ବାଲେଶ୍ବର : ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା ମା’ ଓ ଶିଶୁକେନ୍ଦ୍ରରେ ଯାବତୀୟ ଅବ୍ୟବସ୍ଥା ଦେଖାଦେଇଛି। କେଉଁଠି ଶଯ୍ୟା ଅଭାବରୁ ମା’ ଓ ନବଜାତକ ତଳେ ଗଡ଼ୁଛନ୍ତି ତ କେଉଁଠି ଡାକ୍ତର ଏବଂ ନର୍ସ ଠିକ୍ ସମୟରେ ଚିକିତ୍ସା କରୁନାହାନ୍ତି। ଏପରିସ୍ଥଳେ ଏହି ବିଲ୍ଡିଂର ଚତୁର୍ଥ ମହଲାରେ ରୁମ୍ ନମ୍ବର ୫୦୧ରେ ଥିବା ପ୍ରସୂତି ପରବର୍ତ୍ତୀ ଚିକିତ୍ସା ବିଭାଗ(ପୋଷ୍ଟ ନାଟାଲ ୱାର୍ଡ)ରେ ସବୁଠୁ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି।
ସୂଚନାଥାଉକି, ଏହି ୱାର୍ଡଟି ୨୧ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଶଯ୍ୟା ଉପରେ ଏବଂ ତଳେ ପ୍ରାୟ ୩୦ରୁ ୪୦ ସଂଖ୍ୟା ପର୍ଯ୍ୟନ୍ତ ମା’ ଓ ନବଜାତକ ଶିଶୁ ଭର୍ତ୍ତି ହେଉଛନ୍ତି। ୱାର୍ଡରେ ୧୨ଟି ପଙ୍ଖା ଲାଗିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ଏହି ୧୨ଟି ପଙ୍ଖାରୁ ମାତ୍ର ୨ଟି ଘୂରୁଥିବା ବେଳେ ୧୦ଟି ଅଚଳ ହୋଇଯାଇଛି। ଏହା ସାଙ୍ଗକୁ ରୁମ୍ର ସବୁ ଝରକା ବନ୍ଦ ରଖାଯାଇଥିବାରୁ ପବନ ଅଭାବରୁ ଗ୍ୟାସ୍ ହୋଇଯାଉଛି। ଗରମ ଗୁଳୁଗୁଳିରେ ମା’ ଓ ନବଜାତକ ନାହିଁନଥିବାରୁ କଲବଲ ହେଉଛନ୍ତି। ରୋଗୀ ପରିବାର ଏନେଇ ଡାକ୍ତରଙ୍କୁ ଜଣାଇଲେ ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କହୁଛନ୍ତି। ସେପଟେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଗଲେ ସିଡିଏମ୍ଓ ହସ୍ପିଟାଲ ସୁପରିନ୍ଟେଣ୍ଡେଣ୍ଟ୍ଙ୍କ ପାଖକୁ ପଠାଉଛନ୍ତି ତ ସିଡିଏମ୍ଓଙ୍କ ପାଖକୁ ଗଲେ ସେ ସୁପରିନ୍ଟେଣ୍ଡେଣ୍ଟ୍ଙ୍କୁ ଜଣାଇବାକୁ କହୁଛନ୍ତି। ଫଳରେ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରସୂତିଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/balasore-medical.jpg)