ଝରିଗାଁ : ମକା ବାଡ଼ ମଞ୍ଚାରେ ନିଆଁ ଲାଗି ଦୁଇ ନାବାଳିକା ଉଭଣୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବାବେଳେ ସୌଭାଗ୍ୟବଶତଃ ଅନ୍ୟ ଜଣେ ଭଉଣୀ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ କାମସାହି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ମଇନାପଦର ଗ୍ରାମର ପଡ଼ା ଗାଁ କାମସାହିରେ ପବିତ୍ର ସାନ୍ତାଙ୍କ ପରିବାର ମକା ଜମିରେ ମକା ଭାଂଗିବାକୁ ଯାଇଥିଲେ। ପବିତ୍ରଙ୍କ ସାଂଗରେ ଶିଶୁକନ୍ୟା ଏଲିନା ସାନ୍ତା(୪)ଙ୍କ ସହ ପବିତ୍ରଙ୍କ ଭାଇ ସାମସଂଗ ସାନ୍ତାଙ୍କ ଦୁଇ ଝିଅ ସୁଜାତା(୪) ଓ ଅର୍ପିତା(୨) ମକାବାଡ଼କୁ ଯାଇଥିଲେ। ସାମସଂଗ ସାନ୍ତାଙ୍କ ଘରେ ପୂଜା ଚାଲିଥିବା ଯୋଗୁଁ ସେ ମକା ବାଡ଼କୁ ଯାଇପାରିନଥିଲେ। ପବିତ୍ର ମକା ଭାଂଗୁଥିବା ବେଳେ ତିନି ଭଉଣୀ ମକା କ୍ଷେତରେ ନିର୍ମାଣ କରାଯାଇଥିବା ମଞ୍ଚା ନିକଟକୁ ଖେଳିବାକୁ ଯାଇଥିଲେ। ମଞ୍ଚାରେ ଖେଳୁଥିବା ବେଳେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଅର୍ପିତା ମଞ୍ଚା ଠାରୁ ଅଳ୍ପ ଦୂରରେ ରହିଯାଇଥିବା ଯୋଗୁଁ ସେ ବର୍ତ୍ତି ଯାଇଥିଲେ ହେଁ ତା ଆଖି ସାମ୍ନାରେ ଦୁଇ ଭଉଣୀ ଅଲିନା ଓ ସୁଜାତା ଜୀବନ୍ତ ଜଳି ଯାଇଥିଲେ। ଅର୍ପିତା କେବଳ ନିଆଁ ଲାଗିଥିବା ଦେଖି କାନ୍ଦୁଥିବା ବେଳେ ପବିତ୍ର ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିବାବେଳେ ସବୁ େଶଷ ହୋଇଯାଇଥିଲା। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ଘର ସହ ପୋଡ଼ିଗଲେ ଭିନ୍ନକ୍ଷମ ଝିଅ ସହ ମା’
ସୁନ୍ଦରଗଡ଼/ଟାଙ୍ଗରପାଲି : ଏକ ହୃଦୟ ବିଦାରକ ଅଘଟଣକ୍ରମେ ଆଜି ସନ୍ଧ୍ୟାରେ ଭଷ୍ମା ଥାନା ମେହେରପଡାରେ ଘର ସହିତ ଜଣେ ଭିନ୍ନକ୍ଷମ ଝିଅ ଓ ବୃଦ୍ଧା ମାଆ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତା ଝିଅ ହେଲେ ଲକ୍ଷ୍ମୀ ମେହେର (୩୫) ଓ ମାଆ ଗୋଲାପି ମେହେର (୬୫)।
ସୂଚନା ଅନୁସାରେ, ବିଧବା ଗୋଲାପି ନିଜ ପୁଅ, ବୋହୂ ଓ ଅବିବାହିତା ଭିନ୍ନକ୍ଷମ ଝିଅ ଲକ୍ଷ୍ମୀଙ୍କ ସହ ଏକ ଚାଳଛପର ଘରେ ରହୁଥିଲେ। ଆଜି ପୁଅ ବୋହୂ କୌଣସି କାମରେ ବାହାରକୁ ଯାଇଥିବାବେଳେ ଘରେ ମାଆ ଓ ଝିଅ ଥିଲେ। ସନ୍ଧ୍ୟାବେଳେ ପଡ଼ାର ଲୋକେ ତାଙ୍କ ଘର ଜଳୁଥିବାର ଦେଖିବାକୁ ପାଇଥିଲେ। ସେମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘରେ ଥିବା ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।