ଧରାପଡ଼ିଲା ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶଙ୍କର: ୨୫ ସୁରକ୍ଷାକର୍ମୀ ହତ୍ୟା ମାମଲାରେ ସାମିଲ ଥିଲା

ରାଇଫଲ, ଗୁଳି, ୩୫ ହଜାର ଟଙ୍କା ଜବତ, ୩୪ ବର୍ଷ ଧରି ସଂଗଠନରେ ସକ୍ରିୟ ଥିଲା, ଦୁଇ ରାଜ୍ୟରେ ରହିଛି ୭୬ ମାମଲା

ଭୁବନେଶ୍ବର: ଦୁବାସୀ ଶଙ୍କର ଓରଫ୍ ମହେନ୍ଦ୍ର ଓରଫ୍ ଅରୁଣ ଓରଫ୍ ରମେଶ ଓରଫ୍ ଆରଏମ୍ ଓରଫ୍ ମହେଶ। ଏମିତି ଏକାଧିକ ନାଁରେ ଦୀର୍ଘ ୩୪ ବର୍ଷ ଧରି ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ସକ୍ରିୟ ଥିବା ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶେଷରେ ଓଡ଼ିଶା ପୁଲିସ ହାତରେ ଧରାପଡ଼ିଛି। ବୈପାରୀଗୁଡ଼ାର ପେଟାଗୁଡ଼ା ଜଙ୍ଗଲରେ ଡିଭିଏଫ୍, ଏସ୍ଓଜି ଏବଂ ବିଏସ୍‌ଏଫ୍‌ର ମିଳିତ ଅପରେସନ ବେଳେ ତା’କୁ ଗିରଫ କରାଯାଇଛି। ଦୁବାସୀ ନିକଟରୁ ଇନସାସ୍ ରାଇଫଲ୍, ୧୦ ରାଉଣ୍ଡ ଗୁଳି, ମୋବାଇଲ ଫୋନ୍, ନଗଦ ୩୫ ହଜାର ଟଙ୍କା ଜବତ କରାଯାଇଛି। ଦୁବାସୀ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ବୋଲି ଜଣାପଡ଼ିଛି।

ଆଜି ଭୁବନେଶ୍ବର କମିସନରେଟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଅଭୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଦୁବାସୀ ମାଓ ସଂଗଠନର ଜଣେ ଦୁର୍ଦ୍ଦାନ୍ତ ସଦସ୍ୟ ଥିଲା। ୧୯୮୭ରେ ମାଓ ସଂଗଠନର ତେଲେଙ୍ଗାନା ଇନ୍ଦ୍ରପୁରିଆଲ ଏରିଆ କମିଟିରେ ଯୋଗ ଦେଇଥିଲା। ୨୦୦୩ରେ ପଦୋନ୍ନତି ପାଇ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ୍ କମିଟି ସଦସ୍ୟ ହୋଇଥିଲା। ସେହିପରି ୨୦୧୦ରେ ଷ୍ଟେଟ୍ ମିଲିଟାରି କମିସନରେ ଯୋଗ ଦେଇଥିଲା। ଦୁବାସୀ ବିରୋଧରେ କୋରାପୁଟରେ ୨, ମାଲକାନଗିରିରେ ୧୮, ବିଶାଖାପାଟଣାରେ ୩୨ ଓ ତେଲେଙ୍ଗାନାରେ ୨୪ ମାମଲା ରହିଛି। ଏବେ ସୁଦ୍ଧା ତା ବିରୋଧରେ ୭୬ଟି ମାମଲା ଥିବା ଜଣାପଡ଼ିଛି। ଗତ ୨୦ ବର୍ଷ ଭିତରେ ଏଭଳି ଏକ ପାହ୍ୟାର ମାଓବାଦୀ ଧରାପଡ଼ିବା ବିରଳ ଘଟଣା। ଅଧିକ ତଦନ୍ତ ଓ ଖୋଳତାଡ଼ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।

ଦୁବାସୀର ଅପରାଧ ରେକର୍ଡ ବେଶ୍ ଲମ୍ବା। ୨୦୦୯ ଦାମନଯୋଡ଼ି ବକ୍ସାଇଟ୍ ଖଣି ସୁରକ୍ଷା ଦାୟିତ୍ବରେ ଥିବା ୧୦ ସିଆଇଏସଏଫ୍ ଯବାନଙ୍କୁ ହତ୍ୟା ମାମଲାରେ ସେ ସାମିଲ ରହିଥିଲା। ସେହିପରି ୨୦୧୦ ଏପ୍ରିଲ ୪ ତାରିଖରେ ବୈପାରୀଗୁଡ଼ା ଗୋବିନ୍ଦପାଲ୍ଲୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୧୧ ଜଣ ପୁଲିସ କର୍ମଚାରୀ ସହିଦ ଘଟଣାରେ ଦୁବାସୀ ଅନ୍ୟତମ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଏହାଛଡ଼ା ଚିତ୍ରକୋଣ୍ଡାର ଜହ୍ନିଗୁଡ଼ାରେ ଆମ୍ବୁସ୍ କରି ବିଏସ୍ଏଫ୍ କମାଣ୍ଡାଣ୍ଟ ଓ ୩ ବିଏସଏଫ୍ ଯବାନଙ୍କୁ ହତ୍ୟା ଘଟଣାରେ ଦୁବାସୀ ସମ୍ପୃକ୍ତ ଥିଲା। ପଣସପୁଟ, ଯୋଡ଼ାମ୍ବ ସମେତ ଏକାଧିକ ମାଓ ହିଂସାରେ ମଧ୍ୟ ସେ ସାମିଲ ଥିଲା।

ସମ୍ବନ୍ଧିତ ଖବର