ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଇଲାକା ସମେତ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଅପରାଧର ନେଟ୍ୱର୍କ ଚଳାଇ ଆସୁଥିବା ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ଶଙ୍କର ନାଇକ ଶେଷରେ ପୁଲିସ ଜାଲରେ ପଡ଼ିଛି। ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ଗ୍ରାମର ମୂଳବାସିନ୍ଦା ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସହ ତା’ଠାରୁ ଏକ ହାତତିଆରି ମାଉଜର୍ ଓ ୫ ରାଉଣ୍ଡ୍ ଗୁଳି ଜବତ ହୋଇଛି। ଏନେଇ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।
ଶଙ୍କର ଗତ ୫ ବର୍ଷ ହେଲା ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବା ସହ ଆତଙ୍କ ଖେଳାଉଥିଲା। ଜଗନ୍ନାଥପ୍ରସାଦ ଥାନା ଇଲାକାରେ ଡକାୟତି, ରାହାଜାନି, ଧମକଚମକ ଦେଇ ବଟି ଆଦାୟ, ଦୁଇଜଣଙ୍କୁ ଅପହରଣ କରି ମୁଣ୍ଡଜାମିନ ପାଇଁ ଟଙ୍କା ମାଗିବା ଓ ପୁଲିସ ଉପରକୁ ବୋମା ଫିଙ୍ଗିବା ସମେତ ପ୍ରାୟ ୧୩ଟି ମାମଲାରେ ଜଡ଼ିତ ଥିଲା। ସେହିପରି ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ତା’ ନାମରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଶଙ୍କରକୁ ଧରିବାକୁ ପୁଲିସ ବହୁବାର ଚେଷ୍ଟା କରି ବିଫଳ ହୋଇଥିଲା। କେବେ ଏତିକି ନୁହେ, ଅନ୍ୟ ଥାନାର ସହଯୋଗରେ ଜଗନ୍ନାଥପ୍ରସାଦ ଅଞ୍ଚଳର ପଞ୍ଚୁପାଣ୍ଡବ ମୁଣ୍ଡିଆରେ କମ୍ବିଂ ଅପରେସନ୍ କରାଯାଇଥିଲା। କିନ୍ତୁ ଶଙ୍କର କୌଶଳ କ୍ରମେ ଖସିଯାଇଥିବା ବେଳେ ଗୁମ୍ଫା ଭିତରୁ ଲୁଟ୍ ସୁନା ଓ ରୁପା ଅଳଙ୍କାର ଜବତ ହୋଇଥିଲା।
ଶନିବାର ଦିନ ଶଙ୍କର ଏକ ଭୋଜିରେ ଯୋଗ ଦେବାକୁ ବେଗୁନିଆ ଗ୍ରାମକୁ ଆସିଥିବା ବେଳେ ପୁଲିସର ବିଭିନ୍ନ ଟିମ୍ ସାଦା ପୋଷାକରେ ଜଗିବା ସହ ତା’ର ଗତିବିଧି ଉପରେ ନଜର ରଖିଥିଲେ। ସକାଳେ ସେ ରାଉତି ଛକରେ ଘୋଡ଼ାଇ ହୋଇ ଛିଡ଼ା ହୋଇଥିବା ସୂଚନା ମିଳିବା ପରେ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସଦଳବଳେ ଚଢ଼ଉ କରି ତାକୁ କାବୁ କରି ନେଇଥିଲେ। ତା’ଠାରୁ ମାଉଜର୍ ଓ ଗୁଳି ଜବତ ହୋଇଥିଲା। କେସ୍ ନମ୍ବର ୨୦୧/୨୨ ଅନୁସାରେ ଏକ ମାମଲା ରୁଜୁ ସହ ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ଏହାମଧ୍ୟରେ ତା’ର ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ମିଶ୍ର କହିଛନ୍ତି। ଜଗନ୍ନାଥପ୍ରସାଦ ଥାନା ସବଇନସ୍ପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ଚନ୍ଦ୍ରଶେଖର ବେହେରା, ନିରଞ୍ଜନ ଦାସ, ଏଏସ ଆଇ ପ୍ରଭାତୀ ବେହେରା ଓ ରଞ୍ଜନ କୁମାର ଆଚାର୍ଯ୍ୟ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-22a.jpg)