କଟକ : ରାଜା ବଗିଚା ପୁଲିସ କଲୋନିରେ ମାଞ୍ଜା ସୂତା ଲାଗି ଜଣେ ଯୁବତୀ ଆହତ ହୋଇଛନ୍ତି। ଏହି ଘଟଣାରେ ଅଳ୍ପକେ ଦୁଇ ଜଣଙ୍କ ଜୀବନ ବର୍ତ୍ତି ଯାଇଛି। ସୂତାରେ ଯୁବତୀଙ୍କ ହାତ କହୁଣୀ କଟି ଯାଇଛି। ଯୁବତୀ ଜଣକ ତାଙ୍କ ମାଙ୍କୁ ସ୍କୁଟିରେ ବସାଇ ରାଜା ବଗିଚା ପୁଲିସ କଲୋନିରୁ ବାଦାମବାଡ଼ି ଆଡ଼କୁ ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଆସୁଥିଲେ। ଏହି ସମୟରେ ପୁଲିସ କଲୋନି ଗଡ଼ା ନିକଟରେ ଏକ ମାଞ୍ଜା ସୂତା ଗୁଡ଼ାଇ ହୋଇଯାଇଥିଲା। ଅଳ୍ପକେ ଦୁଇ ଜଣ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। କିନ୍ତୁ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Advertisment

ଗଲା ଡିସେମ୍ବର ୨୬ ତାରିଖରେ ମାଞ୍ଜା ସୂତା ଲାଗି ଜଗତପୁର ପୀର ବଜାର ଅଞ୍ଚଳର ନବବିବାହିତ ଜୟନ୍ତ ସାମଲଙ୍କ ମୃତ୍ୟୁ ଏବଂ ତାଙ୍କ ପତ୍ନୀ ଗୁରୁତର ଆହତ ହେବା ଘଟଣା ପରେ ବି ସହରରେ ମାଞ୍ଜା ସୂତା ଉଡ଼ିବା ଘଟଣା ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ସେହି ଦୁର୍ଘଟଣା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। କିନ୍ତୁ ଆଜି ପୁଣି ଏଭଳି ଘଟଣା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ପୂର୍ବରୁ ୨୦୧୫ ଜାନୁଆରି ୪ ତାରିଖରେ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ସତ୍ୟରଞ୍ଜନ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ପିଠାପୁରର ରାକେଶ ବେହେରା ଓ ରାଜା ବଗିଚା ପୁଲିସ କଲୋନିର କାହ୍ନୁ ନାୟକ ଆହତ ହୋଇଥିଲେ।