ପୁଲିସ୍‌ ପଞ୍ଝାରେ ‌ମୋଷ୍ଟ୍ ୱାଣ୍ଟେଡ୍‌ ପାଟୁ

ଗ୍ୟାଙ୍ଗର ଅନ୍ୟ ୩ ସଦସ୍ୟ ଗିରଫ

ବନ୍ଧୁକ, ଜୀବନ୍ତ ଗୁଳି, ବାଇକ୍‌ ଜବତ
ପାଟୁ ନାଁରେ ୧୯ରୁ ଊର୍ଧ୍ବ ମାମଲା
ଏସ୍‌ସିବିରୁ ଚମ୍ପଟ ମାରିଥିଲା

ଭୁବନେଶ୍ୱର : କମିସନରେଟ୍‌ ପୁଲିସ୍‌ର ମୋଷ୍ଟ-ୱାଣ୍ଟେଡ୍‌ ତାଲିକାରେ ଥିବା କୁଖ୍ୟାତ ଅପରାଧୀ ଶାହାଜହାନ ଖାନ ଓରଫ ପାଟୁ ଏବେ ସ୍ପେସାଲ ସ୍କ୍ବାଡ୍‌ ପଞ୍ଝା‌ରେ। ଗତରାତିରେ ପାଟୁ କଟକ-ଭୁବନେଶ୍ୱର ଜାତୀୟ ରାଜପଥ‌ରେ ଯାଉଥିବା ବେଳେ ସ୍ପେସାଲ ସ୍କ୍ବାଡ୍‌ ଅଧିକାରୀମାନେ ତାକୁ ନଖରା ନିକଟ‌ରେ ମାଡ଼ି ବସିଥିଲେ। ପରେ ତା’ ସୂଚନା ଆଧାରରେ ଗ୍ୟାଙ୍ଗର ଅନ୍ୟ ୩ ସହଯୋଗୀଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ନେଇଥିଲା ସ୍କ୍ବାଡ୍‌। ସେମାନେ ହେଲେ, ନିମାପଡ଼ା କଳାପାଞ୍ଚଣର ସେକ୍‌ ସାହିଦ, ନିମାପଡ଼ା ତେରୁଣ୍ଡିଆର ପ୍ରଶାନ୍ତ ଭୋଇ ଓରଫ ପୁନିଆ ଓ ଖଣ୍ଡଗିରି ଯଦୁପୁରର ଜଲ୍ଲାଉଦିନ ଖାନ ଓରଫ ରାଜା। ସେମାନଙ୍କଠାରୁ ପୁଲିସ୍‌ ନଗଦ ୭୦ ହଜାର ଟଙ୍କା, ଗୋଟିଏ ବାଇକ୍‌, ବନ୍ଧୁକ ଏବଂ ୪ ରାଉଣ୍ଡ ଗୁଳି ଜବତ କରିଛି। ଏହି ଅଭିଯୁକ୍ତମାନେ ଗତ ୫ ତାରିଖରେ ବରମୁଣ୍ଡାରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ୯୪ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ପାଟୁ ବିରୋଧରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା। ତେଣୁ ସ୍ପେସାଲ ସ୍କ୍ବାଡ୍‌ ସେମାନଙ୍କୁ ଖଣ୍ଡଗିରି ଥାନାର ଜିମା ଦେବା ପରେ ପୁଲିସ୍‌ କୋର୍ଟଚାଲାଣ କରିଛି। ତେବେ ଏହି ଗ୍ୟାଙ୍ଗ୍‌ର ଆଉ ଦୁଇ ସଦସ୍ୟ ଫେରାର୍‌ ଅଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସ୍ପେସାଲ ସ୍କ୍ବାଡ୍‌ ଏସିପି ସଂଜୀବ ଶତପଥୀ କହିଛନ୍ତି।

ପାଟୁର ଘର ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ। ତା’ ନାଁରେ ଖଣ୍ଡଗିରିଠାରୁ ଆରମ୍ଭ କରି ବାଲିପାଟଣା, ବାଲିଅନ୍ତା, ନିମାପଡ଼ା, ପୁରୀର ବିଭିନ୍ନ ଥାନାରେ ୧୯ଟି ମାମଲା ରହିଛି। ଛିନ୍‌ତାଇ, ଚୋରି, ଡକାୟତି, ଲୁଟ୍‌ ପ୍ରଭୃତି ମାମଲା‌ରେ ଦୀର୍ଘ ଦିନରୁ ସେ କମିସନରେଟ୍‌ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଥିଲା। ୨୦୧୬ ମାର୍ଚ୍ଚ ୩ରେ ପୁଲିସକୁ ଆକ୍ରମଣ କରି ଖସି ଯାଉଥିବା ବେଳେ ଖଣ୍ଡଗିରି ଛକରେ ତାକୁ ଏନ୍‌କାଉଣ୍ଟର୍‌ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍‌ସିବିର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିବା ସମୟରେ ପରିସ୍ରା କରିବା ବାହାନାରେ ସେ ଫେରାର୍‌ ହୋଇଯାଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ବେହାରୁ ୬ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ପାଟୁ ଫେରାର୍‌ ହେବାର ୬ ମାସ ପରେ ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ ତାକୁ ପୁଣିଥରେ ଗିରଫ କରିଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ମାତ୍ର ସେଠାରୁ ସେ ପୁଣିଥରେ ଫେରାର୍‌ ହୋଇଯାଇଥିଲା। କିନ୍ତୁ କିଛି ସମୟ ପରେ ପୁଲିସ୍‌ ତାକୁ ଏୟାରପୋର୍ଟ ନିକଟ ଅଞ୍ଚଳରୁ ଧରି ଥିଲା। ସେବେଠାରୁ ପାଟୁ ପାଖାପାଖି ୨ ବର୍ଷ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ମୁକୁଳିଥିଲା। ତା’ ପରଠାରୁ ପୁଣି ତା’ର ଉତ୍ପାତ ଆରମ୍ଭ ହୋଇଯାଇଥିଲା। ରାଜଧାନୀ ଓ ଉପକଣ୍ଠରେ ଲୁଟ୍‌, ରାହାଜାନି, ଡକାୟତି କରି କମିସନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିଲା। ଗତ ଅଗଷ୍ଟ ୫ ତାରିଖରେ ବରମୁଣ୍ଡା ନିକଟରୁ ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ମନୋରମା ବରାଳଙ୍କୁ ବନ୍ଧୁକ ମୁନରେ ଲୁଟିଥିଲା। ସେହିପରି ୨୦ ତାରିଖରେ ବାଲିଅନ୍ତାର ଗଡ଼ଶ୍ରୀରାମପୁରର ପ୍ରେମଲତା ସାହୁଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ଫେରାର୍‌ ହୋଇଯାଇଥିଲା। ତେବେ ବାଲିଅନ୍ତା ଘଟଣାର ସିସିଟିଭି ଫୁଟେଜ୍‌ ହାତରେ ଲାଗିବା ପରେ ଅପରାଧୀଜଣଙ୍କ ଆଉ କେହି ନୁହେଁ, ବରଂ ପାଟୁ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ତେଣୁ ତାକୁ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦିଆଯାଇଥିଲା। ସ୍ପେସାଲ ସ୍କ୍ବାଡ୍‌ ତା’ ମୋବାଇଲ୍‌କୁ ଟ୍ରାକ୍‌ କରି ତା’ର ସବୁ ଗତିବିଧି ଉପରେ ନଜର ରଖିଥିଲା। କିଛି ଦିନ ହେଲା ସେ ନିମାପଡ଼ାରୁ ପୁରୀ, ସେଠାରୁ ଖୋର୍ଦ୍ଧା ଓ ପରେ ଜଗତ୍‌ସିଂହପୁର ଯାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ପାଖାପାଖି ୨୦ ଦିନ ପରେ ଗତରାତିରେ ସେ ବାଇକ୍‌ରେ ଭୁବନେଶ୍ୱର ଆସୁଥିବା ବେଳେ ସ୍ପେସାଲ ସ୍କ୍ବାଡ୍‌ ଅଧିକାରୀମାନେ ତାକୁ ନଖରା ନିକଟରେ ମାଡ଼ି ବସିଥିଲେ।

ପାଟୁ ସୂଚନା ଆଧାରରେ ଗିରଫ ହୋଇଥିବା ତା’ର ଅନ୍ୟ ୩ ସହଯୋଗୀଙ୍କ ମଧ୍ୟ ଅପରାଧ ତାଲିକା ବେଶ୍‌ ଲମ୍ବା। ସେକ୍‌ ସାହିଦ୍‌ ନାମରେ ୯ଟି ମାମଲା ଥିବା ବେ‌ଳେ ଜଲ୍ଲାଉଦ୍ଦିନ ନାମରେ ୩ ଓ ପୁନିଆ ନାମରେ ୮ଟି ମାମଲା ରହିଛି। ବରମୁଣ୍ଡାରେ ବନ୍ଧନ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠାରୁ ୯୪ ହଜାର ଟଙ୍କା ଲୁଟ୍‌ରେ ମଧ୍ୟ ପାଟୁ ସହ ଜଲ୍ଲଉଦ୍ଦିନ୍‌ର ହାତ ରହିଥିବା ଖଣ୍ଡଗିରି ଥାନା ସୂଚନା ଦେଇଛ। ସୂଚନାଅନୁଯାୟୀ, ଜଲ୍ଲଉଦ୍ଦିନ୍‌ ପାଟୁର ସଂପର୍କୀୟ। ଗତ ୫ ତାରିଖ ଦିନ ମହିଳା ବ୍ୟାଙ୍କ କର୍ମଚାରୀଜଣଙ୍କ ଟଙ୍କା ଧରି ଏକୁଟିଆ ଯାଉଥିବା ଦେଖି ଜଲ୍ଲାଉଦ୍ଦିନ୍‌ ଏ ସଂପର୍କରେ ପାଟୁକୁ ଖବର ଦେଇଥିଲା। ସେତେବେଳେ ପାଟୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚକ୍କର୍‌ କାଟୁଥିଲା। ଜଲ୍ଲାଉଦ୍ଦିନ୍‌ଠାରୁ ସୂଚନା ପାଇ ପାଟୁ ବରମୁଣ୍ଡା ପଳାଇ ଆସିଥିଲା। ଦୁହେଁ ମହିଳାଙ୍କୁ ଘେରିଯାଇ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଥିଲେ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି। ତେବେ ଧରାପଡ଼ିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ପୁରୀ, ନିମାପଡ଼ା, ଭୁବନେଶ୍ବର ଛଡ଼ା ଆଉ କେଉଁଠି ମାମଲା ରହିଛି କି ନାହିଁ, ସେ ନେଇ ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି ବୋଲି ଖଣ୍ଡଗିରି ଥାନା ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର