ଟ୍ରାଇ ତଥ୍ୟ: ଓଡ଼ିଶାର ମୋବାଇଲ୍ ବ୍ୟବହାରକାରୀଙ୍କ ସବୁଠୁ ପସନ୍ଦ ରିଲାଏନ୍ସ ଜିଓ

ଫେବ୍ରୁଆରିରେ ଯୋଡି ହୋଇଛନ୍ତି ୨.୪୩ ଲକ୍ଷ ନୂଆ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ।

ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ ଅଧିକ ରହିଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ।

ଫେବ୍ରୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ପାଖାପାଖି ୨.୦୬ ଲକ୍ଷ ବୃଦ୍ଧି ଘଟିଛି ଏବଂ ଏହା ସହିତ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହଞ୍ଚିଥିବା ଜଣାପଡିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟ ଟେଲିକମ୍ ବଜାରରେ ଅଗ୍ରଣୀ ଭୂମିକାରେ ଥିବା ରିଲାଏନ୍ସ ଜିଓର ୧,୨୩,୨୫,୫୮୭ ମୋବାଇଲ୍ ଉପଭୋକ୍ତା ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧,୧୫,୩୫,୨୨୬, ବିଏସ୍‌ଏନ୍‌ଏଲ୍‌ର ୬୧,୭୫,୭୬୮ ଓ ଭୋଡାଫୋନ୍ ଆଇଡିଆର ୩୩,୪୧,୭୯୦ ମୋବାଇଲ୍ ଉପଭୋକ୍ତା ଅଛନ୍ତି । ଫେବ୍ରୁଆରିରେ କେବଳ ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ୍ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଥିବା ବେଳେ ଏହି ସମାନ ସମୟରେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଜିଓ ପକ୍ଷରୁ ୨.୪୩ ଲକ୍ଷ ଗ୍ରାହକ ଯୋଡ଼ାଯାଇଥିବା ବେଳେ ବିଏସ୍‌ଏନ୍‌ଏଲ୍ ପ୍ରାୟ ୭୫ ହଜାର ଗ୍ରାହକ ଯୋଡ଼ିଛି । ଭାରତୀ ଏୟାରଟେଲ୍ ଏହି ମାସରେ ରାଜ୍ୟରେ ୮୩ ହଜାରରୁ ଅଧିକ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ପ୍ରାୟ ୨୯,୦୦୦ ଗ୍ରାହକ ହରାଇଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ୨୦୨୦ ଫେବ୍ରୁଆରିରେ ୬୨.୫ ଲକ୍ଷରୁ ଅଧିକ ଗ୍ରାହକ ଯୋଡିବା ସହ ଦେଶର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ୨୦୧୯ ଡିସେମ୍ବର ତଥ୍ୟ ଅନୁଯାୟୀ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଓ ରାଜସ୍ୱ ବଜାରରେ ସିଂହ ଭାଗ ଅଂଶ ସହିତ ରିଲାଏନ୍ସ ଜିଓ ଓଡ଼ିଶା ରାଜ୍ୟର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି।

ସମ୍ବନ୍ଧିତ ଖବର