ମୋଷ୍ଟ୍‌ୱାଣ୍ଟେଡ୍‌ ବିଜୟ ନାୟକ ଗିରଫ; ୭ ମାଉଜର, ୬୫ ରାଉଣ୍ଡ ଗୁଳି, କାର, ବାଇକ୍ ଜବତ

ସୁଲେମାନ୍‌, କାଳିଆ ଗୁନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା

କଟକ-ମହାନଦୀବିହାର : ଗ୍ୟାଙ୍ଗଷ୍ଟର୍ ଟିଟୋର ସହଯୋଗୀ, ଉପକୂଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କ ଚଳାଇଥିବା କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିଜୟ ନାୟକ (୪୩)କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି। ତା’ ନିକଟରୁ ୭ଟି ବିଦେଶୀ ମାଉଜ଼ର, ୬୫ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି। ଏଥିସହିତ, ତା’ର ୬ ସହଯୋଗୀଙ୍କୁ ବି ପୁଲିସ ଗିରଫ କରିଛି।

ସଂଗିନ ଅପରାଧ ସହିତ ବଂଧୁକ ଚୋରା କାରବାର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୟ ଓ ତା’ର ସହଯୋଗୀ ଡକାୟତି ଘଟଣାରେ ଲିପ୍ତ ଥିଲେ। ଗତକାଲି ବିଳମ୍ବିତ ରାତିରେ କାଳିଆବୁଦା କୁରୁକ୍ଷେତ୍ର ପଡ଼ିଆ ନିକଟରେ ବିଜୟ ଓ ତାର ସହଯୋଗୀ ଡକାୟତି ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘଟଣାସ୍ଥଳରୁ ବିଜୟ ଫେରାର ହୋଇଯାଇଥିଲା। ପୁଲିସ ସେଠାରେ ବିଜୟର ଜଣେ ସହଯୋଗୀକୁ ଜେରା କରିବା ପରେ ଥାନା ଆଇଆଇସି ତାପସ ପ୍ରଧାନଙ୍କ ନେତୃତ୍ୱରେ ଥାନା କ୍ରାଇମ ୟୁନିଟ୍‌ ଇନଚାର୍ଜ ଏସଆଇ ମନେଶ୍ୱର ପ୍ରଧାନ, ଥାନା ସ୍କ୍ବାଡ୍ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ, ଅବିନାଶ ମହାପାତ୍ର ପ୍ରମୁଖ କେନ୍ଦ୍ରାପଡା ଓ ଜଗତସିଂହପୁରର ବିଭିନ୍ନ ଜାଗାରେ ଚଢଉ କରି ବିଜୟକୁ ଗିରଫ କରିଥିବାବେଳେ ତା’ ନିକଟରୁ ୭ଟି ବିଦେଶୀ ମାଉଜ଼ର, ୬୫  ରାଉଣ୍ଡ ଅଫୁଟା ଗୁଳି ଜବତ କରିଥିଲେ। ସେ ବ୍ୟବହାର କରୁଥିବା ଗୋଟିଏ ୱାଗନ ଆର କାର୍, ଗ୍ଲାମର ବାଇକ, ୬ଟି ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ବିଜୟର ସହଯୋଗୀ କୁହାଯାଉଥିବା ଜଗତସିଂହପୁର ତାରପୁର ଅଞ୍ଚଳର ଜଗା ଓରଫ ଜଗନ୍ନାଥ ଦାସ (୩୯), ତିର୍ତ୍ତୋଲର ବିଜୁ ଓରଫ ବିଜୟ ସାମଲ(୩୪), କନକପୁରର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ, ଟାଙ୍ଗୀର ସିଲୁ ଓରଫ ତୁଷାର ଖୁଣ୍ଟିଆ(୩୪), ବିରିଡିର ଭାଲୁ ଓରଫ ମୁକ୍ତାର ସାହ(୪୨), ଗତିରାଉତ ପାଟଣାର ଶ୍ରୀନାଥ  ଆରାଉତ(୩୯)କୁ ମଧ୍ୟ ପୁଲିସ ଗିରଫ କରିଛି।

ଅଭିଯୁକ୍ତ ବିଜୟ ନାମରେ କେନ୍ଦ୍ରାପଡା, ପୁରୀ, ଯାଜପୁର, ମଞ୍ଚେଶ୍ୱର, ପାଟକୁରା ଥାନାରେ ହତ୍ୟା, ଦାଦାବଟି, ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ଟେଣ୍ଡର ଫିକ୍ସିଂ, ହତ୍ୟା ଉଦ୍ୟମ ଭଳି ୧୨ରୁ ଅଧିକ ମାମଲା ରହିଛି। ସେହିଭଳି ଜଗା ନାମରେ ପୁରୀଘାଟ, ମଙ୍ଗଳାବାଗ, ପାଟକୁରା, ଭଣ୍ଡାରୀ ପୋଖରୀ, ବଡ଼ଚଣା, ରଘୁନାଥପୁର ଥାନାରେ ପନ୍ଦରରୁ ଅଧିକ ଅାପରାଧିକ ମାମଲା ରହିଥିବା ବେଳେ ପିଣ୍ଟୁ ନାମରେ ତିର୍ତ୍ତୋଲ ଓ ପାରାଦୀପ ଥାନାରେ ୧୧ରୁ ଅଧିକ ମାମଲା ରହିଛି। ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହ, ଏସିପି ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଥାନା ଆଇ ଆଇ ସି ତାପସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ମୁଙ୍ଗେରରୁ ବନ୍ଧୁକ ଆଣି ଦୁଇଗୁଣା ଦରରେ ବିକୁ ଥିଲା
ବିଜୟ ଓ ତା’ର ସହଯୋଗୀ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି କେନ୍ଦ୍ରାପଡା, ଭୁବନେଶ୍ୱର ଓ କଟକର ଅପରାଧୀ ମାନଙ୍କୁ ଯୋଗାଉଥିଲା। ସେ ବଂଧୁକ ଗୋଟାକୁ ତିରିଶ ହଜ଼ର ଟଙ୍କାରେ ଆଣି ଏଠି ସତୁରି ହଜ଼ାର ଟଙ୍କାରେ ବିକ୍ରି କରୁଥିଲା। ବିଜୟ ନାୟକ ନିଜେ ମୁଙ୍ଗେରକୁ ବସରେ ଯାଇ ବନ୍ଧୁକ ଆଣୁଥିଲା ଓ ତାର ସହଯୋଗୀଙ୍କ ଦ୍ବାରା ବିଭିନ୍ନ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଉଥିଲା। ଗୋଟିଏ ମାଉଜ଼ର ସାଙ୍ଗରେ ଗୋଟିଏ ଗୁଳି ଭର୍ତି କ୍ୟାସେଟ ମିଳୁଥିବା ବେଳେ ଅନ୍ୟ ଗୋଟିଏ କ୍ୟାସେଟ ପାଇଁ ଦଶ ହଜ଼ାର ଟଙ୍କା ନେଉଥିଲା। ବିଜୟ ନାୟକ ପ୍ରାୟ କୋଡ଼ିଏରୁ ଅଧିକ ବନ୍ଧୁକ କଟକ-ଭୁବନେଶ୍ବରରେ ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଛି।

ପାନ ଦୋକାନୀରୁ ଗ୍ୟାଙ୍ଗଷ୍ଟର୍
କେନ୍ଦ୍ରାପଡା ଦୁହୁରିଆ ଛକରେ ଏକ ପାନ ଦୋକାନ କରିଥିବା ବିଜୟ ନାୟକ ୧୯୯୯ ମସିହା ମହାବାତ୍ୟା ସମୟରେ ଏକ ଲୁଟ୍‌ କରି ଜେଲ ଯାଇଥିଲା। ଜେଲ୍‌ରୁ ଆସିବା ପରେ ଗ୍ୟାଙ୍ଗଷ୍ଟର ଟିଟୋର ଇଙ୍ଗିତରେ ସେ ଗ୍ୟାଙ୍ଗଷ୍ଟର ହାଇଦରକୁ ଶୋଇଥିବା ସମୟରେ ହାଣି ଜେଲ ଯାଇଥିଲା। ୨୦୦୪ ମସିହାରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ମାଉସୀମା ମନ୍ଦିର ନିକଟରେ କାଳିଆ ଗୁନକୁ ଦିନ ଦିପହରରେ ଗୁଳି କରି ହତ୍ୟା କରିଥିଲା। ସେଥିରେ ତା’ସହିତ  ପୁରୀର ପୁକା ମହାପାତ୍ର ଓ ଚାଉଳିଆଗଞ୍ଜ ଥଟାରୀ ସାହିର ସଞ୍ଜୟ ସାହୁ ଓରଫ ଭଜନା ରହିଥିଲେ। ପୁରୀ ଜେଲରୁ ବାହାରିବା ପରେ ସେ କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଶେଖ ସୁଲେମାନର ବଡିଗାର୍ଡ ଭାବେ କାମ କରିଥିଲା। କିନ୍ତୁ ୨୦୦୯ ମସିହାରେ କେନ୍ଦ୍ରାପଡା ଅପରଧ ସାମ୍ରାଜ୍ୟକୁ ହାତକୁ ନେବା ଲୋଭରେ ବିଜୟ ଓ ସୁଲେମାନ ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ବିଜୟ ସୁଲେମାନକୁ ଗୁଳି କରି ହତ୍ୟା କରିଥିଲା। ୨୦୧୯ ମସିହାରେ କେନ୍ଦ୍ରାପଡା ଦୁହୁରିଆ ଛକରେ ପୁଲିସ ତାକୁ ଏନକାଉଣ୍ଟର କରିଥିଲା। ଜେଲରେ କିଛି ଦିନ ରହି ମୁକୁଳିବା ପରେ ସେ ପୁଣି ଅପରାଧୀକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲା।

ସମ୍ବନ୍ଧିତ ଖବର