ଗ୍ରାମୀଣ ରୋଜଗାରକୁ ମାଡ଼: ନିଜ ରାଜ୍ୟରେ ନିଜ ଟଙ୍କା ଖର୍ଚ୍ଚ ପାଇଁ ଓଡ଼ିଶାକୁ ମିଳୁନି ଅନୁମତି

ଅଧାରେ ପଡ଼ିଛି ମନରେଗାର ଅଧିକାଂଶ ପ୍ରକଳ୍ପ

ଭୁବନେଶ୍ୱର : ନିଜ ରାଜ୍ୟରେ ନିଜ ଟଙ୍କା ଖର୍ଚ୍ଚ ପାଇଁ ଓଡ଼ିଶା ସରକାରଙ୍କୁ ଅନୁମତି ମିଳୁନି। କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କ୍ଷେତ୍ରରେ ସୃଷ୍ଟି ହୋଇଛି ଏହି ସମସ୍ୟା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା ବାବଦରେ ଆବଶ୍ୟକ ଅର୍ଥ ଦିଆନଯିବାରୁ ବର୍ତ୍ତମାନ ପାଇଁ ଆବଶ୍ୟକ ଥିବା ୪୫୨କୋଟି ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅନୁମତି ମାଗିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଚିବ ଏକ ସପ୍ତାହ ପୂର୍ବରୁ ଚିଠି ଲେଖିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଏହି ଟଙ୍କା ଖର୍ଚ୍ଚ ପାଇଁ ଅନୁମତି ପ୍ରଦାନ କରି ନଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଏଥିଯୋଗୁଁ ରାଜ୍ୟର ଗାଁ ଶ୍ରମିକଙ୍କ ରୋଜଗାର ସଙ୍କୁଚିତ ହେଉଛି।

YouTube

ସୂଚନା ଅନୁଯାୟୀ, ୨୦୨୧-୨୨ ମସିହାରେ ରାଜ୍ୟରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତରେ ସମୁଦାୟ ୨ ଲକ୍ଷ ୭୦ ହଜାର ୬୨୧ ପ୍ରକଳ୍ପ ମଧ୍ୟରୁ ୨ ଲକ୍ଷ ୪୯ ହଜାର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଏଥି ଅନ୍ତର୍ଗତ ୭୮.୯ଲକ୍ଷ ଶ୍ରମିକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ପ୍ରକଳ୍ପ ପାଇଁ ସମୁଦାୟ ସାଢ଼େ ୬ ହଜାର କୋଟି ଖର୍ଚ ହୋଇସାରିଛି। ଟଙ୍କା ଅଭାବ ପ୍ରକଳ୍ପ ଅଗ୍ରଗତିରେ ବାଧା ସୃଷ୍ଟି କରିଛି। ମନରେଗା ପାଇଁ ଆବଶ୍ୟକ କମ୍ପୋନେଣ୍ଟ କ୍ରୟ କରାଯାଇ ପାରୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଉଛି। ୨୦୨୧ ମନରେଗା ଯୋଜନା ବାବଦରେ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଟଙ୍କା ନଦେବାରୁ କେନ୍ଦ୍ରର ଅନୁମତି ସହିତ ଓଡ଼ିଶା ସରକାର ୭୫୨ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ଯେଉଁ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଦେଇ ନାହିଁ। ତେଣୁ ସମ୍ଭବତଃ ୪୫୦ କୋଟି ଟଙ୍କାର ବୋଝ ନେବାକୁ କେନ୍ଦ୍ର ପ୍ରସ୍ତୁତ ନଥିବା ଅନୁମାନ କରାଯାଉଛି। ଯାହା ବର୍ତ୍ତମାନ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଦିନମଜୁରିଆଙ୍କ ପାଇଁ କାଳ ହୋଇଛି। ମହାମାରୀର ପ୍ରଭାବ ବର୍ତ୍ତମାନ ମଧ୍ୟ ଓଡ଼ିଶା ଉପରେ ବଳବତ୍ତର ରହିଛି। ସେଥିରେ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ ଯୋଗୁଁ ମନରେଗା ଶ୍ରମିକଙ୍କ ପାଇଁ ରୋଜଗାରର ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହେଉଛି। ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ଆଗ୍ରହ ନଦେବା ରାଜ୍ୟ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ହେବା ନେଇ ଆଶଙ୍କା ହେଉଛି।

The Indian Express

ୟୁପିଏ-୧ ମନମୋହନ ସରକାରଙ୍କ ସମୟରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଆରମ୍ଭ ହୋଇଥିଲା। ଏହା କାର୍ଯ୍ୟକାରୀ କରିବା ରାଜ୍ୟ ଦାୟିତ୍ବ କିନ୍ତୁ ଏଥିପାଇଁ ଆବଶ୍ୟକ ଟଙ୍କା କେନ୍ଦ୍ର ଦେଇଥାଏ। ଏପରିକି ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିବାକୁ ଚାହିଲେ ମଧ୍ୟ କେନ୍ଦ୍ରର ଅନୁମୋଦନ ଆବଶ୍ୟକ ପଡ଼େ। କାରଣ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ଯୋଜନା ବାବଦରେ ରାଜ୍ୟ ଖର୍ଚ କରିଥିବା ଟଙ୍କା ଫେରାଇବାକୁ ବାଧ୍ୟ ହୋଇ ଥାଆନ୍ତି। ସରକାର ବଦଳିବା ସହ ମନରେଗା ଯୋଜନା ପ୍ରତି କେନ୍ଦ୍ର ସରକାରଙ୍କ ଗୁରୁତ୍ବ ମଧ୍ୟ ହ୍ରାସ ପାଇଛି। ଲକ୍‌ଡାଉନ୍‌ ସମୟ ବ୍ୟତୀତ ନରେନ୍ଦ୍ର ମୋଦୀ ସରକାର ଏହି ଯୋଜନାକୁ କେବେ ମଧ୍ୟ ଗୁରୁତ୍ବ ଦେଇନାହାନ୍ତି। ଏଥିଯୋଗୁଁ ଅଧିକାଂଶ ବର୍ଷ ଯୋଜନା ପାଇଁ ଅର୍ଥ ସଙ୍କଟ ଦେଖା‌ଦେଉଛି।

ସମ୍ବନ୍ଧିତ ଖବର