ଭୁବନେଶ୍ୱର : କୋଭିଡ୍-୧୯କୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ୧୭୦ରୁ ଅଧିକ ଟିକାକୁ ବିକଶିତ କରାଯାଉଛି। ସେହିପରି, ସାରାବିଶ୍ବରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ, ପରିସ୍ଥିତିର ମୁକାବିଲା କରିବା ପାଇଁ ଅନ୍ତର୍ନାସା ଟିକା ଅଧିକ ଫଳପ୍ରଦ ହୋଇପାରେ ବୋଲି ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅବସରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ଏସ୍.ସି. ମହାନ୍ତି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଫେସର ଡା. ମହାନ୍ତି କହିଛନ୍ତି ଯେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯେଉଁ ଅନ୍ତର୍ନାସା ଟିକା ପାଇଁ ଉଦ୍ୟମ ଚଳାଉଛନ୍ତି , ସେଥିରେ କିଛି କରୋନା ଭୂତାଣୁ ଜିନ୍ ସହିତ ଦୁର୍ବଳ ଫ୍ଲୁ ଭୂତାଣୁ ରହିଛି। ଗତ ସେପ୍ଟେମ୍ବର ମାସରେ ଏହାର ମାନବ ନୈଦାନିକ ପରୀକ୍ଷଣ କରାଯାଇଥିଲା। ଅନ୍ତର୍ନାସା ଟିକାକରଣ ଦ୍ବାରା ଲାଳରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିବ।
ପାରମ୍ପରିକ ଭାବେ ମାଂସପେଶୀରେ ଟିକାଦାନ ଠାରୁ ଏହି ଅନ୍ତର୍ନାସା ଟିକାକରଣ (ଆଡ୍-କୋଭିଡ୍)ରେ ଅନେକ ସୁବିଧା ରହିଛି। ଯେମିତିକି, ଏହା ସୃଷ୍ଟି କରୁଥିବା ଆଡ୍-କୋଭିଡ୍ ମ୍ୟୁକୋଜାଲ୍ ଇମ୍ୟୁନିଟି ନାକ ଗହ୍ବରେ ଜୀବାଣୁ ବିଲୋପ କରିପାରେ। ପାରମ୍ପରିକ ଭାବେ ମାଂସପେଶୀରେ ଦିଆଯାଉଥିବା ଟିକା ନାକ ଗହ୍ବରରେ ଜୀବାଣୁକୁ ମାରି ପାରିବ ନାହିଁ। ତେଣୁ ଉପର ଶ୍ବାସ ନଳୀରେ ଜୀବାଣୁ ରହିଯିବାର ସମ୍ଭାବନା ରହିବ। ଏହି କାରଣରୁ ଅନ୍ତର୍ନାସା ଟିକାକରଣ ଅଧିକ ପ୍ରଭାବଶାଳୀ।
ଅପରପକ୍ଷେ, ମାଂସପେଶୀରେ ଟିକାକରଣ ପାଇଁ ଜଣେ ଅଭିଜ୍ଞ ସ୍ୱାସ୍ଥ୍ୟ କର୍ମୀ , ଛୁଞ୍ଚି, ସିରିଞ୍ଜ ଏବଂ ଟିକା ଆବଶ୍ୟକ । ଏହା ମଧ୍ୟ ସବୁ ସମୟରେ, ସବୁ ଜାଗାରେ ଉପଲବ୍ଧ ହେବା ଜରୁରୀ। ଯାହାକି କଷ୍ଟସାଧ୍ୟ ହୋଇପାରେ। ମାଂସପେଶୀୟ ଟିକା ଦୁଇଟି ଡୋଜ ଆବଶ୍ୟକ କରିପାରେ। ପୂର୍ଣ୍ଣ ସିରିଞ୍ଜ୍ରେ ଗୋଟିଏ ଡୋଜ୍ର ପରିମାଣଠାରୁ ଅନ୍ୟ ଡୋଜ୍ର ପରିମାଣ ଅଧିକ ହୋଇଥିବା ଦରକାର। ଫଳରେ, କମ୍ ଭୂତ୍ତିଭୂମି ଥିବା ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହା ସମୟସାପେକ୍ଷ। ବିଶେଷକରି, ସବୁ ଲୋକଙ୍କୁ ଟିକା ଦେବା ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କୁ ବର୍ଷ ବର୍ଷ ଧରି ସମୟ ଲାଗିଯାଇପାରେ।
ଏହି ସମସ୍ୟାର ସମାଧାନ ପାଇଁ, ଅନ୍ତର୍ନାସା କୋଭିଡ୍ ଟିକା ଅଧିକ ପ୍ରଭାବଶାଳୀ ହେବ ବୋଲି ବିଚାର କରାଯାଉଛି। ଯଦି ଏ ସଂକ୍ରାନ୍ତୀୟ ପରୀକ୍ଷାନୀରିକ୍ଷା ଠିକ୍ ଭାବେ ଚାଲେ କୋଭିଡ-୧୯ର ମୁକାବିଲା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଫେସର ଡା. ଏସ୍ ସି ମହାନ୍ତି କହିଛନ୍ତି।