ଦଶପଲ୍ଲା: ଦଶହରା ଦିନ ଦଶା ପଡ଼ିଛି। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯିବାରୁ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଘୋଳାହାଣ୍ଡି ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ରୀନା ପ୍ରଧାନ (୨୮) ଓ ତାଙ୍କର ଝିଅ ବର୍ଷା (୧୨)।
ସୂଚନା ଅନୁସାରେ ଘୋଳାହାଣ୍ଡି ଗାଁର ଓସ୍ତସାହି ଛକ ପୋଖରୀରେ ଆଜି ଅପରାହ୍ନଣ ପ୍ରାୟ ୩ଟା ସମୟରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରୀନା ଓ ତାଙ୍କର ଝିଅ ବର୍ଷା ଗାଁ ଗାଧୋଉଥିଲେ। ଏହି ସମୟରେ ପ୍ରଥମେ ଝିଅ ଗଭୀର ପାଣିକୁ ପଶିଯାଇଥିଲା। ଝିଅକୁ ଉଦ୍ଧାର କରିବା ପାଇଁ ମା’ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଉଭୟ ମା’ ଓ ଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାଙ୍କର ମା’ ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ମା’ ଓ ଝିଅଙ୍କର ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟରେ ଏହି ଅଭାବନୀୟ ଘଟଣାକୁ ନେଇଁ ଘୋଳାହାଣ୍ଡି ଗାଁରେ ଶୋକର ଛାୟା ଖେଳିଯାଇଛି।