ଏକକାଳୀନ ଖସିଥିଲେ ୩୬ ଦୁର୍ଦ୍ଦାନ୍ତ
୬ ବର୍ଷରେ ଏସସିବିରୁ ୫ ଫେରାର୍
କଟକ : ଆଜକୁ ୪୫ ବର୍ଷ ତଳେ ରାଉରକେଲା ଜେଲ୍ରୁ ଫେରାର ହୋଇଯାଇଥିଲା ଦେଶର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ସତଲାଲ ଗୁପ୍ତା। ପାଖାପାଖି ୮ରୁ ଅଧିକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସତଲାଲ ସାରାଦେଶର ପୁଲିସ ପାଇଁ ଥିଲା ମୋଷ୍ଟ ଵାଣ୍ଟେଡ୍। ଓଡ଼ିଶା ପୁଲିସ ତାକୁ ଗିରଫ କରିବା ପରେ ସେ ରାଉରକେଲା ଜେଲ୍ରେ ସଜା କାଟୁଥିଲା। କିନ୍ତୁ ଜେଲ୍ ସୁରକ୍ଷାକର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ତ ଫିଙ୍ଗି ଫେରାର ହୋଇଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସତଲାଲ୍ ପୁଲିସ ରେକର୍ଡରେ ଫେରାର୍ ଆସାମୀ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ପୂର୍ବରୁ ଉତ୍ତରପ୍ରଦେଶର ସତଲାଲ ଗୁପ୍ତା ଦେଶରେ ଏକପ୍ରକାର ଆତଙ୍କ ସୃଷ୍ଟି କରିଥିଲା। ସତଲାଲ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପୁଲିସ ପାଇଁ ମୋଷ୍ଟ ଵାଣ୍ଟେଡ୍ ଥିଲା। ତାକୁ ଓଡ଼ିଶା ପୁଲିସ ଧରିବାରେ ସଫଳ ହୋଇଥିଲା। ସତଲାଲ ୨ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଉରକେଲା ଜେଲ୍ରେ ସଜ୍ଜା କାଟୁଥିଲା। ଏହାସହିତ ତାର ଆହୁରି ୫ଟି ମାମଲାର ଶୁଣାଣି କୋର୍ଟରେ ଚାଲିଥିଲା। ଆହୁରି କିଛି ମାମଲା ଥିଲା, ଯେଉଁଥିରେ ସତଲାଲ ବିରୋଧରେ ଥାନାକୁ ମାମଲା ବି ଆସୁ ନ ଥିଲା। ସେ ଏତେ ଭୟଙ୍କର ଥିଲା ଯେ, ତାକୁ କୌଣସି ରାଜ୍ୟର ପୁଲିସ ଗିରଫ କରିପାରୁ ନ ଥିଲେ। ଶେଷରେ ଓଡ଼ିଶା ପୁଲିସ ହାତରେ ଗିରଫ ହୋଇ ସତଲାଲ ରାଉରକେଲା ଜେଲ୍ରେ ଥିଲା। ୧୯୭୬ ମସିହାର ଘଟଣା। ସେହି ସମୟରେ ଗୋଟିଏ ପଟେ ଜରୁରୀକାଳୀନ ପରିସ୍ଥିତି ଏବ˚ ଏପଟେ ସତଲାଲ ଜେଲ୍ରୁ ଚମ୍ପଟ୍ ମାରିବା ଭଳି କାଣ୍ତ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ହଇଚଇ ସୃଷ୍ଟି କରିଥିଲା। ରାଉରକେଲା ଜେଲ୍ରୁ କୋର୍ଟକୁ ହାଜର ହେବାକୁ ଯାଇଥିବା ଦଳେ ଅପରାଧୀ ଲଙ୍କାଗୁଣ୍ତ ସାଙ୍ଗରେ ଧରି ଜେଲ୍କୁ ଫେରିଥିଲେ। ରାଉରକେଲା ପୁଲିସ ଟିମ୍ ଅପରାଧୀଙ୍କୁ ଜେଲ୍ ସୁରକ୍ଷା କର୍ମୀଙ୍କ ଜିମା ଦେଇଥିଲେ। କିନ୍ତୁ ଜେଲ୍ର ସୁରକ୍ଷାକର୍ମୀ ଠିକ୍ରେ ଯାଞ୍ଚ ନ କରିବାରୁ ସେହି ଲଙ୍କାଗୁଣ୍ତକୁ ସତଲାଲଙ୍କ ସମେତ ଅନ୍ୟ ଅପରାଧୀମାନେ ଜେଲ୍ର ସୁରକ୍ଷାକର୍ମୀଙ୍କ ଆଖିକୁ ଫିଙ୍ଗି ଦେଇଥିଲା। ସୁରକ୍ଷାକର୍ମୀ କିଛି ଦେଖି ନ ପାରିବାରୁ ତାଙ୍କ ପକେଟ୍ରୁ ଜେଲ୍ର ମୁଖ୍ୟ ଫାଟକ ଚାବି ନେଇ ଖୋଲି ଦେଇଥିଲେ। ଜେଲ୍ରୁ ମୋଟ ୩୬ ଜଣ ଦୋଷୀ ସାବ୍ୟସ୍ତ କଏଦୀ ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ଫେରାର ହୋଇଯାଇଥିଲେ। କିନ୍ତୁ କେହି ବିଚାରାଧୀନ କଏଦୀ ଜେଲ୍ରୁ ଯାଇ ନ ଥିଲେ। ରାଉରକେଲା ପୁଲିସର ପ୍ରାୟ ୨୦ଟି ଟିମ୍ ଗଠନ ହୋଇଥିଲା। ପ୍ରତି ଟିମ୍ରେ ୫ ଜଣ ଲେଖାଏ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ। ପରଦିନ ସକାଳ ସୁଦ୍ଧା ମୋଟ ୩୩ ଜଣ ଅପରାଧୀ ଗିରଫ ହୋଇଥିଲେ। ରାଉରକେଲାରୁ ସୁନ୍ଦରଗଡ଼ ଯିବାକୁ ହେଲେ ବ୍ରାହ୍ମଣୀ ନଦୀର ପୋଲ ଦେଇ ଯିବାକୁ ପଡ଼ିବ। ପୁଲିସ ସେହି ରାସ୍ତା ଓ ବଣେଇ ରାସ୍ତାକୁ ବ୍ଲକ କରିଦେଇଥିଲା। ନଦୀରେ ପାଣି ଥିବାରୁ କେହି ଖସିଯାଇ ପାରି ନ ଥିଲେ। ଟ୍ୟାକ୍ସିରେ ୭ରୁ ୮ ଜଣ ଯାଇଥିଲେ। ଆଉ କିଛି ସାଇକେଲ୍ ଚାଳକଙ୍କ ନିକଟରୁ ସାଇକଲ୍ ଛଡ଼ାଇ ନେଇ ଫେରାର ହେବାକୁ ଉଦ୍ୟମ କରୁଥିଲେ। ରାଉରକେଲା ବାହାରକୁ କେହି ଯାଇପାରି ନଥିଲେ। ପରଦିନ ସକାଳେ ମୋଟ ୩୩ ଜଣ ଗିରଫ ହୋଇଥିଲେ। କିନ୍ତୁ ସତଲାଲଙ୍କ ସମେତ ବଣେଇର ଅତୁଲ ଦାସ ଏବ˚ ଅନ୍ୟ ଜଣେ ଅପରାଧୀ ବର୍ତ୍ତମାନ ସୁଦ୍ଧା ଫେରାର ଥିବା କୁହାଯାଉଛି। ଅତୁଲ ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ନଦୀବାଲିରେ ପୋତି ଦେଇଥିଲା। ୧୯୬୯ରେ ପୁରୀ ମେଡିକାଲ୍ରୁ ୩ ଜଣ ଅପରାଧୀ ଗୋଟିଏ ରାତିରେ ଫେରାର ହୋଇଯାଇଥିଲେ। ସେହି ମାମଲା ବି ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୦୦ ମସିହାରେ କୋଦଳା ଓ ଖଲିକୋଟ ଜେଲରୁ ଜଣେ ଅପରାଧୀ ବିଭିନ୍ନ ସମୟରେ ତିନିଥର ଫେରାର ହୋଇଯାଇଥିଲା। କ୍ରାଇମବ୍ରାଞ୍ଚ ତଥ୍ୟ ମୁତାବକ, ପ୍ରତିବର୍ଷ ହସ୍ପିଟାଲ୍ରୁ ପ୍ରାୟ ୧୦ରୁ ୧୫ ଜଣ ଅପରାଧୀ ଫେରାର ହୋଇଯାଉଛନ୍ତି। ଆଇପିସିର ୨୨୪ ଧାରାରେ ଚମ୍ପଟ୍ ମାରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ ହେବାର ବ୍ୟବସ୍ଥା ରହିଛି।
/sambad/media/post_attachments/wp-content/uploads/2021/04/rkl-jail-1.jpg)
ଏବେ କଟକ ବଡ଼ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର ପରେ ଏହା ପୂର୍ବରୁ ବଡ଼ ଡାକ୍ତରଖାନାରୁ ଫେରାର ହୋଇଯାଇଥିବା ଅପରାଧୀଙ୍କ ସମ୍ପର୍କିତ ରେକର୍ଡ ସାମ୍ନାକୁ ଆସିଛି। ୨୦୧୭ ଫେବ୍ରୁଆରି ୬ ତାରିଖରେ ବଡ଼ ଡାକ୍ତରଖାନାରୁ ଆଜୀବନ କଏଦୀ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ତିର ସଦାଶିବ ଗୌଡ଼ ଫେରାର ହୋଇଯାଇଥିଲା। ବ୍ରହ୍ମପୁର ଜେଲରେ ସଜା କାଟୁଥିବା ସଦାଶିବ କିଡ୍ନି ସମସ୍ୟା ଯୋଗୁଁ ବଡ଼ ଡାକ୍ତରଖାନାକୁ ଆସିଥିଲା। ୬ ତାରିଖରେ ଡାଏଲିସିସ୍ ହେବାର ଯୋଜନା ଥିଲା। ଏହି ସମୟରେ ସେ ଫେରାର ହୋଇଯାଇଥିଲା। ୨୦୧୮ ଜୁଲାଇ ୪ ତାରିଖରେ କଟକ ବଡ଼ ଡାକ୍ତରଖାନା ନ୍ୟୁ ମେଡିସିନ ଵାର୍ଡରୁ ଦୁର୍ଦ୍ଦାନ୍ତ ଡକାୟତ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ୍ର ଏମ୍. ନନି ଫେରାର୍ ହୋଇଯାଇଥିଲ। ଯାଜପୁର ଟାଉନ୍ ଥାନା ପୁଲିସ ଗିରଫ କରି ତାକୁ ଯାଜପୁର ସବ୍-ଜେଲ୍ରେ ଛାଡ଼ିଥିଲା। ଛାତିରେ ଅହସ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଜୁନ୍ ୩୦ ତାରିଖରେ ନନିକୁ ପ୍ରଥମେ ଯାଜପୁର ଜିଲ୍ଲା ହସ୍ପିଟାଲ୍ ଓ ପରେ ଜୁଲାଇ ୧ ତାରିଖରେ ବଡ଼ ଡାକ୍ତରଖାନା ନ୍ୟୁ ମେଡିସିନ୍ ଵାର୍ଡରେ ଭର୍ତ୍ତି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ଜଣେ ହାବିଲ୍ଦାରଙ୍କ ସମେତ ୪ ଜଣ କନଷ୍ଟେବଳଙ୍କୁ ମୁତୟନ କରାଯାଇଥିବା ସତ୍ତ୍ବେ ନନି ହାତକଡ଼ି ଖୋଲି ଫେରାର ହୋଇଯାଇଥିଲା। ୨୦୨୦ ଜାନୁଆରି ୧୧ ତାରିଖରେ ବଡ଼ ଡାକ୍ତରଖାନାରୁ ଜଣେ କଏଦୀ ଆଲାକ କୁମାର ସାହୁ ଚମ୍ପଟ୍ ମାରିଥିଲା। ଜଗତସି˚ହପୁର ଜିଲ୍ଲା ରଘୁନାପୁର ଥାନା ପୁଲିସ ତାକୁ ଏକ ଅାପରାଧିକ ମାମଲାରେ ଗିରଫ କରିଥିଲା। ୨୦୨୦ ଅକ୍ଟୋବର ୩ ତାରିଖରେ ଢେଙ୍କାନାଳ ଜିଲ୍ଲା ରାଶୋଳର କାଳିଆ ଓରଫ ଜିତେନ ସାହୁ ବଡ଼ ଡାକ୍ତରଖାନା ନ୍ୟୁରୋ ସର୍ଜରି ବିଭାଗରୁ ଫେରାର ହୋଇଯାଇଥିଲା। ହାଇଦରକୁ ମିଶାଇ ଗଲା ୬ ବର୍ଷ ଭିତରେ କଟକ ବଡ଼ ଡାକ୍ତରଖାନାରୁ ୫ ଜଣ ଅପରାଧୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Satlal-Gupta-Escapes-From-Rourkela-Jain-in-1976_Thumbnail.jpg)