ଫୁଲବାଣୀ: କନ୍ଧମାଳ ପୁଲିସ ଏନ୍କାଉଣ୍ଟରେ ନିହତ ମହିଳା କ୍ୟାଡର୍ ମାଓବାଦୀର ମୃତଦେହ ଉଦ୍ଧାର କରି ଆଜି ବ୍ୟବଚ୍ଛେଦ ସରିଛି। ମୃତଦେହ ପାଖରେ ପଡ଼ିଥିବା ୨ଟି ଦେଶୀ ବନ୍ଧୁକ ଓ ୪ ରାଉଣ୍ଡ ଜୀବନ୍ତ ଗୁଳି ମଧ୍ୟ ପୁଲିସ ଜବତ କରିଛି। ଏହି କ୍ୟାମ୍ପ୍ରେ ଓଡ଼ିଶା ରାଜ୍ୟ କମିଟି କେକେବିଏନ୍ ସଂଗଠନର ୨୦ରୁ ୨୫ ଜଣ ମାଓବାଦୀ ଥିଲେ। ସେମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍ ମାଓନେତା ଦସୁର୍ ଥିଲା ବୋଲି କନ୍ଧମାଳ ଏସ୍.ପି ଭିନୀତ୍ ଅଗ୍ରୱାଲ୍ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଘଟଣା ପରେ ନିକଟ ଘଞ୍ଚ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଯଥେଷ୍ଟ ସଭାବନା ଥିବାରୁ କୁମ୍ବିଂ ଅପରେସନ୍କୁ ଜୋର୍ଦାର୍ କରାଯାଇଛି।
କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୋଏରମାରୁ ପଞ୍ଚାୟତ ପାଦରପଡ଼ା ନିକଟ ଜଙ୍ଗଲରେ ଗତକାଲି ଅପରାହ୍ଣରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ କମ୍ବିଂ ଅପରେସନ୍ ଚଳାଇଥିବା ବେଳେ ସେମାନଙ୍କ ଆଡ଼କୁ ଲକ୍ଷ୍ୟ କରି ମାଓବାଦୀ ଗୁଳି ଚଳାଇଥିଲେ। ପୁଲିସ ସେମାନଙ୍କୁ ଗୁଳିମାଡ଼ ବନ୍ଦ କରି ଆତ୍ମସମର୍ପଣ କର ବୋଲି କହିଥିଲେ ବି ମାଓବାଦୀ ଶୁଣି ନଥିଲେ, ବରଂ ଗୁଳିମାଡ଼ ଜାରି ରଖିଥିଲେ। ପାଲଟା ଜବାବ ଦେବାକୁ ଯାଇ ପୁଲିସ ଆଖିବୁଜା ଗୁଳିମାଡ଼ କରିଥିଲା। ପୁଲିସକୁ ସାମ୍ନା କରି ନପାରି ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇ ପଛକୁ ହଟି ଯାଇଥିଲେ। ଏହାପରେ ପୁଲିସ ସର୍ଚ୍ଚ ଅପରେସନ୍ କରିବା ସମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ ଦେହ ମିଳିଥିଲା। ତା' ପାଖରୁ ବନ୍ଧୁକ ଓ ଗୁଳି ଠାବ କରା ଯାଇଥିଲା। ଆଜି ମୃତ ମହିଳା କ୍ୟାଡର ମାଓବାଦୀଙ୍କ ଶବ ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଅଣା ଯାଇଥିଲା। ବ୍ୟବଚ୍ଛେଦ ସରିଥିବା ବେଳେ ମୃତଦେହକୁ ନିୟମ ଅନୁଯାୟୀ ୩ ଦିନ ପର୍ଯ୍ୟନ୍ତ ରଖାଯିବ। ଯଦି କେହି ପରିବାର ଲୋକ ଦାବିଦାର ଆସନ୍ତି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ନ ହେଲେ ଜଙ୍ଗଲରେ ମୃତହେକୁ ପୋତି ଦିଆଯିବ। ମୃତ ମହିଳା କ୍ୟାଡର ମାଓବାଦୀର ବୟସ ୩୦ ମଧ୍ୟରେ ହେବ। ତା'ର ପରିଚୟ ମିଳି ପାରିନାହିଁ।
ସାମ୍ବାଦିକ ସମ୍ମିଳନୀରେ ଏସ୍.ପି ଶ୍ରୀ ଅଗ୍ରୱାଲ୍ ମାଓବାଦୀଙ୍କୁ ବନ୍ଧୁକ ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ବାନ୍ ଦେଇଛନ୍ତି। ଆତ୍ମସମର୍ପଣ ପରେ ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଯଦି ହିଂସା ଘଟାଇବାକୁ ଉଦ୍ୟମ କରନ୍ତି ମାଓବାଦୀଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ଏସ୍.ପି ସତର୍କ କରାଇ ଦେଇଛନ୍ତି। ଆଇପିଏସ ପ୍ରୋବେସନର ଅଭିନବ ସୋନକର ଓ ଏବଂ ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଗତ ଜୁଲାଇ ମାସରେ ପୁଲିସ ଗୁଳିରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଗତ ସେପ୍ଟେମ୍ବର ୯ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ପ୍ରାଣ ହରାଇଥିଲେ। ଗତକାଲି ଜଣେ ମହିଳା କ୍ୟାଡର୍ ପୁଲିସ ଗୁଳିର ଶିକାର ହୋଇଥିବା ବେଳେ ୬ ମାସ ମଧ୍ୟରେ ୧୩ ମାଓବାଦୀଙ୍କ ମୃତ୍ୟୁ ଘଟିଲାଣି। ଏହି କାରଣରୁ ରକ୍ତମୁଖା ହୋଇ ପଡ଼ିଛନ୍ତି ମାଓବାଦୀ। କନ୍ଧମାଳରେ ବଡ଼ ଧରଣର ହମ୍ଲା ପାଇଁ ଯୋଜନା ଚଳାଇଛନ୍ତି। ହେଲେ କନ୍ଧମାଳରେ ଅପରେସନ୍ରେ ସାମିଲ ଯବାନଙ୍କୁ ଟକ୍କର୍ ଦେବାକୁ ସାହସ କରିପାରୁ ନଥିବାରୁ ଅଧିକାଂଶ ସମୟରେ ପୋଷ୍ଟର୍ ଓ ବ୍ୟାନର୍ ମାରି ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇ ଆସୁଛନ୍ତି।