ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପଣ୍ଡଲୋଇ ନିକଟ ସମ୍ବଲପୁର- ରାଉରକେଲା ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ରେ ଥିବା ଶିଶୁ ଓ ମା’ଙ୍କ ମୃତ୍ୟୁ ହୋଇଛି। ଏଥିରେ ବାପା ସୋମନାଥ ସାହୁ (୩୬ବର୍ଷ) ଗୁରୁତର ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଅଂଚଳର ସୋମନାଥ, ତାଙ୍କ ସ୍ତ୍ରୀ ପ୍ରଭାସିନୀ ସାହୁ (୩୦ବର୍ଷ) ଓ ଦେଢ଼ବର୍ଷ ବୟସର ଝିଅ ବାଇକ୍ (ଓଆର୍ ୨୩ ଏ ୪୮୨୨) ଯୋଗେ ଝାରସୁଗୁଡ଼ାରୁ ବୁର୍ଲା ଯାଉଥିଲେ। ରବିବାର ଦିନ ପ୍ରାୟ ୧.୪୫ମିନିଟରେ ରେଙ୍ଗାଲି ଥାନା ପଣ୍ଡଲୋଇ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଭାସିନୀ ଓ ତାଙ୍କ ଝିଅର ମୃତ୍ୟୁ ହୋଇଥିଲା। ସୋମନାଥ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ସମ୍ବଲପୁର- ରାଉରକେଲା ରାସ୍ତାର ଗୋଟିଏ ପଟକୁ ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲେ। ପରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ସହାୟତ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ରେଙ୍ଗାଲି ପୁଲିସ ମା’ ଓ ଝିଅଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।