ଅନୁଗୁଳ: ଅନୁଗୁଳ-ମହୀଧରପୁର ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମା’ ଓ ଝିଅଙ୍କ ମୁତ୍ୟୁ ହୋଇଛି। ଗୁରୁବାର ଅପରାହ୍‌ଣ ପ୍ରାୟ ୨ଟା ବେଳେ ହୋଇଥିବା ଏହି ଦୁର୍ଘଟଣାରେ ବ୍ଲକ୍‌ କଲୋନିର ସଂଯୁକ୍ତା ପ୍ରଧାନ ଓ ତାଙ୍କ ମା’ ଦୁର୍ଗାବତୀ ପ୍ରଧାନ ପ୍ରାଣ ହରାଇଛନ୍ତି। ମୃତ ସଂଯୁକ୍ତା ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁସାରେ ସଂଯୁକ୍ତା, ତାଙ୍କ ମା’ ଦୁର୍ଗାବତୀ ପ୍ରଧାନ ଓ ଭାଉଜ ସ୍ବର୍ଣ୍ଣମୟୀ ପ୍ରଧାନ ଏକ କାର (ଓଡି-୧୯-ଏକ୍ସ-୩୧୫୦)ରେ ଅନୁଗୁଳରୁ ଆଠଗଡ଼ ଆଡ଼କୁ ଯାଉଥିଲେ। ଛେଳିଆପଡ଼ା ଛକ ପରେ ପରେ ଖଣ୍ଡହତା ନିକଟରେ ଦ୍ରୁତ ଗତିରେ ଆଉ ଏକ କାର (ଓଡି-୦୨-ବିଏଲ୍‌-୪୯୬୬) ଆସି ସମ୍ମୁଖରୁ ସେମାନଙ୍କୁ ଧକା ଦେଇଥିଲା। ଫଳରେ ପ୍ରଥମ କାର୍‌ଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆସି ଓଲଟି ପଡ଼ିଥ‌ିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ସଂଯୁକ୍ତା ଓ ଦୁର୍ଗାବତୀଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ ଷ୍ଟେନୋ ସ୍ବର୍ଣ୍ଣମୟୀ ପ୍ରଧାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କାରରେ ଥିବା ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।