ମାଲକାନଗିରି: ଓଡ଼ିଶାର ଅଖ୍ୟାତ ପଲ୍ଲୀରୁ ବାହାରି ପୁଲିସ ପାଇଁ କୁଖ୍ୟାତ ପାଲଟିଥିବା ଜଣେ ନକ୍ସଲ ନେତାଙ୍କ ଭୟଙ୍କର ଅନ୍ତ ହୋଇଛି। ସୀମାନ୍ତ ଛତିଶଗଡ଼ ମହାସୁମଦ ଜିଲ୍ଲାରେ ପୁଲିସ ଗୁଳିରେ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଆଲୋକ ନିହତ ହୋଇଥିବା ସୂଚନା ମିଳିଛି। ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଏନ୍କାଉଣ୍ଟରରେ ସଂଗଠନ ଅନେକ ବଡ଼ ନେତାଙ୍କୁ ହରାଇଛି। ନକ୍ସଲଙ୍କୁ ଆଉ ତ୍ରାହି ନାହିଁ। ଗୋଡ଼ାଇ ଗୋଡ଼ାଇ ଏନ୍କାଉଣ୍ଟର କରୁଛନ୍ତି ସୁରକ୍ଷାକର୍ମୀ। ୪ଦିନ ତଳେ ହୋଇଥିବା ଏନ୍କାଉଣ୍ଟରରେ ୧୬ଜଣ ନକ୍ସଲ ନିହତ ହୋଇଥିଲେ। ଏଥିରେ ଜଣେ ଓଡ଼ିଆ ରହିଥିବା ଆଜି ସୂଚନା ମିଳିଛି। ସେ ହେଉଛନ୍ତି ଆଲୋକ ସେଠୀ ଓରଫ ମୁନା। ଘର କଟକଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କୂଳଶ୍ରୀ ଗାଁରେ। ବହୁ ବର୍ଷ ତଳେ ପରିବାର ସହ ସଂପର୍କ ତୁଟାଇ ଗାଁ ଛାଡ଼ିଥିଲେ ଆଲୋକ। ପର୍ଯ୍ୟାୟକ୍ରମେ ଆଲୋକଙ୍କୁ ସଂଗଠନରେ ପଦୋନ୍ନତି ମିଳିଥିଲା।
/sambad/media/media_files/2025/01/25/F0OCk8tVxIqfHUDU3wP2.jpg)
ଡିଭିସିଏମ୍ ପଦରେ କାମ କରୁଥିବା ଆଲୋକ ତିନି ରାଜ୍ୟର ପୁଲିସକୁ ଏକପ୍ରକାର ନାକେଦମ କରି ରଖିଥିଲେ। ତେଣୁ ତାଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ୮ଲକ୍ଷ, ଓଡ଼ିଶା ସରକାର ୫ଲକ୍ଷ ଏବଂ ଆନ୍ଧ୍ର ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଆଲୋକ ପାଠପଢ଼ାରେ ବେଶ ମେଧାବୀ ଥିଲେ। ମାଟ୍ରିକ, ଯୁକ୍ତ ଦୁଇ ଓ ସ୍ନାତକ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଜଗତସିଂହପୁର ଏସ୍ଭିଏମ୍ରେ ପୁଅକୁ ବହୁକଷ୍ଟରେ ପଢ଼ାଇଥିଲେ ପରିବାର। ତେବେ କଲେଜ ପଢ଼ା ସରିବା ପରେ ଆଲୋକ ଘରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ଦୀର୍ଘ ୩୦ ବର୍ଷ ହେଲା ତାଙ୍କର କୌଣସି ଖୋଜଖବର ନ ମିଳିବାରୁ ପରିବାର ଲୋକେ ତାଙ୍କୁ ଭୁଲିଯାଇଥିବା ସଂପର୍କୀୟ କହିଛନ୍ତି। ନକ୍ସଲ ସଙ୍ଗଠନରେ ସାମିଲ ହୋଇ ସେ ଦେଶ ବିରୋଧୀ କାମ କରିଛି। ତେଣୁ ତାର ମୃତଦେହ କାହିଁକି ଆଣିବୁ ବୋଲି ସଂପର୍କୀୟ ପ୍ରକାଶ କରିବା ସହ ପୁଅର କୃତକର୍ମ ଯୋଗୁଁ ବୃଦ୍ଧ ବାପା, ମା’ ଗାଁ ଛାଡ଼ି ବାହାରକୁ ପଳାଇଛନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ସୁରକ୍ଷା ବାହିନୀର ଏନ୍କାଉଣ୍ଟର ନକ୍ସଲ ସଂଗଠନର ଅଣ୍ଟା ଭାଙ୍ଗି ଦେଇଛି। କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ଓରଫ ଜୟରାମ ମଧ୍ୟ ପୁଲିସ ଗୁଳିରେ ଟଳିଛନ୍ତି। ସେହିପରି ଦୁଇ ଜଣ ରାଜ୍ୟ କମିଟି ସଦସ୍ୟ ସତ୍ୟମ ଗାଵଡେ ଏବଂ ଜୟରାମ ଓରଫ ଗୁଡ଼ୁ ନିହତ ହୋଇଛନ୍ତି। ଚଲପତିଙ୍କ ମୁଣ୍ଡ ପାଇଁ ସରକାର କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସତ୍ୟମ ଏବଂ ଗୁଡ଼ୁ ମୁଣ୍ଡ ପାଇଁ ୬୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ୧୩ଲକ୍ଷ ଟଙ୍କା ପୁରସ୍କାର ଘୋଷିତ କଳାହାଣ୍ଡି ଏରିଆ କମିଟି ଏସିଏମ୍ ପଦବିରେ ଥିବା ଶଙ୍କର ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ନିହତ ଏସିଏମ୍ କଲମୁ ଦେବେ, ଏସିଏମ୍ ମଞ୍ଜୁ, ଏସିଏମ୍ ରିଙ୍କିଙ୍କ ନାଁରେ ୧୩ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ପାର୍ଟି ସଦସ୍ୟ ସୁଖରାମ, ରାମେ ଓୟାମ, ଜେନି ଓରଫ ମାସେ ନାଁରେ ୩ଲକ୍ଷ ଟଙ୍କା ଲେଖାଏଁ ରହିଥିବା ବେଳେ ମାଓ କମାଣ୍ଡର ମନୁ ନାଁରେ ୧୬ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/03/OJiPiTVXJC6BVrqw4c71.jpg)