ଭୁବନେଶ୍ବର: ଘର, ଭାଷା, ବେଶଭୂଷା, ରାଜ୍ୟ ଅଲଗା ଅଲଗା। କିନ୍ତୁ ଗୋଟିଏ ସମାନତା; ସେମାନେ ପ୍ରବାସୀ ଶ୍ରମିକ। ବୟସ ୨୦ରୁ ୪୫ ଭିତରେ। ପରିବାରର ପେଟ ପୋଷିବା ପାଇଁ ଚେନ୍ନାଇ ଯାଉଥିଲେ। କିଏ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ତ କିଏ ହୋଟେଲ ତ ଆଉ କିଏ ନିର୍ମାଣ ସଂସ୍ଥାରେ କାମ କରିବାକୁ ଯାଉଥିଲେ। ବାହାନଗା ଟ୍ରେନ୍ ଦୁର୍ଘଟଣାର ଅଧିକାଂଶ ମୃତକ ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳ ଏବଂ ଅସଙ୍ଗଠିତ ବର୍ଗର ହୋଇଥିବାରୁ ତାଙ୍କ ମୃତ୍ୟୁଜନିତ ଆକ୍ରୋଶ ରେଳ ମନ୍ତ୍ରଣାଳୟକୁ ସମ୍ମୁଖୀନ ହେବାକୁ ପଡ଼ିନାହିଁ। ବହୁ ସାମାଜିକ କର୍ମକର୍ତ୍ତା ଏପରି ମତ ଦେଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ରେଳ ମନ୍ତ୍ରାଳୟ ଗୋଟିଏ ଥର କିଛି କ୍ଷତିପୂରଣ ରାଶି ଦେଇଦେଲେ, ମୃତକ ଓ ଆହତଙ୍କ ପରିବାରର ଦୁଃଖ ଯିବନି। ରୋଜଗାରିଆ ସଦସ୍ୟକୁ ହରାଇଥିବା ସେଭଳି ପରିବାର ପାଇଁ ରୋଜଗାରର ବ୍ୟବସ୍ଥା ସରକାରଙ୍କୁ କରିବାକୁ ପଡ଼ିବ ବୋଲି ସେମାନେ ଦାବି କରିଛନ୍ତି।
ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ୨୧ ବର୍ଷୀୟ ରାଜୀବ ଡାକୁଆ, ନନ୍ଦିଗ୍ରାମର ୨୦ ବର୍ଷୀୟ ସେଖ୍ ସାହିଦ ଆଲମ ଓ ବିହାର ମୁଜାଫରପୁରର ୨୩ ବର୍ଷୀୟ କୁନ୍ଦନ କୁମାର। ରେଳ ଦୁର୍ଘଟଣାର ମୃତକଙ୍କ ଶରୀର ଏମ୍ସକୁ ଆସିବା ପରେ ଯେଉଁ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପ୍ରଥମ ଦିନରେ ଘରକୁ ପଠାଯାଇଥିଲା, ସେମାନଙ୍କ ମଧ୍ୟରୁ ଏହି ତିନି ଜଣ ଅନ୍ୟତମ। ସେଖ୍ଙ୍କ ୫ ମାସର ଝିଅ ଓ କୁନ୍ଦନଙ୍କ ବର୍ଷକର ପୁଅ ଏବେ ବାପ-ଛେଉଣ୍ଡ। ନବବିବାହିତା ସ୍ତ୍ରୀଦ୍ବୟ ସଂସାର କ’ଣ ଜାଣିବା ଆଗରୁ ସ୍ବାମୀ ଆରପାରିକୁ ଚାଲିଗଲେ। ସେହିପରି ରାଜୀବଙ୍କୁ ହରାଇ ତାଙ୍କ ବାପା-ମା’ ପାଗଳପ୍ରାୟ। ଆଜି ବି ପୁଅ ମନୋଜ କୁମାରଙ୍କୁ ଖୋଜୁଥିବା ବିହାର ସୀତାମାଢ଼ିର ବିଶ୍ବନାଥ ସାହାଣୀ କହନ୍ତି, ସେମାନେ ଭୂମିହୀନ ପରିବାରର। ତେଣୁ ୩ବର୍ଷ ହେଲା ତାଙ୍କ ପୁଅ ଚେନ୍ନାଇରେ ବ୍ୟାଗ୍ ତିଆରି କାମ କରି ପରିବାର ଚଳାଉଥିଲେ। ଗତ ଛୁଟିରେ ସେ ଘରକୁ ଆସି ଫେରୁଥିଲା। ଏମାନେ ସମସ୍ତେ ଭିନ୍ନ ସ୍ଥାନରୁ ବାହାରି ଭିନ୍ନ ବଗିରେ ନିଜ ସାଥୀମାନଙ୍କ ସହ ଶ୍ରମିକ ଭାବରେ କାର୍ଯ୍ୟ କରିବା ପାଇଁ ଚେନ୍ନାଇ ଯାଉଥିଲେ।
ସାମାଜିକ କର୍ମକର୍ତ୍ତା ଉମି ଡାନିଏଲ୍ କହନ୍ତି, ବାହାନଗାର ଦୁର୍ଘଟଣାଗ୍ରସ୍ତ ଉଭୟ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାଟିଆ-ଯଶୋବନ୍ତପୁର ଏକ୍ସପ୍ରେସ୍ ଉପରେ ମୁଖ୍ୟତଃ ପ୍ରବାସୀ ଶ୍ରମିକମାନେ ନିର୍ଭରଶୀଳ। ଏହି ଟ୍ରେନ୍ରେ ରୋଜଗାର ପାଇଁ ଦକ୍ଷିଣ ଭାରତ ଯାଆନ୍ତି କିମ୍ବା ଛୁଟି ନେଇ ଘରକୁ ଫେରନ୍ତି। ପଶ୍ଚିମବଙ୍ଗ ହେଲ୍ପଡେସ୍କର ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ କହିଛନ୍ତି, ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଶ୍ଚିମବଙ୍ଗର ଅଧିକାଂଶ ମୃତକ ଗରିବ ଏବଂ ପ୍ରବାସୀ ଶ୍ରମିକ। ମୁର୍ସିଦାବାଦ, ବୀରଭୂମି, ବଡ଼ୱାନ, ପୂର୍ବମେଦିନୀପୁର, ଦିନାଦପୁର, ଦକ୍ଷିଣ ଚବିଶପ୍ରଗଣା, ଉତ୍ତର ନିନାଦପୁରରୁ କେବଳ ଅନୁସୂଚିତ ଜାତି, ଜନଜାତି ନୁହେଁ ପଛୁଆ ବର୍ଗ, ମୁସଲମାନମାନେ ଚେନ୍ନାଇକୁ ରୋଜଗାର ପାଇଁ ଯାଉଥିଲେ। ମୁର୍ସିଦାବାଦର ନିର୍ମାଣ ଶ୍ରମିକଙ୍କ ଚାହିଦା ସର୍ବଭାରତୀୟ ସ୍ତରରେ ଅଧିକ ଥିବାରୁ ଏମାନେ ଭାରତର ସବୁଠି କାର୍ଯ୍ୟ କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ। ୨୫ବର୍ଷ ହେଲା ବାହାର ରାଜ୍ୟକୁ ଯାଉଥିବା ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି।
ବିହାରର ସୁରେଶ ରାୟଙ୍କ ଅନୁସାରେ, ବିହାରରେ କାର୍ଯ୍ୟର ବିଶେଷ ସୁଯୋଗ ନଥିବାରୁ କାହିଁ କେତେ ବର୍ଷ ହେଲା ପିଲାମାନେ ବାହାରକୁ ରୋଜଗାର ପାଇଁ ଯାଉଛନ୍ତି। ବର୍ତ୍ତମାନ ରେଳ ସଂଯୋଗ ବଢ଼ିଥିବାରୁ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। କିଛି ଦିନ ପୂର୍ବରୁ ଇଦ୍କୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଯୁବକ ଛୁଟିରେ ଆସି ଫେରୁଥିଲେ। ରୋଜଗାର ପାଇଁ ଯାଉଥିବା ଏହି ଯୁବକମାନେ ପରିବାର ସହିତ ଯାଉନଥିଲେ। ବରଂ ନିଜ ତଥା ନିକଟସ୍ଥ ଗାଁ ଯୁବକଙ୍କ ସହିତ ଗ୍ରୁପ ହୋଇ ଯାଉଥିଲେ। ଆନାଟୋମି ବିଭାଗର ଅତିରିକ୍ତ ପ୍ରଭାସ ତ୍ରିପାଠୀଙ୍କ ଅନୁସାରେ ମଧ୍ୟ ଏମସରେ ସଂରକ୍ଷିତ ମୃତକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୫ ପ୍ରତିଶତରୁ କମ। ଅନ୍ୟଦିଗରେ କୌଣସି ଶିଶୁ ମୃତକଙ୍କ ଶରୀର ଏଠାରେ ନଥିବା ସେ କହିଛନ୍ତି। ବିଏମସି ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାର ଜଣେ ନିଖୋଜ ବାଳକ ମୃତ୍ୟୁ ହୋଇଥିବା ଟ୍ବିଟ ଜରିଆରେ ସୂଚନା ଦେଇଛି। ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ନେଇ ସର୍ବୋଚ୍ଚ ନ୍ୟାୟାଳୟ ମନ୍ତବ୍ୟ ଦେଇଥିଲେ ଯେ ନିଜ ଦେଶରେ ସେମାନଙ୍କୁ ଶରଣାର୍ଥୀ ଭଳି ବ୍ୟବହାର କରାନଯାଉ। କେବଳ ପରିବାର ନୁହେଁ ନିର୍ମାଣ ବ୍ୟବସ୍ଥା ପାଇଁ ପ୍ରବାସୀ ଶ୍ରମିକଙ୍କ ଉପରେ ଦେଶ କେତେ ନିର୍ଭରଶୀଳ ଲକଡାଉନରେ ସେମାନେ ଘରକୁ ଚାଲି ଯିବା ପରେ ଜଣାପଡ଼ିଥିଲା। ଷଡ଼ଯନ୍ତ୍ର କିମ୍ବା ରେଳ ବିଭାଗର ଅସଜଡ଼ା ଭିତ୍ତିଭୂମି କିମ୍ବା ଅବହେଳା କାରଣ, ଯାହା ମଧ୍ୟ ହେଉ ଏତେ ସଂଖ୍ୟକ ଜୀବନ ଯାହା ଯୋଗୁଁ ଯାଇଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଏଭଳି ଆହୁରି ଅମୂଲ୍ୟ ଜୀବନ ଚାଲିଯିବ।