ଚଢ଼େଇଧରା: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥି‌ଲେ ମା’ଝିଅ (ଝିଅ ଓ ନାତୁଣୀ)। ହେଲେ ଘରେ ପହଞ୍ଚିବା ପୂର୍ବରୁ ବାଟରେ ଦଳିଦେଲା ଡମ୍ପର। ଅକାଳରେ ଚାଲିଗଲା ମା’ଝିଅଙ୍କ ଜୀବନ। ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଅଧାଗଡ଼ା ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ। ମୃତ ମା’ ଝିଅ ହେଉଛନ୍ତି ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫)। ସୁକିନ୍ଦା ପଞ୍ଚାୟତର ଏମ୍‌ବିକେ ଥିଲେ ଶ୍ରୀତିକା ଏବଂ ତାଙ୍କ ସ୍ବାମୀଙ୍କ ନାମ ଅଶୋକ ଚକ୍ରବର୍ତ୍ତୀ। ତାଙ୍କ ଘର ସୁକିନ୍ଦାଗଡ଼ରେ। ସୋନାଲି ଡ଼ୁବୁରିସ୍ଥିତ ୟୁନିଅନ ବ୍ୟାଙ୍କରେ କର୍ମଚାରୀ ଥିଲେ ବୋଲି ଜଣାପଡ଼ିଛି।

Advertisment

publive-image

ମିଳିଥିବା ସୂଚନା ଅନୁସାରେ ଶ୍ରୀତିକା ବାପାଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ବାପଘର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାକୁ ଯାଇଥିଲେ। ଶୁଦ୍ଧିକ୍ରିୟା ସାରି ଝିଅ ସୋନାଲି ସହ ସ୍କୁଟର (ଓଡି ୦୬ ଜି ୭୯୨୯)ରେ ଆଜି ଦୁହେଁ ଚଣ୍ଡିଖୋଲ-ଡୁବୁରି ଜାତୀୟ ରାଜପଥରେ ‌ଘରକୁ ଫେରୁଥିଲେ। ସନ୍ଧ୍ୟାରେ ବରଡ଼ା ଛକରେ ଦ୍ରୁତଗତିରେ ପଛରୁ ଆସୁଥିବା ଡମ୍ପର (ଓଆର ୧୬ ଡି ୬୪୦୮)ଟି ମା’ଝିଅଙ୍କ ଉପରେ ଚଢ଼ିଯାଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ମୃତକଙ୍କ ମୁହଁ ଚିହ୍ନିବା ମଧ୍ୟ ସମ୍ଭବ ହୋଇନଥିଲା। ପରେ ସେମାନଙ୍କ ପରିଚୟ ମିଳିଥିଲା। ଦୁର୍ଘଟଣା ପରେ ଡମ୍ପର ଚାଳକ ଫେରାର ହୋଇଯାଇଛି। ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ଗାଡ଼ି ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଡମ୍ପରଟି ଚଣ୍ଡିଖୋଲର ମୁଜିବର ରହମାନ ଖାଁଙ୍କ ନାମରେ ଥିବା ଜଣାପଡ଼ିଛି।