ସାବାସ୍‌ ପ୍ରାଚୁର୍ଯ୍ୟା : ଚେନ୍‌ ଲୁଟେରାକୁ କାବୁ କଲେ ମା’-ଝିଅ

କଟକ : ବୟସ ମାତ୍ର ୧୫। ହେଲେ ତାଙ୍କ ସାହସିକତାର କଥା ଆଜି ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି। କ୍ୟାଣ୍ଟନମେଣ୍ଟ୍‌ ରୋଡ୍‌ସ୍ଥିତ କ୍ରେମ୍ବିଜ୍‌ ସ୍କୁଲର ୯ମ ଶ୍ରେଣୀର ଛାତ୍ରୀ ପ୍ରାଚୁର୍ଯ୍ୟା ରଥ ମା’ ସ୍ନେହାଞ୍ଚଳିଙ୍କ ସୁନା ଚେନ୍‌ ଛିଣ୍ଡାଇ ନେଉଥିବା ଚୋରକୁ ବଳ ଓ ବୁଦ୍ଧି ଖଟାଇ କାବୁ କରିବା ଘଟଣା ଅନେକଙ୍କ ପାଇଁ ପ୍ରେରଣାର ବିଷୟ ହୋଇଛି। ପ୍ରାଚୁର୍ଯ୍ୟାଙ୍କ ସାହାସ ଯୋଗୁଁ ପୁଲିସ ଚୋରକୁ ଗିରଫ କରିବା ସହ ଆଜି ଗଡ଼ଖାଇରୁ ସୁନା ଚେନକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

ବାରବାଟୀ ଷ୍ଟାଡିୟମ ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ କଲୋନିରେ ରହନ୍ତି ବିଭାଗର କର୍ମଚାରୀ ପ୍ରଦୀପ ରଥ। ତାଙ୍କର ଦୁଇ ଝିଅ ମଧ୍ୟରେ ପ୍ରାଚୁର୍ଯ୍ୟା ବଡ଼। ସେ କଳାବିକାଶ କେନ୍ଦ୍ରରେ ନାଚ ଶିଖନ୍ତି। ପ୍ରତି ଶୁକ୍ରବାର ପରି ଗତକାଲି ନାଚ ଶିଖିବାକୁ ସେ କେନ୍ଦ୍ରକୁ ଯାଇଥିଲେ। ରାତି ୮ଟାରେ ମା’ ସ୍ନେହାଞ୍ଜଳିଙ୍କ ସହିତ କେନ୍ଦ୍ରରୁ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକରେ ତିନିଜଣ ଯୁବକ ସେମାନଙ୍କ ପିଛା କରିଥିଲେ। କିଛିବାଟ ପିଛା କରିବା ପରେ ଯୁବକମାନେ ସେମାନଙ୍କୁ ଅତିକ୍ରମ କରି ଆଗକୁ ଚାଲି ଯାଇଥିଲେ। ଜନସ୍ୱାସ୍ଥ୍ୟ ବିଭାଗ ଅଫିସ ପାର ହୋଇ ମା’ ଝିଅ ପାଣିଟାଙ୍କି ରାସ୍ତା ଦେଇ କଲୋନି ଯିବା ବାଟରେ ଜଣେ ଯୁବକ ପୂର୍ବ ଯୋଜନା ମୁତାବକ ଗାଡିରୁ ଓହ୍ଲାଇ ସେମାନଙ୍କୁ ଉକ୍ତ ରାସ୍ତାରେ ଅପେକ୍ଷା କରିଥିଲା। ଅନ୍ଧାରର ସୁଯୋଗ ନେଇ ଚୋର ସ୍ନେହାଞ୍ଜଳିଙ୍କ ବେକରୁ ଚେନ ଛିଣ୍ଡାଇ ତାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲା। ଚେନ୍‌ ନେଇ ଚୋର କିଛି ଦୂରରେ ବାଇକ ଷ୍ଟାଟ୍‌ କରି ଅପେକ୍ଷାରେ ଥିବା ଦୁଇ ଯୁବକଙ୍କ ନିକଟକୁ ଦୌଡି ପଳାଉଥିବା ବେଳେ ପ୍ରାଚୁର୍ଯ୍ୟା ତାର ପିଛା କରିଥିଲେ। ଦୁ

ର୍ବୃତ୍ତ ଗାଡ଼ିିରେ ବସିବା ସମୟରେ ପ୍ରାଚୁର୍ଯ୍ୟା ତା’ର ସାର୍ଟକୁ ଟାଣି ଗାଡ଼ିରୁ ତଳେ ପକାଇ ମାଡି ବସିବା ସହ ବଡ ପାଟିରେ ଡାକ ଛାଡିଥିଲେ। ସେହି ସମୟରେ ମା’ ସ୍ନେହାଞ୍ଜଳି ମଧ୍ୟ ଚୋରକୁ ମାଡ଼ିି ବସିବା ସହ ଡାକ ପକାଇଥିଲେ। ଚୋର ସହିତ ଧସ୍ତାଧସ୍ତି ହେବା ମଧ୍ୟରେ ପାଟି ଶୁଣି କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତ ମା’ ଝିଅଙ୍କୁ ଠେଲି ଦୌଡି ପଳାଇବା ସହ ଗଡ଼ଖାଇ ଭିତରକୁ ଡେଇଁ ପଡିଥିଲା। ପାଣି ଓ ଦଳ ଭିତରୁ ବାହାରି ଆସିବାକୁ ଲୋକେ କହୁଥିବା ବେଳେ ସେ ଉପରକୁ ଆସିନଥିଲା। ଶେଷରେ ଲୋକେ ପାଣି ଭିତରକୁ ପଥର ଫୋପାଡିବା ଆରମ୍ଭ କରିଦେଲେ। ପଥର ମାଡ ଭୟରେ ଚୋର ବାହାରକୁ ଆସିଥିବା ବେଳେ ଉପସ୍ଥିତ ଲୋକ ତାକୁ ନିସ୍ତୁକ ଛେଚି ପୁଲିସ ଜିମା ଦେଇଥିଲେ। ଆଜି ସକାଳେ ପୁଲିସ ଉପସ୍ଥିତିରେ ଚୋରି ଚେନ୍‌କୁ ଖୋଜା ଯାଇଥିଲା। ଗଡ଼ଖାଇକୁ ଡେଇଁବା ସମୟରେ ଦଳ ଉପରକୁ ଚେନ୍‌ଟିକୁ ଚୋର ଫେପାଡି ଦେଇଥିବାରୁ ତାହା ମିଳିଯାଇଥିଲା। ଗତ ବୁଧୁବାର ଦିନ ସୁନା ଚେନ୍‌ କିଣା ଯାଇଥିବା ବେଳେ ଗତକାଲି ଏହା ଚୋରି ହେବା ଏବଂ ଝିଅ ଯୋଗୁଁ ଏହା ଉଦ୍ଧାର ହେବା ଆମ ପାଇଁ ସ୍ୱପ୍ନପରି ଲାଗୁଛି ବୋଲି କହନ୍ତି ପ୍ରାଚୁର୍ଯ୍ୟାଙ୍କ ମା’ ସ୍ନେହାଞ୍ଜଳି ରଥ। ଅନ୍ୟପଟେ ଉକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଙ୍ଗ କରାଯାଉ ନଥିବାରୁ ଅନ୍ଧାର ରାସ୍ତାରେ ଅସାମାଜିକ ଦୁର୍ବୃତ୍ତ ଉତ୍ପାତ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର