଛନ୍ତି। ବିଶେଷ କରି ଆର୍‌ଜିଏଚ୍‌ରେ ରୋଗୀଙ୍କ ବେଡ୍‌ସିଟ୍‌ ସଫେଇ କାମ କରୁଥିବା ‘ ମେର୍ସସ ମେଡ଼ିଆଡ ମେଡ଼ିକାଲ ଆନ୍ସିଲାରି ସର୍ଭିସେସ୍‌’ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ପାଖରେ ଜମା ହୋଇଥିବା ବିଲ୍‌ ଓ ଅନ୍ୟାନ୍ୟ କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ବେଡ୍‌ସିଟ୍‌ ସଫେଇ ଠିକାସଂସ୍ଥା, ହସ୍ପିଟାଲ ମ୍ୟାନେଜର ଓ ତାଙ୍କ ପ୍ରଚ୍ଛଦପଟରେ ଥିବା ଟିମ୍‌ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ବେଡ୍‌ସିଟ୍‌ର ସଂଖ୍ୟା ସହ ଓଜନ ବଢ଼ାଇ ମାସକୁ ପ୍ରାୟ ୫ ଲକ୍ଷ ଟଙ୍କା ଅଧିକ ବିଲ୍‌ କରୁଥିବା ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ ମର୍ଗହାଉସ୍‌ର ୪ ଫ୍ରିଜ୍‌ର ଗାୟବ ଘଟଣା ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଆସନ୍ତା‌କାଲି (ଗୁରୁବାର)ଟିମ୍‌ର ସଦସ୍ୟମାନେ ଆର୍‌ଜିଏଚ୍‌ର ମର୍ଗ ହାଉସ୍‌ ଅନ୍ୟ ବିଭାଗରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରିବେ ବୋଲି ଜଣାପଡ଼ିଛି। ଏନ୍‌ଏଚ୍‌ଏମ୍‌ଟିର ତଦନ୍ତକାରୀ ଟିମ୍‌ କହିଛନ୍ତି, ଦୁର୍ନୀତି ଅଭିଯୋଗ ବିଭାଗ ପାଖରେ ପହଞ୍ଚିବା ପରେ ସମସ୍ତ କାଗଜପତ୍ର ଯାଞ୍ଚ କରୁଛୁ। କେବଳ ହସ୍ପିଟାଲ ମ୍ୟାନେଜର ନା, ତାଙ୍କ ପଛରେ ଅନ୍ୟ କେଉଁମାନେ ଅଛନ୍ତି, ତା’ର ମଧ୍ୟ ତଦନ୍ତ କରାଯାଉଛି। ସଠିକ୍‌ ତତନ୍ତ କରାଯାଉଛି।

ବିସ୍ତୃତ ତଦନ୍ତ ରିପୋର୍ଟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରିବୁ। କାର୍ଯ୍ୟାନୁଷ୍ଠାନ କ’ଣ ହେବ ଆମେ କହିପାରିବୁ ନାହିଁ। ସେପଟେ ବିଜେପିର ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ବ ପ୍ରତିନିଧି ତଦନ୍ତକାରୀଟିମ୍‌କୁ ଭେଟିଥିଲେ। ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଓ ତାଙ୍କ ପଛରେ ରହିଥିବା ପୁରା ଟିମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେମିତି ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ତଦନ୍ତକାରୀଟିମ୍‌ର ଅଧିକାରୀଙ୍କୁ ଭେଟି ଦୁର୍ନୀତିଗସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।