ପାରିବାରିକ କଳହ ଅସହ୍ୟ ହେଲା : ଶିଶୁ କନ୍ୟା ସହ କୂଅକୁ ଡେଇଁପଡ଼ିଲା ମା’

ବଡ଼ମ୍ବା : ପାରିବାରିକ କଳହର କରୁଣ ପରିଣତି। ଦୁଇବର୍ଷର ଶିଶୁ କନ୍ୟା ସହିତ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କଲା ମା’। ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ବଡ଼ମ୍ବା ଥାନା ଅନ୍ତର୍ଗତ ଦାଶରଥିପୁର ଗ୍ରାମରେ ଦେଖିବାକୁ ମିଳିଛି। ଦମକଳ ବାହିନୀ ଉଭୟ ମା’ ଓ ଶିଶୁ କନ୍ୟାର ମୃତଦେହ କୂଅରୁ ଉଦ୍ଧାର କରିିଥିବା ବେଳେ ଏଭଳି ଘଟଣା ଗ୍ରାମବାସୀଙ୍କୁ ହତବାକ୍‌ କରିଦେଇଛି। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଦାଶରଥିପୁର ଗ୍ରାମର ଅଯୋଧ୍ୟା ମୁଦୁଲିଙ୍କ ସହିତ ବେଲିଆପାଳ ଗ୍ରାମର ପ୍ରଫୁଲ୍ଲ ମୁଦୁଲିଙ୍କ ଝିଅ ଅନୁସୟାଙ୍କ ବିବାହ ହୋଇଥିଲା। କିନ୍ତୁ ଅନେକ ସମୟରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ପୁଲିସ ସୂଚନା ଦେଇଛି। ଏହି କ୍ରମରେ ଆଜି ଉଭୟଙ୍କ ମଧ୍ୟରେ ଝଗଡ଼ା ଚରମ ରୂପ ନେଇଥିଲା। ଏଥିରେ ଅତିଷ୍ଠ ହୋଇ ଅନୁସୟା ଦୁଇ ବର୍ଷର ଝିଅକୁ ଧରି ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଘରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହେଇଯାଇଥିଲା। କୂଅ ଭିତରେ ଉଭୟ ମା’ ଓ ଝିଅର ଜୀବନ ଚାଲି ଯାଇଥିଲା। ଦମକଳ ବାହିନୀ ଉଭୟ ମା’ ଓ ଝିଅ ଶବକୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ୍‌ କରି ବଡ଼ମ୍ବା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଉଭୟଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଝିଅର ମୃତ୍ୟୁକୁ ନେଇ ପିତା ପ୍ରଫ୍ୁ‌ଲ ମୁଦୁଲି ବଡ଼ମ୍ବା ଥାନାରେ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଳ କହିଛନ୍ତି ଅଭିଯୋଗ ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପାରିବାରିକ କଳହ କିମ୍ବା ଘରୋଇ ହିଂସାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ସତ ଜଣାପଡ଼ିବ ବୋଲି ଶ୍ରୀ ପାଳ କହିଛନ୍ତି।

ସମ୍ବନ୍ଧିତ ଖବର