ତୁମୁଡ଼ିବନ୍ଧ: କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡକାୟତି, ରାହାଜାନୀ ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରି ଆସୁଥିବା ମୋଷ୍ଟ୍‌ ୱାଣ୍ଟେଡ୍‌ ଧର୍ମା ମଲ୍ଲିକକୁ ଆଜି ତୁମୁଡ଼ିବନ୍ଧ ପୁଲିସ ଗିରଫ କରିଛି। ଧର୍ମା ନାମରେ ତୁମୁଡ଼ିବନ୍ଧ ଥାନା ଅଧୀନ ପେଟ୍ରୋଲ ପମ୍ପ ଲୁଟ, ଡକାୟତି, ମାଦାଗୁଡ଼ାରେ ଡକାୟତ, ଗଦ୍ରଙ୍ଗିଆରେ ଟ୍ରକ୍‌କୁ ଆକ୍ରମଣ ସହ ଶିକ୍ଷକଙ୍କଠାରୁ ଟଙ୍କା ଲୁଟ ଭଳି ୧୦ରୁ ଅଧିକ ମାମଲା ରହିଛି। ସେ ସ୍ଥାନୀୟ ଅଞ୍ଚଳ ସମେତ ତିନିଟି ଜିଲ୍ଲାରେ ପ୍ରାୟ ୫ ବର୍ଷ ହେଲା ସକ୍ରିୟ ରହି ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ ଗଢ଼ିଥିଲା।

Advertisment

ଏହି ଗ୍ୟାଙ୍ଗରେ ୧୨ଜଣ ରହିଥିବା ବେଳେ ସମସ୍ତେ ପୂର୍ବରୁ ଗିରଫ ହୋଇଥିଲେ। କିନ୍ତୁ ଧର୍ମା ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଦୁଇଦିନ ପୂର୍ବରୁ ଗ୍ୟାଙ୍ଗ୍‌ର ସହଯୋଗୀ ଜାମିନ୍‌ ପାଇ ମୁକୁଳିବା ଖବର ପାଇ ଗତକାଲି ସେ ଟ୍ରେନ୍‌ରେ ମୁନିଗୁଡ଼ା ପହଞ୍ଚିଥିଲା। ସେଠାରୁ ଏକ ପଲ୍‌ସର ବାଇକ୍‌ରେ ତୁମୁଡ଼ିବନ୍ଧ ଆସୁଥିବା ବେଳେ କୌଣସି ସୁତ୍ରରୁ ପୁଲିସ ଖବର ପାଇଥିଲା। ଥାନା ଅଧିକାରୀ ଆଶୁତୋଷ ଜେନା, ଏସ୍‌ଆଇ ଅମ୍ବିକା ପାତ୍ର, ଓଏପିଏଫ୍‌ ଯବାନ ମନୋରଞ୍ଜନ କହଁର, ଅନନ୍ତ ପ୍ରଧାନ, କନେଷ୍ଟବଳ ଶ୍ରୀଧର ଦେହୁରୀ ଧର୍ମାକୁ କାବୁ କରିବାରେ ସକ୍ଷମ ହୋଇଥିଲେ।