ଟ୍ରକ୍‌ ଚକା ତଳେ ମା‘-ଝିଅଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ; ଦୁର୍ଘଟଣା ନୁହଁ, ହତ୍ୟା ସଂଦେହ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଡମ୍ପର ଦଳିଦେବାରୁ ମା’ଝିଅଙ୍କ ମୃତ୍ୟୁ ଘଟଣାର ନୂଆମୋଡ଼ ଆସିଛି। ଏହା ଦୁର୍ଘଟଣା ନୁହେଁ ବରଂ ଝଗଡ଼ା ପରେ ପ୍ରତିଶୋଧଜନିତ ହତ୍ୟା ବୋଲି ସ୍ପଷ୍ଟ ହୋଇଛି। ଗତକାଲି ସନ୍ଧ୍ୟା ୬ଟା ମଧ୍ୟରେ ଘଟିଥିବା ଏହି ଘଟଣା ଏକ ନରହତ୍ୟା ବୋଲି ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ସାଇଡ୍‌ ମାରିବାକୁ କେନ୍ଦ୍ରକରି ମୃତ ମା’ଝିଅଙ୍କ ସହ ଅଭିଯୁକ୍ତ ଟ୍ରକ (ଡମ୍ପର) ଡ୍ରାଇଭରର ବଚସା‌ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଡ୍ରାଇଭର ଜାଣିଶୁଣି ଗାଡ଼ି ଚଢ଼ାଇ ମା’ଝିଅଙ୍କୁ ହତ୍ୟା କରିଥିଲା ବୋଲି ଏସ୍‌ପି କହିଛନ୍ତି। ଅଭିଯୁକ୍ତ ଡ୍ରାଇଭର ସଂପାରୁ ପଞ୍ଚାୟତ ତୋଟାକଣା ଗ୍ରାମର ଅମର ସ୍ବାଇଁ (୨୭)କୁ ପୁଲିସ ଆଜି ଯାଜପୁରରୋଡ୍‌ରୁ ଉଠାଇ ନେଇଥିଲା।

ଗିରଫ ଡ୍ରାଇଭର।ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ଗତକାଲି ୫୩ ନମ୍ବର ଜାତୀୟ ରାଜପଥରେ ସ୍କୁଟର (ଓଡି ୦୬ ଜି ୭୯୨୯)ରେ ଘରକୁ ଫେରୁଥି‌ଲେ’ ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫)। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡମ୍ପର (ଓଆର ୧୬ ଡି ୬୪୦୮)ଟି ବାଲିଚନ୍ଦ୍ରପୁରରୁ ମା’ଝିଅଙ୍କୁ ପିଛା କରିଥିଲା। ଡ୍ରାଇଭର ଅମର ବାରମ୍ବାର ହର୍ଣ୍ଣ ବଜାଇବା ସହ ସାଇଡ୍‌ ମାରି ଅଶ୍ଳୀଳ ଇଙ୍ଗିତ କରୁଥିଲା। ଏଥିରେ ମା’ଝିଅ ବ୍ୟତିବ୍ୟସ୍ତ ହୋଇଯାଇଥିଲେ। ଶେଷରେ ଆରୁହା ନିକଟରେ ଦୁହେଁ ଟ୍ରକଟିକୁ ଅଟକାଇଥିଲେ। ଡ୍ରାଇଭର ସହ ଉଭୟଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୋନାଲି ଡ୍ରାଇଭର ଅମରକୁ ଜୋତାରେ ପିଟିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସ୍ଥାନୀୟ ଲୋକେ ବୁଝାସୁଝା କରି ମା’ ଝିଅଙ୍କୁ ପଠାଇ ଦେଇଥିଲେ। ଏହାର କିଛି ସମୟ ପରେ ଡ୍ରାଇଭରକୁ ମଧ୍ୟ ଛାଡ଼ିଦେଇଥିଲେ। ଏହି ଘଟଣାରେ ଅପମାନିତ ହୋଇ କ୍ରୋଧରେ ଡ୍ରାଇଭର ଅମର ଦ୍ରୁତଗତିରେ ଡମ୍ପର ନେଇ ମା’ଝିଅଙ୍କୁ ପୁଣି ପିଛା କରିଥିଲା। ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ମା’ଝିଅଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା। ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ସମସ୍ତେ ଏହାକୁ ଦୁର୍ଘଟଣା ବୋଲି ଗ୍ରହଣ କରି‌ଥିଲେ। ମାତ୍ର ତଦନ୍ତ ପରେ ଆଜି ଏହା ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଛି। ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି।
ସୁକିନ୍ଦାଗଡ଼ର ଅଶୋକ ଚକ୍ରବର୍ତ୍ତୀଙ୍କ ପତ୍ନୀ ଶ୍ରୀତିକା ସୁକିନ୍ଦା ପଞ୍ଚାୟତର ଏମ୍‌ବିକେ ଥିଲେ ଏବଂ ଝିଅ ସୋନାଲି ଡ଼ୁବୁରିସ୍ଥିତ ୟୁନିଅନ ବ୍ୟାଙ୍କରେ କର୍ମଚାରୀ ଥିଲେ ବୋଲି ଜଣାପଡ଼ିଛି।। ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଉଭୟଙ୍କ ଶେଷକୃତ୍ୟ କରାଯାଇଛି। ଏ ସଂକ୍ରାନ୍ତରେ ୨୦୭/୨୨ରେ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ପଚରାଉଚରା କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧିତ ଖବର