ଅଧିକାଂଶ ଫାଣ୍ଡିରେ ତାଲା, ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ

ବାଲେଶ୍ବର: ବାଲେଶ୍ବର ସହରରେ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା‌ ତଥା ଅପରାଧିକ କାର୍ଯ୍ୟକଳାପ ଚରମସୀମାରେ ପହଞ୍ଚିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ବିଶେଷ କରି ଅପରାଧ ମୁକାବିଲାରେ ପୁଲିସ ନିଷ୍କ୍ରିୟତାକୁ ଦାୟୀ କରି ତୁରନ୍ତ ଏହାର ସମାଧାନ କରା ନଗଲେ ସହରବାସୀ ରାଜରାସ୍ତାକୁ ଓହ୍ଲାଇ ପୁଲିସ ବିରୋଧରେ ହରତାଳ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ। ବାଲେଶ୍ବର ସହରକୁ ଖୁବ୍‌ଶୀଘ୍ର ଅପରାଧମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଏସ୍‌ପିଙ୍କ ତତ୍ତ୍ବାବଧାନରେ ବରିଷ୍ଠ ପୁଲିସ ଅଧିକାରୀ ଓ ଅଭିଜ୍ଞ କର୍ମଚାରୀଙ୍କୁ ଡକାଇ ଏକ ଆକ୍ସନ ଟିମ୍‌ ଗଠନ କରିଥିବା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ବର ସହରରେ ଚାକିରି ଜୀବନ ବିତାଇଥିବା ବିଭାଗର କିଛି ଅବସରପ୍ରାପ୍ତ ଅଧିକାରୀ ତଥା କର୍ମଚାରୀଙ୍କ କହିବା ଅନୁଯାୟୀ, ସହରରେ ପୁଲିସ ପୁଲିସ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। ବାଲେଶ୍ବର ସହରରେ ଏକାଧିକ ସମ୍ପ୍ରଦାୟ ବସବାସ କରୁଥିବା ବେଳେ ପ୍ରତ୍ୟେକ ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ବିବେଚନା କରାଯାଏ। ତେଣୁ ସହର ଭିତରେ ଓ ଚାରିପାଖରେ ୪ଟି ଥାନା ରହିଥିବା ବେଳେ ୬ଟି ଫାଣ୍ଡି ରହିଛି। ତେବେ ବଡ଼ ଦୁର୍ଭାଗ୍ୟର ବିଷୟ ହେଉଛି ଏହି ଥାନାଗୁଡ଼ିକରେ ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧିକାରୀ ନା ଅଛନ୍ତି କର୍ମଚାରୀ। ଫାଣ୍ଡିଗୁଡ଼ିକ କଥା ନକହିବା ଭଲ। ସହରର ଦାମୋଦରପୁର, ପରମିଟ୍‌ ଘାଟ, ସୁନହଟ, ଫକୀରମୋହନ କଲେଜ, ସହଦେବଖୁଣ୍ଟା, ବାଲିଆ ଆଦି ଅଞ୍ଚଳରେ ଗୋଟିଏ ଲେଖାଏଁ ଫାଣ୍ଡି ପ୍ରତିଷ୍ଠା କରାଯାଇଥିବା ବେଳେ ‌ଏବେ ସେଠାରେ ଅଧିକାଂଶ ସମୟ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ କେଉଁ ଅଞ୍ଚଳରେ ଆଇନଶୃଙ୍ଖଳା ସ୍ଥିତି କ’ଣ ରହିଛି ବା ଅପରାଧ ଶ୍ରେଣୀର ବ୍ୟକ୍ତିମାନେ କ’ଣ କରୁଛନ୍ତି, ତାହା ଥାନାରେ ଥିବା ପୁଲିସବାବୁଙ୍କ ନଜରକୁ ଆସିପାରୁନାହିଁ।

ଏହାବାଦ୍‌ ଥାନା କମ୍‌ ପୁଲିସ କର୍ମଚାରୀଙ୍କୁ ‌ନେଇ ଚାଲିଥିବାରୁ ନିୟମିତ ପାଟ୍ରୋଲିଂ କରାଯାଉ ନଥିବା ବେଳେ ଗୋଟିଏ ଗୋଟିଏ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ପୁଲିସର ଦୃଷ୍ଟି ଆଢ଼ୁଆଳରେ ରହୁଛି। ଏଥିସହ ପ୍ରତି ଥାନା ଏରିଆରେ ଏବେ ସ୍ଥିତି ଏପରି ଉପୁଜିଛି ଯେ ଥାନାକୁ ପ୍ରତିଦିନ ୮୦ରୁ ୧୦୦ଟି ଆସୁଥିବା ସମନ୍‌ ମଧ୍ୟ ବାଣ୍ଟିବାକୁ ସମସ୍ୟା ହେଉଛି। ଯାହାର ପରିଣାମ ସ୍ବରୂପ ଅପରାଧୀ ଗୋଷ୍ଠୀ ସେଠାରେ ନିଜର କାୟାବିସ୍ତାର କରି ଅପରାଧ ଘଟାଇ ଚାଲିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅଧୀନରେ ଥିବା ଅରଡ଼ବଜାର, ଗଳାପୋଲ, ଦହପଡ଼ା, ଗୋଶାଳାପଦା, ଗୋଧିବସା, ତେଲେଙ୍ଗାସାହି, ବାଲିଆ, ‌ଗୁଡ଼ିପଦା, ଭାସ୍କରଗଞ୍ଜ, ଶିଳ୍ପାଞ୍ଚଳ ଥାନା ଅଧୀନ ଅଙ୍ଗାରଗଡ଼ିଆ, କୁକୁଡ଼ାପଦା, ସରସ୍ବତୀପୁର, ଆଳୁପୁର, ସଦର ଥାନା ଅଧୀନ ମେଘଡ଼ମ୍ବରୁ, କରଞ୍ଜିଆ, ଭୋଇସାହି, ତାମୁଳିଆ, କୁରୁଡ଼ା, ସାରଗାଁ ଟାଉନ ଥାନା ଅଧୀନ ପୁରୁଣା ବାଲେଶ୍ବର, ଦଉଡ଼ିଭଙ୍ଗା, ବାରବାଟୀ, ଚୁନଭାଟି, ମାଣିଖମ୍ବ, ତଳସାହି, ଗୋଳାପୋଖରୀ, ସୁନହଟ ଆଦି ଅଞ୍ଚଳରେ ମାଳମାଳ ଅପରାଧୀ ଗୋ‌ଷ୍ଠୀ ନିଜର ଆଡା ଜମାଇଛନ୍ତି। ପ୍ରତିଦିନ ସେମାନେ ନିଶା କାରବାର, ଚୋରି, ଡକାୟତି, ଛିନ୍‌ତାଇ ଆଦି କରିବା ସହ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

ତା’ଛଡ଼ା ଯେଉଁ ଅଞ୍ଚଳରେ ଯେତେବେଳେ କିଛି ଅଘଟଣ କିମ୍ବା ଅପରାଧ ଘଟୁଛି ଥାନାକୁ ଖବର ଦେଲେ ସେଠାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିବାକୁ ବିଳମ୍ବ ହେଉଛି। ଫଳରେ ଅପରାଧୀମାନେ ସହଜରେ ଅପରାଧ ଘଟାଇ ଫେରାର୍‌ ହେବାକୁ ସହଜ ହେଉଛି। ପୁଲିସ ନିକଟରେ ଯଦିଓ ଏସବୁ ଖବର ରହିଛି ଅପରାଧ ମୁକାବିଲା ପାଇଁ କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଆବଶ୍ୟକ ଯୋଜନା କିମ୍ବା ସମନ୍ବୟ ନଥିବାରୁ ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ କେହି ପାଟି ଫିଟାଇବାକୁ ଚାହୁଁ ନଥିବା ଜଣାପଡ଼ିଛି। ଏ ଦିଗରେ ଆଇଜି ଏବଂ ଏସ୍‌ପି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର