ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏମିତି ବହୁ ପିଲା ରହିଛନ୍ତି ଯେଉଁମାନେ ବାପା ଓ ମା’ଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ବଂଚି ରହିଛନ୍ତି। ଦୁଇ ବେଳା ମୁଠାଏ ଭାତ ପାଇଁ ଅନ୍ୟର ସାହାଯ୍ୟକୁ ଅନେଇ ବସିଛନ୍ତି। ସେଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପଡିଆ ବ୍ଲକର ବାପନପାଲୀ ପଞ୍ଚାୟତର ଇଟାଗୁଡା ଗ୍ରାମର ୬ ପିଲା ଏବେ ବାପାକୁ ହରାଇବା ପରେ ମାଆ ସାହା ହେବ ବୋଲି ଭାବିଥିଲେ। କିନ୍ତୁ ମା’ ବି ଅନ୍ୟ କାହାକୁ ବାହା ହୋଇ ଚାଲିଗଲା। ୬ ପିଲାର ମୁହଁକୁ ବି ଚାହିଁଲା ନାହିଁ। ସେମାନେ କେମିତି ରହିବେ, କଣ ଖାଇବେ କିଛି ଚିନ୍ତା ନକରି ନିଜର ସୁଖ ପାଇଁ ସମସ୍ତଙ୍କୁ ଛାଡି ଅନ୍ୟତ୍ର ବାହା ହୋଇ ଚାଲିଗଲା। ବାପା ଦେବେ କୁଞ୍ଜାମି ଏବଂ ମା’ ଭୀମେ କୁଞ୍ଜାମୀଙ୍କର ଏକ ସୁଖି ପରିବାର ଥିଲା। ଏହି ଦମ୍ପତିଙ୍କର ୬ଟି ସନ୍ତାନ ଜନ୍ମ ହୋଇଥିଲେ। ସେମାନେ ହେଲେ ସଂତୋଷ କୁଞାମି, ରାମଚନ୍ଦ୍ର କୁଞ୍ଜାମି, କୋସି କୁଞ୍ଜାମି, ଉରେ କୁଞ୍ଜାମି, ଉଙ୍ଗି କୁଞ୍ଜାମି ଏବଂ ଭୀମା କୁଞ୍ଜାମି।
ଗତ ୬ ମାସ ତଳେ ବାପା ଅଜଣା ରୋଗରେ ପଡି ମୃତ୍ୟୁବରଣ କଲେ। ବାପାଙ୍କର ଚିକିତ୍ସା ପାଇଁ ଘରେ ଅର୍ଥ ନଥିବାରୁ ସେ ଘରେ ରୋଗିଣା ଅବସ୍ଥାରେ ରହି ମୃତ୍ୟୁବରଣ କଲେ। ଏହାର କିଛି ଦିନ ପରେ ମାଆ ଭୀମେ ଅନ୍ୟ ପୁରୁଷ ସହ ବାହା ହୋଇ ଚାଲିଗଲା। ୬ ଜଣ ପିଲା ଭାଗ୍ୟକୁ ଆଦରି ଘରେ ପଡି ରହିଲେ। ବଡ ଝିଅ କୋଷି ମା’ର ସାହାରା ଦେଲା ଛୋଟ ଭାଇ ଓ ଭଉଣୀକୁ। ବଡ ପୁଅ ସଂତୋଷ ଦାଦନ ଖଟିବାକୁ ଆନ୍ଧ୍ର ଚାଲିଗଲା। ଘରେ ୫ ଜଣ ଭାଇଭଉଣୀ ଭଗବାନଙ୍କ ଭରସାରେ ପଡି ରହିଲେ। ଏକ ଛୋଟିଆ କୁଡିଆ ଘରେ ଏମାନେ ବାପା ଓ ମା’ଙ୍କୁ ମନେ ପକାଇ କାନ୍ଦି କାନ୍ଦି ଦିନ କାଟୁଛନ୍ତି। ଘରେ ବିଦ୍ୟୁତ ନାହିଁ କି କିରୋସିନି ନାହିଁ। ରାତି ହେଲେ ଅନ୍ଧାରରେ ରହୁଛନ୍ତି।ଘରେ ଚାଉଳ ନଥିବା ବେଳେ କେହି କିଛି ଦେଲେ ଖାଇ ଚୁପ ହୋଇ ରହିଯାନ୍ତି। ବଡ ଭାଇ ଓ ଭଉଣୀ ନିଜେ ନଖାଇ ସାନ ଭାଇଭଉଣୀଙ୍କୁ ଖାଇବାକୁ ଦେଇ ଭୋକରେ ରହୁଛନ୍ତି।
ଏବେ ବଡ ଭାଇ ଓ ଭଉଣୀ ଜଂଗଲରୁ ଶାଳମଞ୍ଜି, ମହୁଲ, କେନ୍ଦୁପତ୍ର ତୋଳି ତାକୁ ବିକ୍ରି କରି ଯାହା ମିଳୁଛି ତାକୁ ଚାଉଳ କିଣି ଖାଉଥିବା କହନ୍ତି। ତେବେ ଏହା ସବୁଦିନ ମିଳେ ନାହିଁ ବୋଲି କହନ୍ତି। ସମସ୍ତେ ପାଠ ଅଧାରୁ ଛାଡିଲେ। ଗତ ୬ ମାସ ହେଲା ଏମାନେ କେମିତି ରହୁଛନ୍ତି ମା’ ଭୀମେ ଦେଖିବାକୁ ମଧ୍ୟ ଆସୁନାହିଁ। ସାନ ପୁଅ ଭୀମା ବାପା ଓ ମା’କୁ ଝୁରୁଥିବା ବଡ ଭଉଣୀ କୋସି କହନ୍ତି। ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଥିବା କହନ୍ତି। ଏମାନଙ୍କ ବିଷୟରେ ପ୍ରଶାସନ ନିକଟରେ କୌଣସି ଖବର ନାହିଁ। ଅନାଥ ଶିଶୁମାନଙ୍କୁ ଶିଶୁ ସୁରକ୍ଷା ଏବଂ ଶିଶୁ ମଙ୍ଗଳ ବିଭାଗ ତରଫରୁ ଥଇଥାନା କରାଯାଉଛି। ଏବେ ସୁଦ୍ଧା ଏହି ଦୁଇ ବିଭାଗ ପକ୍ଷରୁ ୬ ହଜାରରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଗଲାଣି।
ତେବେ ତୁରନ୍ତ ଏହି ଦୁଇ ବିଭାଗ ଏମାନଙ୍କ ପାଖରେ ପହଞ୍ଚି ତଦନ୍ତ କରି ଏମାନଙ୍କୁ ବଞ୍ଚିବା ପାଇଁ ସାହା ହୁଅନ୍ତୁ ବୋଲି ଦାବି ହୋଇଛି। ପ୍ରଶାସନ ତରଫରୁ ଏମାନଙ୍କୁ କୌଣସି ହୋଷ୍ଟେଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ରଖାଗଲେ ହୁଏତ ଏମାନେ ଆଗକୁ ବଢିବେ ବୋଲି କୁହାଯାଇଛି। ନଚେତ କୌଣସି ବଦାନ୍ୟ ବ୍ୟକ୍ତି ଏମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ମଧ୍ୟ ଏମାନେ ଦୁଇ ବେଳା ମୁଠାଏ ଦାନା ପାଇପାରନ୍ତେ ବୋଲି କୁହାଯାଇଛି। ଏମାନଙ୍କ ଦୁଃଖ ଦେଖିଲେ ହିଁ ହୃଦୟଙ୍ଗମ କରିହେବ ଯେ ଏମାନେ କିପରି ନିଜର ଜୀବନ ବିତାଉଛନ୍ତି। ଏଭଳି ବହୁ ପିଲା ଜିଲ୍ଲାରେ ଅନାଥ ହୋଇ ଘୁରି ବୁଲୁଛନ୍ତି। କାହାରି ସହଯୋଗ ନପାଇ ବିଭିନ୍ନ ସ୍ଥାନରେ ଛୋଟ ବେଳରୁ ହିଁ କୁଲି କାମ କରୁଛନ୍ତି।