ବ୍ରହ୍ମପୁର: ଦୁଇଟି ହତ୍ୟା ମାମଲା ସମେତ ହତ୍ୟା ଉଦ୍ୟମ, ଗୁଳିଚାଳନା ଓ ବୋମା ମାଡ଼ କରିବା ଭଳି ସଂଗିନ ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୀତଶ କୁମାର ମିଶ୍ର ଓରଫ ମଉଜକୁ ଆଜି ଗୋସାଇଁ ନୂଆଗାଁ ଥାନା ପୁଲିସ ଜଟଣୀରୁ ଗିରଫ କରିଛି। ଦୁର୍ଦ୍ଦାନ୍ତ ଅପରାଧୀ ମଉଜ ଦୀର୍ଘ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଫେରାର ରହିଥିଲା।
ସେ ୨୦୦୬ ମସିହାରେ ରେଳଷ୍ଟେସନ ନିକଟରେ ଗଣେଶ ସୁନା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା। ଏହି ମାମଲାରେ ପୁଲିସ ମଉଜ ସମେତ ୫ଜଣଙ୍କୁ ଗିରଫ କରିଥିଲା। ୬ମାସ ପରେ ଜାମିନ ପାଇ ମୁକୁଳିବା ପରେ ସେ ପୁଣି ଏକ ରାହାଜାନି ମାମଲାରେ ଗିରଫ ହୋଇଥିଲା। ୨୦୧୩ ମସିହାରେ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମଉଜ ସମେତ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୬ ମସିହାରେ ଜାମିନରେ ମୁକୁଳିବା ପରେ ସେ ମାମଲାର ବିଚାରଣା ବେଳେ କୋର୍ଟରେ ହାଜିର ହେଉନଥିଲା। ଫେରାର ଥିବା ସମୟରେ ସେ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ ସଂପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ତା’ ନାଁରେ ୪ଟି ଜାମିନବିହୀନ ପରୱାନା ରହିଥିବା ବ୍ରହ୍ମପୁର ଏସ୍ପିଙ୍କ ସୂତ୍ରରୁ ଜଣାଯାଇଛି।
୨୦୧୩ ଜାନୁଆରି ୨୯ତାରିଖ ସକାଳେ ଶାନ୍ତି ମିଶ୍ର ଗୋସାଇଁ ନୂଆଗାଁ ଥାନାରେ ହାଜିରା ଦେଇ ବାଇକ୍ରେ ଘରକୁ ଫେରୁଥିବା ବେଳେ ଗୁଣ୍ଡିଚା ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡ଼ି ଅଟକାଇଥିଲେ। ସେ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ଜୀବନ ବଞ୍ଚାଇବା ପାଇଁ ଶେଷରେ ସେ ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ। ଦୁର୍ବୃତ୍ତମାନେ ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ ଚାଟିପଟୁ ଘେରିଯାଇ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶାନ୍ତିଙ୍କୁ ଉଦ୍ଧାର କରି ଏମ୍କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଅନୀଲ ନାୟକଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ନଭେମ୍ବର ୭ତାରିଖ ଦିନ ଶାନ୍ତି ମିଶ୍ର ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ଏହି ହତ୍ୟା ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।