ହୃଦ୍‌ରୋଗ ପରେ କର୍କଟ ଦ୍ୱିତୀୟ ବଡ଼ ଘାତକ : ପ୍ରତିଦିନ କର୍କଟ ନେଉଛି ୬୮ ଜୀବନ

ସମ୍ବଲପୁର : ଓଡ଼ିଶାରେ ପ୍ରତିଦିନ କର୍କଟ ନେଉଛି ୬୮ ଜୀବନ। କେନ୍ଦୁଝର, ଅନୁଗୁଳ ଏବଂ ଝାରସୁଗୁଡ଼ା ଭଳି କାରଖାନା ଅଞ୍ଚଳ ସହିତ ବରଗଡ଼ରେ ଏହା ଭୟଙ୍କର ଆକାର ଧାରଣ କରୁଛି। ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ବିଭିନ୍ନ ପ୍ରକାର ସାର ଔଷଧର ପ୍ରଭାବରେ ଯେଉଁଭଳି ଭାବରେ କର୍କଟ ରୋଗ ବ୍ୟାପୁଛି ତାହା ବର୍ତ୍ତମାନ ଉଦ୍‌ବେଗର ବିଷୟ ହୋଇଛି। ଏହା ଉପରେ ଗବେଷଣା ଦରକାର ବୋଲି ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିନିୟର ରେଡିଏସନ ଅଙ୍କୋଲୋଜିଷ୍ଟ ଡ. ରଣଜିତ କର।

ସେ କହିଛନ୍ତି, ହୃଦରୋଗ ପରେ କର୍କଟ ଦ୍ବିତୀୟ ବଡ଼ ଘାତକ। ୨୦୨୦ ସୁଦ୍ଧା ଭାରତରେ ୧୭ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ ହେବା ସହ ୮ ଲକ୍ଷରୁ ଊର୍ଧ୍ବ ଲୋକଙ୍କ ଏହି ରୋଗରେ ମୃତ୍ୟୁ ଆଶଙ୍କା ରହିଛି। ୨୦୧୬ରେ ୧୪ ଲକ୍ଷ କର୍କଟ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି। ଦେଶରେ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଗୁଜରାଟ ଏବଂ ରାଜସ୍ଥାନ ତୁଳନାରେ ଓଡ଼ିଶାରେ କର୍କଟ ରୋଗୀଙ୍କ ମୃତ୍ୟୁ ହାର କମ୍‌ ରହିଛି। ଏହା ସତ୍ତ୍ବେ ଯେଉଁଭଳି ମାରାତ୍ମକ ସ୍ଥିତିରେ ପହଞ୍ଚିଛି, ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମଆର) ଅନ୍ତର୍ଗତ ଏନ୍‌ସିଡିଆଇଆରର ଜାରି ତଥ୍ୟ ଅନୁଯାୟୀ, ୨୦୧୬ରେ ରାଜ୍ୟରେ ୪୯ ହଜାର ୬୭୪ କର୍କଟ ରୋଗୀଙ୍କ ମଧ୍ୟରୁ ୨୫ ହଜାର ୩୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୮୨ ହଜାର ୮୩୬ ରୋଗୀଙ୍କ ମଧ୍ୟରୁ ୪୧ ହଜାର ୮୪୮, ଗୁଜରାଟରେ ୭୩ ହଜାର ୫୫୧ ରୋଗୀ ମଧ୍ୟରୁ ୩୭ ହଜାର ୧୮୧, ମହାରାଷ୍ଟ୍ରରେ ୧ ଲକ୍ଷ ୩୨ ହଜାର ୭୨୬ ରୋଗୀଙ୍କ ମଧ୍ୟରୁ ୬୭ ହଜାର ୦୩୫, ତାମିଲନାଡ଼ୁର ୮୦ ହଜାର ୯୯୯ ଜଣଙ୍କ ମଧ୍ୟରୁ ୪୦ ହଜାର ୭୯୬, କର୍ଣ୍ଣାଟକର ୭୩ ହଜାର ୫୧୧ ରୋଗୀଙ୍କ ମଧ୍ୟରୁ ୩୭ ହଜାର ୦୫୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ରୋଗୀଙ୍କ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଛି।

Medical News Today

ଡାକ୍ତର କରଙ୍କ ସୂଚନା ଅନୁସାରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ରୋଗ ବିପଦଜନକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସତ୍ତ୍ବେ ଏହାର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ ଠାବ କରାଯାଇ ପାରି ନାହିଁ। ମହିଳାମାନେ ନିଜେ ଏଥିପ୍ରତି ସଚେତନ ହେବା ସହିତ ନିୟମିତ ଏହି ରୋଗର ଲକ୍ଷଣ ପ୍ରତି ଧ୍ୟାନ ଦେବା ଉଚିତ। ପୁରୁଷଙ୍କ ମଧ୍ୟରେ ମୁଖ ଗହ୍ବର କର୍କଟ ସର୍ବାଧିକ ହୋଇଥାଏ ବୋଲି ଡାକ୍ତର କର କହିଛନ୍ତି।

ସମ୍ବନ୍ଧିତ ଖବର